ଗୋଟିଏ ଆଖି ନଥାଇବି ମିଳୁନାହିଁ ଭତ୍ତା

ଗୋଟିଏ ଆଖି ନଥାଇବି ମିଳୁନାହିଁ ଭତ୍ତା


#ସୁବର୍ଣ୍ଣପୁରର (ଏନ୍‌.ଏମ୍‌.): ସରକାର ସମସ୍ତ ହିତାଧିକାରୀଙ୍କୁ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପ୍ରତାରଣାରେ ପରିଣତ ହୋଇଛି। ଏପରିକି ଜଣେ ଯୁବତୀଙ୍କ ଗୋଟିଏ ଆଖି ନଥାଇ ମଧ୍ୟ ସେ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ଗୋଟିଏ ପଟେ ସରକାର ସବକା ସାଥ ସବକା ବିକାଶ ବୋଲି ଡିଣ୍ଡିମ ପିଟୁଥିବାବେଳେ ଏହି ଯୁବତୀଙ୍କ କ୍ଷେତ୍ରରେ ସରକାରଙ୍କ ଘୋଷଣା କେବଳ କୁମ୍ଭୀର କାନ୍ଦଣା ସଦୃଶ ହୋଇଛି। ଏଭଳି ଅଭାବନୀୟ ଘଟଣା ଦେଖିôାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଅଧିନସ୍ଥ ଖେମାଲୋଏ ଏଚ ତେନ୍ତୁଳି ଖୋଲ ଗାଁ ରେ। ଯାହା ସ୍ଥାନୀୟ ପ୍ରଶାସନର ଖାମଖିଆଲି ନୀତିକୁ ସ୍ପଷ୍ଟ କରୁଛି। ଏହି ଗ୍ରାମର ୨୦ ବର୍ଷୀୟା ଯୁବତୀ ବାସନ୍ତି ହାତୀଙ୍କ ଦୁଃଖଭରା କାହାଣୀ ଅତ୍ୟନ୍ତ ଦୟନୀୟ। ଜନ୍ମରୁ ତାଙ୍କର ଗୋଟିଏ ଆଖି ନାହିଁ ଏବଂ ପିଲାଟି ଦିନରୁ ବାପା ମାଙ୍କୁ ହରାଇ ବହୁ କଷ୍ଟରେ ଜୀବନ ଅତିବାହିତ କରନ୍ତି। ଦେଖା ଯାଉନଥିବା ସେ ଆଖିରୁ ରକ୍ତ ପଡ଼ୁଥିବାରୁ ବଡ଼ବଡ଼ ସରକାରୀ ଡାକ୍ତରଖାନାମାନଙ୍କରେ ଚିକିତ୍ସିତ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ। ବାସନ୍ତି ପିଲାଟି ଦିନରୁ ମା’ ବାପାଙ୍କୁ ହରାଇ ଭାଗ୍ୟକୁ ଆଦରି ରହିଥିଲେ ସୁଦ୍ଧା ତାଙ୍କ ପାଇଁ ସରକାରୀ ସହାୟତା ଅପହଞ୍ଚ ହୋଇ ରହିଛି। ବାସନ୍ତି ଏ ନେଇ ସ୍ଥାନୀୟ ସରପଞ୍ଚ ଯଶୋବନ୍ତ ପଣ୍ଡାଙ୍କ ଗୋଡ ଧରି ନେହୁରା ହେଲେ ମଧ୍ୟ ତାଙ୍କୁ କୌଣସି ପ୍ରକାର ସହାୟତା ମିଳୁନଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବାସନ୍ତୀଙ୍କ ଗୋଟିଏ ଆଖି ନଥାଇ ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ମାତ୍ର ୩୦%ର ପ୍ରମାଣ ପତ୍ର ରହିଥିବାରୁ ସେ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ତେଣୁ ବାସନ୍ତୀ ନିଜ ପେଟକୁ ମୁଠାଏ ଦାନା ଯୋଗାଡ଼ କରିବା ତଥା ଔଷଧ ଖର୍ଚ୍ଚ ପାଇଁ ଦୁଃଖକୁ ଛାତିରେ ଚାପିଧରି ନିଜ ଗାଁର ସ୍ତ୍ରୀଲୋକଙ୍କ ସହିତ ପାଖ ଜଙ୍ଗଲକୁ ଯାଇ କିଛି ଶାଳ ପତ୍ର ଆଣି ସେଥିରେ ଖଲି ଦନା ତିଆରି କରି ବିକ୍ରିକରି ଗୁଜୁରାଣ ମେଣ୍ଟାଉଛନ୍ତି। ତେଣୁ ତାଙ୍କ ଭଳି ଗୋଟିଏ ଆଖି ନଥିବା ଅନ୍ୟ ବ୍ୟକ୍ତିଙ୍କୁ ଭତ୍ତା ମିଳୁଥିବାବେଳେ ତାଙ୍କ ପ୍ରତି ପ୍ରଶାସନ ଅବହେଳା କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେଣୁ ତାଙ୍କୁ ସରକାରୀ ସହାୟତା ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *