ଘରୋଇ ଡ୍ରାଇଭରମାନଙ୍କ ଦାବି ୩ମାସ ମଧ୍ୟରେ ପୂରଣ ହେବ: ମନ୍ତ୍ରୀ

ଘରୋଇ ଡ୍ରାଇଭରମାନଙ୍କ ଦାବି ୩ମାସ ମଧ୍ୟରେ ପୂରଣ ହେବ: ମନ୍ତ୍ରୀ


ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ରାଜ୍ୟ ଘରୋଇ ଡ୍ରାଇଭର ମହାସଂଘ ତରଫରୁ ବିଭିନ୍ନ ଦାବି ନେଇ ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ବିକ୍ଷୋଭ କରାଯାଇଛି । ରାଜ୍ୟର ୩୦ଟି ଜିଲ୍ଲାରୁ ଘରୋଇ ଡ୍ରାଇଭରମାନେ ବହୁସଂଖ୍ୟାରେ ଧାରଣାରେ ସାମିଲ ହୋଇଥିଲେ । ଡ୍ରାଇଭରମାନେ ସ୍ୱଳ୍ପ ଦରମାରେ କାର୍ଯ୍ୟ କରୁଥିବାବେଳେ ସେମାନଙ୍କ ଲାଗି ଜୀବନବୀମା କରାଇବା ଓ ଅବସର ପରେ ପେନ୍‌ସନ୍ ପ୍ରଦାନ କରିବା ସହିତ ବିଭିନ୍ନ ଦାବି ନେଇ ଧାରଣା ଦେଇଥିଲେ । ତତ୍‌କ୍ଷଣାତ୍ ରାଜ୍ୟ ସରକାରଙ୍କ ତରଫରୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ମହାସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇ ରାଜ୍ୟର ଘରୋଇ ଡ୍ରାଇଭରମାନଙ୍କର ବିଭିନ୍ନ ପ୍ରକାର ସମସ୍ୟାକୁ ସମାଧାନ କରିବା ପାଇଁ ଆଲୋଚନା କରାଯାଇଥିଲା । ଦେଶର ପଡ଼ୋଶୀ ରାଜ୍ୟମାନଙ୍କରେ ଘରୋଇ ଡ୍ରାଇଭରମାନଙ୍କୁ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ସୁବିଧାସୁଯୋଗ ଅନୁସାରେ ଆମ ରାଜ୍ୟରେ ତାହା କାର୍ଯ୍ୟକ୍ଷମ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।
ଆସନ୍ତା ୩ ମାସ ମଧ୍ୟରେ ଏସବୁଗୁଡ଼ିକୁ ଅନୁଧ୍ୟାନ କରାଯାଇ ଘରୋଇ ଡ୍ରାଇଭରମାନଙ୍କ ଦାବି ପୂରଣ କରାଯିବ ବୋଲି ବୈଠକ ପରେ ମନ୍ତ୍ରୀ ଶ୍ରୀ ବେହେରା ସାମ୍ବାଦିକମନଙ୍କୁ ସୂଚନା ଦେଇଛନ୍ତି । ଘରୋଇ ଡ୍ରାଇଭରମାନଙ୍କୁ କାର୍ଯ୍ୟସ୍ଥଳରେ ଯେପରି କୌଣସି ପ୍ରକାରର ହଇରାଣ କିମ୍ବା କୌଣସି ପ୍ରକାରର ଅସୁବିଧା ନହୁଏ ସେଥିପ୍ରତି ସଜାଗ ରହିବା ପାଇଁ ପୁଲିସ ପ୍ରଶାସନ ତରଫରୁ ରାଜ୍ୟର ସମସ୍ତ ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଘରୋଇ ଡ୍ରାଇଭରମାନଙ୍କର ନୂତନ ଡ୍ରାଇଭିଙ୍ଗ ଲାଇସେନ୍ସ ପ୍ରାପ୍ତି କିମ୍ବା ଲାଇସେନ୍ସ ରିନ୍ୟୁ କରିବା କାର୍ଯ୍ୟ ନେଇ ପରିବହନ ବିଭାଗ କାର୍ଯ୍ୟାଳୟକୁ ଗଲେ, ସେମାନଙ୍କୁ ପୂର୍ଣ୍ଣ ସହଯୋଗ ସହ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବା ନିମନ୍ତେ ରାଜ୍ୟର ସମସ୍ତ ପରିବହନ ଅଧିକାରୀ (ଆରଟିଓ)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ଘରୋଇ ଡ୍ରାଇଭରମାନଙ୍କ ଦାବିଗୁଡ଼ିକୁ ରାଜ୍ୟ ସରକାର ଅନୁଧ୍ୟାନ କରି ପୂରଣ କରିବା ନିମନ୍ତେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବେ । ଏହି କମିଟିରେ ୪ଟି ବିଭାଗ ଯଥା- ସ୍ୱରାଷ୍ଟ୍ର, ଅର୍ଥ, ପରିବହନ ଓ ଶ୍ରମ ବିଭାଗର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ରହିବେ । ଘରୋଇ ଡ୍ରାଇଭରମାନଙ୍କ ପାଇଁ ଅନ୍ୟ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସୁବିଧା ସୁଯୋଗଗୁଡ଼ିକୁ କମିଟି ଅନୁଧ୍ୟାନ କରି ରାଜ୍ୟରେ ଏହାକୁ ଆସନ୍ତା ୩ ମାସ ମଧ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରମ, କର୍ମଚାରୀ ରାଜ୍ୟବୀମା ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି । ଏହି ଉଚ୍ଚସ୍ତରୀୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଟକ ମେୟର ସୁବାଷ ସିଂହ, ଏଡିଜି (ଆଇନଶୃଙ୍ଖଳା) ଆର.କେ. ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ, ପରିବହନ କମିଶନର ଅରୁଣ ବୋଥ୍ରା, ଶ୍ରମ କମିଶନର ଏନ୍‌. ତିରୁମାଳା ନାୟକ, ଅତିରିକ୍ତ ଶ୍ରମ କମିଶନର ଏନ୍‌. ମିଶାଲ ଓ ଡିଏଲ୍‌ସି ବି. ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *