ଜୟଦେବ ଭବନ ଠାରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ


ଭୁବନେଶ୍ୱର (ଏନ୍‌.ଏମ୍‌.): ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରାଗାନ୍ଧିଙ୍କ ତିରୋଧାନ ଦିବସ ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥିମାନେ ସ୍ୱର୍ଗୀୟ ଇନ୍ଦିରାଗାନ୍ଧିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଉଭୟ ମଞ୍ଚ ଓ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁ ନନ୍ଦନ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ୩୧ ଅକ୍ଟୋବର ସ୍ୱର୍ଗୀୟା ଇନ୍ଦିରାଗାନ୍ଧିଙ୍କ ତିରୋଧାନ ଦିବସ ଓ ଦେଶର ଅନ୍ୟତମ ରାଷ୍ଟ୍ରନିର୍ମାତା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଉଭୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ, ୧୯୮୪ ମସିହାରେ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧି ଯେପରି ହିଂସାର ଶିକାର ହୋଇ ନିଜ ଅଙ୍ଗରକ୍ଷୀଙ୍କ ଗୁଳିରେ ଦେଶର ପ୍ରଧାନମନ୍ତ୍ରୀ ଥିବା ଅବସ୍ଥାରେ ଦେଶ ପାଇଁ ପ୍ରାଣ ବଳି ଦେଇଥିଲେ, ତାହା ସବୁଦିନ ପାଇଁ ଜାତୀୟ ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ଦେଶର ଅଖଣ୍ଡତାରେ ବିଶ୍ୱାସ କରୁଥିବା ଦୃଢମନା ଇନ୍ଦିରା ଗାନ୍ଧୀ ଭାରତରେ ବିଚ୍ଛିନ୍ନତାବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ସହିତ ଦେଶରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ । ତାଙ୍କ ପରି ଦୃଢମନା ମହିଳାଙ୍କ ବ୍ୟକ୍ତିତ୍ୱର ପ୍ରଭାବ ଦେଶର ଭବିଷ୍ୟତ ପିଢିଙ୍କୁ ପ୍ରେରଣା ଯୋଗାଉଥିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ବିଶିଷ୍ଟ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ ଯୋଗଦେଇ କହିଲେ ଯେ, ଆମେ ଆଜି ଯେତେବେଳେ ଭାରତ-ପାକିସ୍ତାନ ୧୯୭୧ ମସିହା ଯୁଦ୍ଧର ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ କରୁଛୁ, ସେହି ଯୁଦ୍ଧରେ ଭାରତକୁ ନେତୃତ୍ୱ ଦେଇ ବିଜୟ ଲାଭ କରିବା ଓ ବାଂଲାଦେଶକୁ ନୂଆଦେଶ ଭାବେ ସ୍ୱୀକୃତି ଦେବାରେ ଇନ୍ଦିରା ପ୍ରିୟଦର୍ଶିନୀଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା । ଦେଶ ପାଇଁ କାମ କରିବାରେ ତାଙ୍କର ଯେଉଁ ସଂକଳ୍ପ ରହିଥିଲା, ସେହି ଆଦର୍ଶ ଆଜିର ଯୁବସମାଜକୁ ଅନୁପ୍ରାଣିତ କରୁ ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସଂପାଦକ ଡକ୍ଟର ଲେନିନ୍ ମହାନ୍ତି ଯୋଗଦେଇ ଲୌହମାନବୀ ବା ଆଇରନ୍ ଲେଡି ଭାବେ ପରିଚିତା ସ୍ୱର‌୍ୟୀୟା ଇନ୍ଦିରା ଗାନ୍ଧିଙ୍କର ଭାବମୂର୍ତ୍ତି ସମଗ୍ର ବିଶ୍ୱରେ ଅନନ୍ୟ ରହିଥିଲା ବୋଲି ପ୍ରକାଶ କରିଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରି କରି ରାଷ୍ଟ୍ରୀୟ ସଂକଳ୍ପ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗର ସହକାରୀ ନିର୍ଦ୍ଦେଶକ ସୂଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *