ଦାଦନ ଶ୍ରମିକକୁ ବନ୍ଧକ ଘଟଣା: ସର୍ଦାର ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରମ ବିଭାଗ ତତ୍ପର, ନିଦାବିଷ୍ଣୁ ପାଲଟିଛି ପୁଲିସ

ଦାଦନ ଶ୍ରମିକକୁ ବନ୍ଧକ ଘଟଣା: ସର୍ଦ୍ଦାର ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରମ ବିଭାଗ ତତ୍ପର, ନିଦାବିଷ୍ଣୁ ପାଲଟିଛି ପୁଲିସ


#ପାଟଣାଗଡ଼(ଏନ୍‌.ଏମ୍‌.): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଖଲିଆ ଗାଁର ଦାଦନ ଶ୍ରମିକ ପରିବାରକୁ ସର୍ଦ୍ଦାର ବନ୍ଧକ ରଖି ଟଙ୍କା ଅସୁଲ କରିବା ଘଟଣାରେ ଶ୍ରମ ବିଭାଗ ପକ୍ଷରୁ ତତ୍ପରତା ଦେଖା ଦେଇଛି ସମ୍ପୃକ୍ତ ଦାଦନ ସର୍ଦ୍ଦାର ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଦାଦନ ସର୍ଦାର ଜଣକ କେବେ ଗିରଫ ହେବ ତାକୁ ନେଇ ଅପେକ୍ଷା । ଅନ୍ୟପଟେ ବାରମ୍ବାର ଖବର ପ୍ରକାଶିତ ହେବା ପରେ ମଧ୍ୟ ନିଦାବିଷ୍ଣୁ ସାଜିଛି ପାଟଣାଗଡ଼ ପୁଲିସ । ମୁଖ୍ୟ ଅଭିଯୁକ୍ତ କୁହାଯାଉଥୁବା ସର୍ଦ୍ଦାରକୁ ଗିରଫ କରିବା ବଦଳରେ ତାକୁ ସୁରକ୍ଷା ଦେଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବା ସହ ଲୋକଙ୍କ ମନରେ ସ୍ଥାନୀୟ ପୁଲିସ ପ୍ରତି ଭରଷା ତୁଟିବାରେ ଲାଗିଛି । ତେବେ ସର୍ଦାର ସମସ୍ତଙ୍କୁ ହାତଗୁଞ୍ଜା ଦେଇ ମୁହଁ ବନ୍ଦ କରିଦେଇ ଥିବା ମଧ୍ୟ ଚର୍ଚ୍ଚା ହେଉଛି । ଏମିତିରେ ନିରୀହ ପରିବାର ଆଉ କାହାକୁ ଗୁହାରି କରିବେ । ମିଳିଥିବା ସୂଚନା ଅନୁସାରେ ଗତ ୨୦୨୩ ମସିହା ଡିସେମ୍ବର ୧୧ତାରିଖ ଦିନ ବେଲପଡା ଥାନା ଡୁଙ୍ଗରିଗୁଡା ଗାଁର ଦାଦନ ସର୍ଦ୍ଦାର ଶିବ ସା ପାଟଣାଗଡ଼ ଥାନା ଖଲିଆ ଗ୍ରାମର ସୁଦର୍ଶନ ଓ ତାଙ୍କ ପରିବାରକୁ ୭୦ ହଜାର ଟଙ୍କା ବଇନା ନେଇ ତେଲେଙ୍ଗାନାର ପଇଦାପଲ୍ଲୀ ଅଞ୍ଚଳକୁ ବେଆଇନ ଭାବେ ଚାଲଣ କରିଥିଲା । ସାଙ୍ଗରେ ସ୍ତ୍ରୀ ସବିତା ଏବଂ ନିଜ ବୁଢ଼ୀ ମା’ ବି ଯାଇଥିଲେ । ଘରୁ ଇଟା ବୋହିବା କହି ସେଠାକୁ ଯିବା ପରେ ତତଲା ଇଟାକୁ କାଢ଼ିବାକୁ ସର୍ଦ୍ଦାର ବାଧ୍ୟ କରିଥିଲା । ତତଲା ଇଟା ଯୋଗୁ ସୁଦର୍ଶନଙ୍କ ଶରୀରର ବିଭିନ୍ନ ସ୍ଥାନ ପୋଡି ଯାଇଛି । ଗତ ୨ ମାସ ଧରି ଏମିତି କାମ କରିବା ପରେ ଏହାକୁ ପ୍ରତିବାଦ କରିଥିଲେ ସ୍ୱାମୀ ସ୍ତ୍ରୀ । ଯାହାକୁ ନେଇ ପରିବାର ସମସ୍ତଙ୍କୁ ଏକ କଠୋରୀରେ ବନ୍ଦୀ କରିବା ସହ ସୁଦର୍ଶନଙ୍କୁ ମାଡ଼ ମାରିବା ସହ ତାଙ୍କ ପତ୍ନୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ଇଟାଭାଟି ମାଲିକ ଏବଂ ତାଙ୍କ ଲୋକ । ପରେ ନେଇଥିବା ବଇନା ଟଙ୍କା ଠାରୁ ଢେର ଗୁଣା ଟଙ୍କା ଫେରସ୍ତ କରିବା ପରେ ଛାଡିବାକୁ ସେମାନେ କହିଥିଲେ । ସୁଦର୍ଶନ ଗାଁରେ ଥିବା ନିଜ ଭାଇମାନଙ୍କୁ ଫୋନ କରି କହିବାରୁ ପାଖରେ ଥିବା ଜମି, ଗାଡିକୁ ବିକ୍ରି କରି ଟଙ୍କା ଯୋଗାଡ଼ କରିଥିଲେ ପରିବାର । ପରେ ଶିବ ପାଖକୁ ଗାଁର ୱାର୍ଡ ମେମ୍ବର ସହ କିଛି ଭଦ୍ରବ୍ୟକ୍ତି ଟଙ୍କା ନେଇ ଗୁହାରି କରିବା ପରେ ଗତ ୧୪ ତାରିଖରେ ସୁଦର୍ଶନଙ୍କ ସହ ବନ୍ଦୀ ଥିବା ପରିବାର ଛାଡି ଦେଇଥିଲା । କିନ୍ତୁ ୭୦ ହଜାର ଟଙ୍କା ସ୍ଥାନ ରେ୯୦ ହଜାର ଟଙ୍କା ନେଇଥିଲା ଶିବ । ଏମିତି କି ଦୁଇ ମାସ ଧରି କାମ କରିବା ବାବଦ ପାରିଶ୍ରମିକ ବି ଦିଆଯାଇ ନାହିଁ । ଶ୍ରମିକ ପରିବାର ଭୟରେ ଗାଁକୁ ଚାଲି ଆସିଥିବା ବେଳେ ଅସୁସ୍ଥ ଥିବା ସ୍ୱାମୀକୁ ଚିକିତ୍ସା କରୁଛନ୍ତି ସ୍ତ୍ରୀ । ଘରେ ଥିବା ସବୁତକ ଟଙ୍କା ଦାଦନ ସର୍ଦାରକୁ ଦେଇ ଦେଇଥିବାରୁ ଏବେ କେମିତି ଚଲିବେ ତାକୁ ନେଇ ଚିନ୍ତାରେ । ଏନେଇ କାହାକୁ କିମ୍ବା ପୁଲିସ ଠାରେ ଅଭିଯୋଗ କଲେ ସମସ୍ତଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଛି ଦାଦନ ସର୍ଦ୍ଦାର ।ଯାହାକୁ ନେଇ ପରିବାର ସମସ୍ତେ ଭୟଭୀତ ଅଛନ୍ତି । ଏନେଇ ଖବର ପ୍ରକାଶିତ ପରେ ସମ୍ପୃକ୍ତ ସର୍ଦ୍ଦାର ଭୟରେ ପରିବାର ଲୋକଙ୍କୁ ୪୦ ହଜାର ଟଙ୍କା ଦେଇଥିବା ପରିବାର ଲୋକ ପ୍ରକାଶ କରିଛନ୍ତି । କିନ୍ତୁ ପୁଲିସ କି କାହା ଆଗରେ କିଛି ନକହିବାକୁ ମଧ୍ୟ ସମ୍ପୃକ୍ତ ସର୍ଦ୍ଦାର ଧମକ ଚକମ ଦେଇଥିବା ସୁଦର୍ଶନ କହିଛନ୍ତି । ଯାହାକୁ ନେଇ ପରିବାର ଲୋକ ଭୟଭୀତ ଥିବାବେଳେ ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ତାଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ସମ୍ପୃକ୍ତ ପରିବାରକୁ ନ୍ୟାୟ ଦେବାକୁ ଦାବି ହେଉଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *