ନିଆରା ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କଲେ ଆଠଗଡ଼ର କ୍ଷତିଗ୍ରସ୍ତ ପରିବା ଚାଷୀ

ନିଆରା ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କଲେ ଆଠଗଡ଼ର କ୍ଷତିଗ୍ରସ୍ତ ପରିବା ଚାଷୀ

News by Maheswar Behera (Athagarh)

#ଆଠଗଡ(ଏନ୍‌.ଏମ୍‌.): ଆଠଗଡ଼ ପ୍ରତି ସରକାର ଅବହେଳା କରିଛନ୍ତି ବୋଲି ଅଞ୍ଚଳର ଚାଷୀ ଅଭିଯୋଗ କରିଛନ୍ତି । ଗୋଟିଏ ପଟେ ରାଜ୍ୟସରକାର କୃଷିର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବା ଡିଣ୍ଡିମ ପିଟୁଥିବାବେଳେ ଏହି ଅଞ୍ଚଳ ଗୋଟିଏ କୃଷି ପ୍ରବଣ ଅଞ୍ଚଳ ହୋଇଥିଲେ ମଧ୍ୟ ଶୀତଳ ଭଣ୍ଡାରଟିଏ କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ । ତେଣୁ ସରକାର ଅଞ୍ଚଳର ଚାଷୀମାନଙ୍କ ପ୍ରତାରିତ କରିଛନ୍ତି ବୋଲି ସଂଗୀନ ଅଭିଯୋଗ ଆଣିଛନ୍ତି ଅଞ୍ଚଳର ଶତାଧିକ ଚାଷୀ । ଏହାର ପ୍ରତିବାଦରେ ଆଜି ସମାଜସେବୀ ଅଭୟ ବାରିକଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଶୀତଳ ଭଣ୍ଡାର ପୁନରୁଦ୍ଧାର ଅଥବା ନୂତନ ଶୀତଳ ପ୍ରତିଷ୍ଠା ଦାବିରେ ରାଜରାସ୍ତାକୁ ଆସି ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଆଠଗଡରେ ଶୀତଳ ଭଣ୍ଡାର ଦୀର୍ଘ ୩୨ ବର୍ଷ ହେବ ଅଚଳ ହୋଇ ପଡ଼ିଛି । ଶୀତଳ ଭଣ୍ଡାର ନଥିବାରୁ ଚାଷୀମାନେ ଅମଳ ସମୟରେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଅମଳ ସମୟରେ ବଳକା ପନିପରିବା ଗୁଡ଼ିକୁ ଶୀତଳ ଭଣ୍ଡାରରେ ସଂରକ୍ଷିତ ରଖି ଚାଷୀ ପରେ ଉଚିତ୍ ମୂଲ୍ୟରେ ବିକ୍ରି କରିପାରନ୍ତେ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି । ପୁନଶ୍ଚ ଆଠଗଡ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦୀର୍ଘ ୨୯ ବର୍ଷ ଧରି ଅଞ୍ଚଳକୁ ପ୍ରତିନିଧିତ୍ୱ କରିବା ସହ ୩ଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ୱ ସମ୍ପନ୍ନ କରିଛନ୍ତି । ମାତ୍ର ତାଙ୍କର ଇଛାଶକ୍ତିର ଅଭାବରୁ ଆଠଗଡରେ ସେମିତି କିଛି ଉନ୍ନତି ନଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଆଜି ଶ୍ରୀ ବାରିକଙ୍କ ନେତୃତ୍ୱରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ପରିବା ଗୁଡ଼ିକୁ ମୁଣ୍ଡରେ ବୋହି ଆଣି ଆଠଗଡ଼ ସହରରେ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ବିରୋଧରେ ନାରାବାଜି କରିଥିଲେ । ସେଠାରେ ଚାଷୀ ମାନେ ଆଣି ଥିବା ପରିବାକୁ ରଖି ଧାରଣାରେ ବସିଥିଲେ । ଏହି ଅବସରରେ ଶ୍ରୀ ବାରିକ ଆୟୋଜିତ ପ୍ରତିବାଦ ସଭାରେ ମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରିବା ସହ ସେ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିବା ସମ୍ପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇରେ ନିଶ୍ଚୟ ଅଭିଯୋଗ କରିବେ ବୋଲି ସୂଚନା ଦେଇଥିଲେ । ସେହିଭଳି ମହାନଦୀ ଆଠଗଡର ଜୀବନ ରେଖା ହୋଇଥିଲେ ମଧ୍ୟ ଜଳସେଚନ ଅଭାବରୁ ଚାଷୀ ମରୁଡ଼ିର ସମ୍ମୁଖୀନ ହେଉଛି । ନିଜସ୍ୱ ଜଳସେଚନ ବ୍ୟବସ୍ଥାରେ ଯେଉଁ ଫସଲ ଓ ପନିପରିବା ଅମଳ କରୁଛି ତାହା ସ୍ୱଳ୍ପ ମୂଲ୍ୟରେ ବିକ୍ରି କରୁଛି । ଏବେ କୋବି ଗୋଟା ଦୁଇରୁ ତିନି ଟଙ୍କା ମୂଲ୍ୟରେ ବିକ୍ରି କରୁଛି । ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ବାରମ୍ବାର ଅନୁରୋଧ ଚାଷୀମାନେ କରିବା ସତ୍ତ୍ୱେ ମନ୍ତ୍ରୀ କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗରେ ଦର୍ଶାଇଥିଲେ । ଏହି ଅବସରରେ ଉପଜିଲ୍ଲାପାଳଙ୍କ ଅନୁପସ୍ଥତିରେ ସହକାରୀ ଜିଲ୍ଲାପାଳ ଦିପ୍ତିମୟୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ବାରିକଙ୍କ ସମେତ ଶତାଧିକ ଚାଷୀମାନଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିବା ଶହ ବୋହି ଆଣିଥିବା କୋବି ଗୁଡ଼ିକୁ ମନ୍ତ୍ରୀଙ୍କ ନିକଟକୁ ପଠାଇ ଦେବାକୁ ସହକାରୀ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁନିଲ ସୁତାର, ସରୋଜ ଦାସ, ପ୍ରଶାନ୍ତ ରାଉତ ପ୍ରମୁଖ ନେତୃତ୍ୱ ନେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *