ଦେଶର ବିଭିନ୍ନ ରାଜ୍ୟରେ ରାଜ୍ୟପାଳଙ୍କ ବଦଳି: ୮ଟି ରାଜ୍ୟରେ ନୂଆ ରାଜ୍ୟପାଳ

ଦେଶର ବିଭିନ୍ନ ରାଜ୍ୟରେ ରାଜ୍ୟପାଳଙ୍କ ବଦଳି: ୮ଟି ରାଜ୍ୟରେ ନୂଆ ରାଜ୍ୟପାଳ


ନୂଆଦିଲ୍ଲୀ (ଏଜେନ୍ସି): ଦେଶର ୮ ରାଜ୍ୟରେ ରାଜ୍ୟପାଳଙ୍କ ବଦଳି କରାଯାଇଛି । ଏଥିସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୮ଟି ଯାକ ରାଜ୍ୟ ପାଇଁ ୮ ଜଣ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି । ନୂଆ ବିଜ୍ଞପ୍ତି ଅନୁସାରେ, କର୍ଣ୍ଣାଟକର ରାଜ୍ୟପାଳ ଭାବେ ଥାୱରଚାନ୍ଦ ଗେହଲଟଙ୍କୁ ନିଯୁକ୍ତି ମିଳିଛି । ତେବେ ଗେହଲଟ ବର୍ତ୍ତମାନ ମୋଦି ସରକାରରେ ସାମାଜିକ ନ୍ୟାୟ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ତେଣୁ କ୍ୟାବିନେଟ ଅଦଳବଦଳ ପୂର୍ବରୁ ତାଙ୍କୁ ରାଜ୍ୟପାଳ କରି ପଠାଯାଇଛି । ସେହିପରି ମିଜୋରାମର ରାଜ୍ୟପାଳ ଭାବେ ହରିଭାଇ କମ୍ଭଂପତି, ମଧ୍ୟପ୍ରଦେଶର ରାଜ୍ୟପାଳ ମଙ୍ଗୁଭାଇ ଛଗନ ଭାଇ ପଟେଲ, ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ରାଜେନ୍ଦ୍ର ବିଶ୍ୱନାଥ ଆଲେରକର, ହରିଆଣାର ରାଜ୍ୟପାଳ ଭାବେ ବନ୍ଦାରୁ ଦତ୍ତାତ୍ରେୟ, ଗୋଆର ରାଜ୍ୟପାଳ ଭାବେ ପି.ଏସ. ଶ୍ରୀଧରନ ପିଲାଇ, ଝାରଖଣ୍ଡର ରାଜ୍ୟପାଳ ଭାବେ ରମେଶ ବୈଶ ଓ ତ୍ରିପୁରାର ରାଜ୍ୟପାଳ ଭାବେ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ନିଯୁକ୍ତି ଦିଆଯାଉଛି । ଅନ୍ୟପକ୍ଷରେ ବନ୍ଦାରୁ ଦତ୍ତାତ୍ରେୟା ପୂର୍ବରୁ ହିମାଚଳ ପ୍ରଦେଶ ରାଜ୍ୟପାଳ ଭାବେ ଦାୟିତ୍ୱରେ ରହିଥିଲେ; ଏବେ ତାଙ୍କୁ ହରିଆଣାର ରାଜ୍ୟପାଳ ଦାୟିତ୍ୱ ମିଳିଛି । ହରିଆଣା ରାଜ୍ୟପାଳ ଭାବେ କାମ କରୁଥିବା ସତ୍ୟଦେବଙ୍କୁ ତ୍ରିପୁରା ରାଜ୍ୟପାଳ କରାଯାଇଥିବାବେଳେ ତ୍ରିପୁରା ରାଜ୍ୟପାଳ ଭାବେ କାମ କରୁଥିବା ରମେଶ ବୈଶଙ୍କୁ ଝାରଖଣ୍ଡ ରାଜ୍ୟପାଳ କରାଯାଇଛି । ମିଜୋରାମ ରାଜ୍ୟପାଳ ଭାବେ କାମ କରୁଥିବା ପି.ଏସ୍‌. ଶ୍ରୀଧରନ ପିଲାଇଙ୍କୁ ଗୋଆ ରାଜ୍ୟପାଳ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଗୋଆ ରାଜ୍ୟପାଳ ସହ ମହାରାଷ୍ଟ୍ର ରାଜ୍ୟପାଳ ଭାବେ ଭଗତ ସିଂହ କୋଶିୟାରୀ କାମ କରୁଥିଲେ । ଏବେ ସେ କେବଳ ମହାରାଷ୍ଟ୍ର ଦାୟିତ୍ୱରେ ରହିବେ । ଆନନ୍ଦିବେନ ପଟେଲ ଉଭୟ ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶ ରାଜ୍ୟପାଳ ଦାୟିତ୍ୱରେ ଥିଲେ । ଏବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ମଙ୍ଗୁଭାଇ ଛଗନ ଭାଇ ପଟେଲଙ୍କୁ ଦାୟିତ୍ୱ ଦେଇଛନ୍ତି । ତେଣୁ ଆନନ୍ଦିବେନ ପଟେଲ କେବଳ ଉତ୍ତର ପ୍ରଦେଶ ଦାୟିତ୍ୱରେ ରହିବେ । କର୍ଣ୍ଣାଟକ ରାଜ୍ୟପାଳ ଭାବେ ବଜୁଭାଇ ଭାଲା ୨୦୧୪ରୁ କାର୍ଯ୍ୟ କରୁଥିଲେ । ଏବେ ତାଙ୍କ ସ୍ଥାନରେ ଥୱରଚାନ୍ଦ ଗେହଲଟ ଦାୟିତ୍ୱ ନେବେ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *