ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଙ୍କଡାହାଡରେ ‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଙ୍କଡାହାଡରେ ‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ
ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଢେଙ୍କାନାଳର ୧୦ ଲକ୍ଷ ହିତାଧିକାରୀଙ୍କ ପାଇଁ ମାସିକ ୨୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ମୋଦି ସରକାର-ଧର୍ମେନ୍ଦ୍ର ପ୍ରଧାନ


#କଙ୍କଡାହାଡ(ଏନ୍‌.ଏମ୍‌.): ମୋଦି ସରକାରରେ ଓଡ଼ିଶାର ସମ୍ମାନ, ଗୌରବ ଓ ଓଡିଆ ଅସ୍ମିତାକୁ ପ୍ରାଥମିକତା ଦିଆଯିବା ଦେବା ସହ ବିଗତ ୯ ବର୍ଷରେ ଅନେକ ଜନକଲ୍ୟାଣକାରୀ କାମ ହୋଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡ଼ିଶାର ୩ କୋଟି ୨୫ ଲକ୍ଷ ହିତାଧିକାରୀ ଏବଂ ଢେଙ୍କାନାଳର ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କ ପାଇଁ ବ୍ୟକ୍ତି ପିଛା ମାସିକ ଦିଆଯାଉଥିବା ଚାଉଳ ପାଇଁ ମୋଦି ସରକାର ୨୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହି ହିସାବରେ ମୋଦି ସରକାର କେବଳ ଢେଙ୍କାନାଳର ହିତାଧିକାରୀଙ୍କ ପାଇଁ ମାସିକ ୨୦କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଙ୍କଡାହାଡରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତିି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ମୋଦି ସରକାରଙ୍କ ଶାସନର ୯ ବର୍ଷ ପୂରଣ ହୋଇଛି । ବିଗତ ୯ ବର୍ଷକୁ ସମୀକ୍ଷା କଲେ ଅନେକ ଗରିବ କଲ୍ୟାଣକାରୀ ଯୋଜନା ଭାରତର ସବୁ ଗରିବଙ୍କ ପାଇଁ ଉପଲବ୍ଧ ହୋଇଛି । ଢେଙ୍କାନାଳ ପାଇଁ ହୋଇଥିବା କଲ୍ୟାଣକାରୀ ଯୋଜନାର ହିସାବ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ପ୍ରାୟ ୮୦ ହଜାର ଏବଂ ପିଏମ ଆବାସ ଯୋଜନାରେ ସହରରେ ପ୍ରାୟ ୧୦ ହଜାର ଘର ମୋଦି ଦେଇଛନ୍ତି । କଙ୍କଡାହାଡ଼ରେ ୧୦ ହଜାର ୭୧୨ ଘର ନିର୍ମାଣ ପାଇଁ ଲକ୍ଷ୍ୟ ରହିଥିବା ବେଳେ ମୋଦି ସରକାର ଏଥିପାଇଁ ୧୨୯ କୋଟି ଟଙ୍କା ଦେଇଛନ୍ତି ।
ସେହିପରି ଢେଙ୍କାନାଳ ଜିଲ୍ଲାରେ ପ୍ରାୟ ୨ଲକ୍ଷ ହିତାଧିକାରୀଙ୍କ ଘରେ ଉଜ୍ଜଳା ଯୋଜନାରେ ମାଗଣା ରନ୍ଧନ ଗ୍ୟାସ ଦିଆଯାଇଛି । ଏଥିପାଇଁ ମୋଦି ସରକାର ପ୍ରାୟ ୩୨ କୋଟି ପ୍ରଦାନ କରିଛନ୍ତି । ଜିଲ୍ଲାକୁ ସୌଭାଗ୍ୟ ଯୋଜନାରେ ଶତପ୍ରତିଶତ ବିଦ୍ୟୁତିକରଣ ହୋଇଛି । ମା’ମାନଙ୍କର ବିକାଶ ପାଇଁ ଋଣ ଦିଆଯାଇଛି । ଢେଙ୍କାନାଳର ୭ ଲକ୍ଷ ୬ ହଜାର ୫୭୬ ଜଣ ହିତାଧିକାରୀଙ୍କୁ ମୁଦ୍ରା ଯୋଜନା ରେ ୨୭୭୯ କୋଟି ଟଙ୍କାର ଋଣ ଦେବା ପାଇଁ ଅନୁମୋଦନ ଦିଆଯାଇଛି । ମାତ୍ର ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବାରୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନା ପାରୁନାହିଁ । କଙ୍କଡାହାଡ ଓ ଢେଙ୍କାନାଳର ବିକାଶ ପାଇଁ ପ୍ରଧାନମନ୍ତ୍ରୀ କୋଟି କୋଟି ଟଙ୍କା ଦେଉଥିଲେ ମଧ୍ୟ ଓଡ଼ିଶାରେ ଦାୟିତ୍ୱରେ ଥିବା ଲୋକମାନେ ସେହି ଟଙ୍କାକୁ ଗରିବ ଲୋକଙ୍କ ବିକାଶ କାମରେ ଖର୍ଚ୍ଚ ନ କରୁନାହାନ୍ତି, ଯାହା ଦୁଃଖଦାୟକ । ଆନ୍ତରିରତା ଅଭାବ କାରଣରୁ ଓଡ଼ିଶାରେ ଗରିବଙ୍କୁ ଘର ମିଳୁନାହିଁ । ପ୍ରତି ଘରକୁ ପିଇବା ପାଣି ପହଞ୍ଚି ପାରୁନାହିଁ । ମହିଳାଙ୍କର ବିକାଶ ହୋଇପାରୁନାହିଁ । ମୋଦି ପଠାଉଥିବା ଟଙ୍କା ଗରିବଙ୍କ କାମରେ ଆସୁନାହିଁ । ପିଏମ ମୋଦି ପାଇପ ଯୋଗେ ଢେଙ୍କାନାଳର ଢେଙ୍କାନାଳରେ ୨ଲକ୍ଷ ୨ହଜାର ୫୨୯ ହିତାଧିକାରୀଙ୍କ ଘରକୁ ପାଇପ ଯୋଗେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇବାର ବ୍ୟବସ୍ଥା କରିଥିବା ବେଳେ ରାଜ୍ୟ ସରକାର ଏହାକୁ କ୍ରିୟାନ୍ୱୟନ କରିବାରେ ବିଫଳ ହେଉଛନ୍ତି । ୨୩ ବର୍ଷ ଶାସନରେ ଏଠାରେ ପାନୀୟ ଜଳର ସମସ୍ୟା ଅଛି । ଅଞ୍ଚଳର ମାଆ ଭଉଣୀମାନେ ଗାଁରେ ପାନୀୟ ଜଳ ସମସ୍ୟା ନେଇ ଅଭିଯୋଗ କରୁଛନ୍ତି । ରାମିଆଳ କେନାଲରେ ଥିବା ପାଣିର ସୁବିନିଯୋଗ ହେଉନାହିଁ । ଢେଙ୍କାନାଳବାସୀ, କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ରାଜ୍ୟ ସରକାରଙ୍କୁ ଏହାର ଜବାବ ନିଶ୍ଚୟ ଦେବେ । ଆଜି ଦେଶରେ ମୋଦିଜୀ ଜନସେବକର ଦାୟିତ୍ୱ ନେବା ସହ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ଧାନର ଏମଏସପି ପ୍ରତିବର୍ଷ ବୃଦ୍ଧି କରିବା ସହ ଚାଷୀ କଲ୍ୟାଣକୁ ପ୍ରାଥମିକତା ଦେଉଛନ୍ତି । ଗରିବଙ୍କ ସେବା ସହ ମା’ ଭଉଣୀ ମାନଙ୍କୁ ସ୍ୱାବଲମ୍ବୀ କରିବା, ଯୁବବର୍ଗଙ୍କୁ ରୋଜଗାର ଦେବା ଓ ଜନତାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ମୋଦି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ପୂର୍ବରୁ ଖଣି ନିଲାମ ପାଇଁ ଓଡ଼ିଶାକୁ ୫ ହଜାର କୋଟି ମିଳୁଥିଲା ଏବଂ ପୁଞ୍ଜିପତିମାନେ ଧନୀ ହେଉଥିଲେ । ଏବେ ମୋଦି ସରକାରରେ ଖଣି ନୀତି ସଂସ୍କାର ଓ ଡିଏମଏଫ କାରଣରୁ ଗରିବ ଲୋକମାନେ ଲାଭ ପାଉଛନ୍ତି । ମାତ୍ର ଢେଙ୍କନାଳରେ ଡିଏମଏଫରୁ ଆଦାୟ ହେଉଥିବା ଅର୍ଥ ଗରିବଙ୍କ ମୌଳିକ ସୁବିଧା ଓ ଚିକିତ୍ସା ପାଇଁ ଉପଯୋଗ ହେଉନାହିଁ । ଓଡ଼ିଶାରେ ଡବଲ ଇଞ୍ଜିନ ଲାଗିଲେ ହିଁ ଓଡ଼ିଶାର ବିକାଶ ହେବ । ପ୍ରଧାନମନ୍ତ୍ରୀଙ୍କ ସରକାର ଲୋକ କଲ୍ୟାଣ, ଗରିବ, ମାଆ ଭଉଣୀ, ଯୁବବର୍ଗଙ୍କ କଲ୍ୟାଣ ଏବଂ ସ୍ୱାଭିମାନୀ ଓଡ଼ିଶା ଓ ଭାରତ ପାଇଁ ବଦ୍ଧ ପରିକର ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେ କହିଛନ୍ତି ଯେ ଢେଙ୍କାନାଳର ମାଟି ବୀର ସଂଗ୍ରାମୀଙ୍କ ମାଟି । ବୀର ସଂଗ୍ରାମୀ ସାରଙ୍ଗଧର ଦାସ, ବୈଷ୍ଣବ ଚରଣ ପଟ୍ଟନାୟକ, ମହେଶ୍ଚନ୍ଦ୍ର ସୁବାହୁ ସିଂହ ଓ ସହିଦ ବାଜି ରାଉତଙ୍କ ପୁଣ୍ୟ ଜନ୍ମଭୂମି । ଏହି ମାଟି କେବେ ଇଂରେଜଙ୍କୁ ଭ୍ରୁକ୍ଷେପ କରିନଥିଲା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *