ନିର୍ମାଣ ଶ୍ରମିକଙ୍କ ଅଧିକାରକୁ ନେଇ ୧୧ଦଫା ଦାବିପତ୍ର ପ୍ରଦାନ

ନିର୍ମାଣ ଶ୍ରମିକଙ୍କ ଅଧିକାରକୁ ନେଇ ୧୧ଦଫା ଦାବିପତ୍ର ପ୍ରଦାନ

Photo from Padmalochan Mishra

କଟକ(ଏନ୍‌.ଏମ୍‌.) : ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୂର ମହାସଂଘର ଆହ୍ୱାନକ୍ରମେ ନିର୍ମାଣ ଶ୍ରମିକମାନଙ୍କର ଅଧିକାର ପାଇଁ ରାଜ୍ୟବ୍ୟାପି ଆନ୍ଦୋଳନ ଜାରି ରହିଛି । ଏହି ଅବସରରେ ଆଜି କଟକଜିଲ୍ଲା ପକ୍ଷରୁ ମହାସଂଘର ରାଜ୍ୟ ସଭାପତି ବସନ୍ତ କୁମାର ସାହୁଙ୍କ ନେତୃତ୍ୱରେ କଟକ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ମାନ୍ୟବର ଶ୍ରମ ଆୟୁକ୍ତ ତଥା ସଚିବ, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡଙ୍କ ଉଦ୍ଦେଶ୍ୟରେ ୧୧ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିଗୁଡିକ ମଧ୍ୟରେ ମୁଖ୍ୟତଃ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଆବେଦନ ପକ୍ରିୟା ଅନଲାଇନ୍ ସହିତ ମାନୁଆଲ କରାଯିବା ପାଇଁ ଦାବି ହୋଇଛି । ସେହିଭଳି ପୂର୍ବରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟଗୁଡିକରେ ପଡିରହିଥିବା ସମସ୍ତ ନୂତନ ପଞ୍ଜିକରଣ ଆବେଦନ ପତ୍ର, ଶିକ୍ଷା ସହାୟତା, ବିବାହ ସହାୟତା, ମୃତ୍ୟୁକାଳୀନ, ପ୍ରସୂତୀକାଳୀନ ଓ ଅନ୍ୟାନ୍ୟ ସହାୟତା ଅବିଳମ୍ବେ ପ୍ରଦାନ କରାଯିବା ନିମନ୍ତେ ଦାବିପତ୍ରରେ ଉଲ୍ଲେଖ ରହିଛି । ପୁନଶ୍ଚ ସମସ୍ତ ବେସରକାରୀ ଓ ବୈଷୟିକ ଶିକ୍ଷା ଅନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କର ଶିକ୍ଷା ସହାୟତା ରାଶିକୁ ପୂନର୍ବାର ପ୍ରଦାନ କରାଯିବା, ସମସ୍ତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଖାଲି ପଡିଥିବା ପଦବୀଗୁଡିକୁ ତୁରନ୍ତ ପୁରଣ କରିବା ସହିତ ଜଣେ ଷ୍ଟୋର କିପରଙ୍କୁ ନିଯୁକ୍ତି ଦିଆଯିବା ପାଇଁ ଦାବି କରାଯାଇଛି । ଏଥି ସହିତ ଯେଉଁ ନିର୍ମାଣ ଶ୍ରମିକମାନଙ୍କର ବ୍ୟାକ୍‌ଲକ୍ ହୋଇପାରିନାହିଁ ସେଗୁଡିକୁ ତୁରନ୍ତ ସ୍ଥାୟୀ ସମାଧାନ କରାଯାଇ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବା ସହ ସେଲଫ୍ ଡିକ୍ଲାରେସନ ଦସ୍ତଖତ କରୁଥିବା ବ୍ୟକ୍ତିଙ୍କର ନାମ ଦସ୍ତଖତ ସହିତ ମୋବାଇଲ ନମ୍ବର ଲେଖାଯିବାକୁ ଦାବି ହୋଇଛି । ସେହିଭଳି ନବୀକରଣ ପାଇଁ ଶ୍ରମ ସଂଗଠନକୁ କ୍ଷମତା ପ୍ରଦାନ କରାଯିବା, ଯେଉଁ ନିର୍ମାଣ ଶ୍ରମିକମାନେ ଦକ୍ଷତା ଅଭିବୃଦ୍ଧି ନିମନ୍ତେ ପ୍ରଶିକ୍ଷଣ ନେଇଛନ୍ତି ସେମାନଙ୍କୁ ପ୍ରମାଣପତ୍ର ସହିତ ଆର୍ଥିକ ଅନୁଦାନ ପ୍ରଦାନ କରାଯିବା, ଯେଉଁ ନିର୍ମାଣ ଶ୍ରମିକମାନେ ପେନସନ ପାଇବା ପାଇଁ ହକ୍‌ଦାର ସେମାନେ ଯଦି ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପେନସନ ଫର୍ମ ଆବେଦନ କରିଥିବେ ତାହା ଉପରେ ତୁରନ୍ତ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାରେ ଆବେଦନ କରାଯାଇଥିବା ଶ୍ରମିକଙ୍କୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବା, ଟୁଲ୍‌ସ, ସେପ୍‌ଟି କିଟ୍‌, ସାଇକେଲ ଯେଉଁ ନିର୍ମାଣ ଶ୍ରମିକମାନଙ୍କୁ ପ୍ରଦାନ କରାଯାଇନାହିଁ ସେମାନଙ୍କୁ ତୁରନ୍ତ ପ୍ରଦାନ କରିଯିବା ଦାବି ଆଦି ଅର୍ନ୍ତଭୂକ୍ତ ଅଟେ । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ସଭାପତି ବୈକୁଣ୍ଠ ବିହାରୀ ନାୟକ, ସମ୍ପାଦକ ଭାଗୀରଥି ବେହେରା, କୋଷାଧକ୍ଷ ସନ୍ତୋଷ କୁମାର ଭୂୟାଁ, ଭାରତୀୟ ମଜଦୂର ସଂଘର କଟକ ଜିଲ୍ଲା ପ୍ରଭାରି ଅକ୍ଷୟ କୁମାର ଦାସଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *