News by Padmalochan Mishra (Cuttack)

ଖ୍ରୀଷ୍ଟ କଲେଜରେ କ୍ରୀସ୍‌ମାସ୍ କ୍ୟାରୋଲ ଉତ୍ସବ

News by Padmalochan Mishra (Cuttack)

କଟକ(ଏନ୍‍.ଏମ୍‍.): ଆଲୋକମାଳାରେ ସୁସଜ୍ଜିତ ଐତିହ୍ୟ ପୂର୍ଣ୍ଣ ସଂଖ୍ୟାଲଘୁ ଖ୍ରୀଷ୍ଟକଲେଜରେ ପରମପିତା ପ୍ରଭୁଯୀଶୁଙ୍କ ଜନ୍ମୋତ୍ସବ ଉପଲକ୍ଷେ କ୍ରୀସ୍‌ମାସ କ୍ୟାରୋଲ ଉତ୍ସବ ନୃତ୍ୟ, ଗୀତ ସହିତ ପ୍ରେମ ଓ ଆନନ୍ଦମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କଲେଜର ଏନ୍‌ସିସି ଆର୍ମି ଓ ନାଭାଲ୍ କ୍ୟାଡେଟ୍‌ମାନଙ୍କର ଗାର୍ଡ ଅଫ୍ ଅନର ମଧ୍ୟରେ ଅତିଥିମାନେ ମଞ୍ଚାସୀନ ହେବା ପରେ ପରିଚାଳନା ସମିତିର ସମ୍ପାଦକ ବିକାଶଚନ୍ଦ୍ର ରାଉତ ପ୍ରଥମେ ଉଦ୍‌ଘାଟନୀ ପ୍ରାର୍ଥନା ଉତ୍ସର୍ଗ କରିଥିଲେ । ଉପସ୍ଥିତ ସଭାସଦ୍‌ମାନଙ୍କ ଉଦ୍ଦେଶ୍ୟରେ କଲେଜର ଅଧ୍ୟକ୍ଷା ମଧୁମିତା ପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । ଅଧ୍ୟାପିକା ମଧୁସ୍ମିତା ଯାଚକ ଆନୁଷ୍ଠାନିକ ଭାବେ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବାପରେ କ୍ୟାରୋଲ ସମ୍ପର୍କରେ ଡ. ବିନୀତା ନନ୍ଦ ସଂକ୍ଷିପ୍ତ ସୂଚନା ଦେଇଥିଲେ । କଟକ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚର କୋଏର ଗ୍ରୁପର କଣ୍ଠଶିଳ୍ପୀମାନେ କ୍ୟାରୋଲ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ । ଏହାପରେ ପରିଚାଳନା ସମିତି ପକ୍ଷରୁ ଅତିଥିମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ ଯୋଗଦେଇ କଟକ ସହରର ଭାଇଚାରା ସଂସ୍କୃତିରେ କ୍ୟାରୋଲ ଉତ୍ସବ ଓ ଖ୍ରୀଷ୍ଟକଲେଜର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ବାରବାଟୀ କଟକର ପୂର୍ବତନ ବିଧାୟକ ଦେବାଶୀଷ ସାମନ୍ତରାୟ ଏବଂ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ଅଭିନେତା ଅରିନ୍ଦମ ରଏ କ୍ରୀସ୍‌ମାସ୍ କ୍ୟାରୋଲର ମହତ୍ତ୍ୱ ବର୍ଣ୍ଣନା କରିବା ସହିତ ସମାଜରେ ଶାନ୍ତି, ମୈତ୍ରୀ ଓ ପ୍ରେମର ଭାବଧାରା ପ୍ରତିଷ୍ଠା ପାଇଁ ମତ ରଖିଥିଲେ । ଏଥିସହିତ ପରିଚାଳନା ସମିତି ସଭାପତି ଅନୁପମ ପାତ୍ର କ୍ୟାରୋଲ ଉତ୍ସବର ସ୍ୱତନ୍ତ୍ରତା ବିଷୟରେ ସୂଚନା ପ୍ରଦାନ କରିଥିଲେ । ସଞ୍ଜିବ ସାମନ୍ତରାୟ ପବିତ୍ର ବାଇବଲ ଗ୍ରନ୍ଥର ନିର୍ବାଚିତ ଅଂଶ ପାଠ କରିବା ପରେ କଟକ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚର ପାଷ୍ଟର ରେଭ୍ ଡଃ ନିହାର କୁମାର ବର୍ଦ୍ଧନ ପରମେଶ୍ୱରଙ୍କ ବାର୍ତ୍ତା ପ୍ରଦାନ କରିଥିଲେ । ସାକ୍‌ସଫୋନର ନୀରବ ରାତିର କ୍ୟାରୋଲ ସଙ୍ଗୀତ କ୍ୟାଣ୍ଡେଲ ଲାଇଟ୍ ଦ୍ୱାରା ପରିବେଶ ମନ୍ତ୍ରମୁଗ୍ଧ ହୋଇଥିଲା । ଅଧ୍ୟାପିକା ଡଃ ଜିତା ରାୟଙ୍କ ସଂଯୋଜନାରେ ବିବିଧ ଅନୁଷ୍ଠାନ ପରିବେଷିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମର ନୃତ୍ୟ, ଗୀତ ସହ ସାନ୍ତାକ୍ଲଜ୍‌ଙ୍କ ଶାନ୍ତିର ବାର୍ତ୍ତା ଦର୍ଶକମାନଙ୍କୁ ଆନନ୍ଦିତ କରିଥିଲା । ଏହି ଉତ୍ସବକୁ ପରିଚାଳନା ସମିତିର ସଭ୍ୟ ବିଧାନ ଚନ୍ଦ୍ର ରାଉତ, ଶୁଭାଶିଷ ସାହୁ, ଚନ୍ଦନ ଦାସ, ସୌମେନ୍ଦ୍ର ଦାସ, ପ୍ରଶାସନିକ ବର୍ସାର ଅଧ୍ୟାପକ ସୁମନ ରଏ, ଡ. ଦେବଯାନୀ ଦାଶ, ଉପାଧ୍ୟକ୍ଷା ଡ. କ୍ଷଣପ୍ରଭା ନନ୍ଦ, ଆକାଉଣ୍ଟସ୍ ବର୍ସାର ଅଧ୍ୟାପକ ସୁବ୍ରତ ବଳ, ଡ. ଯୋଗଶଙ୍କର ମହାପ୍ରଶସ୍ତ, ଅଧ୍ୟାପକ ଶୋଭନ ପଣ୍ଡା, ଡ. ବିଜୟ ଭୁଷଣ ଆଚାର୍ଯ୍ୟ, ଡ ଦୈତ୍ୟାରୀ ଶୁକ୍ଳ, ଡ ପ୍ରଶାନ୍ତ ମହାନ୍ତି, ଡ ସାରଦା ପ୍ରସାଦ କର, ଡ ପ୍ରଦ୍ୟୁମ୍ନ ଦାଶ, ଅଧ୍ୟାପକ ଅଶୋକ କୁମାର ସାହୁ, ଡ. ଜ୍ଞାନେଶ୍ୱର ରଥ ଓ ମୁଖ୍ୟ କିରାଣୀ ସୁରେନ୍ଦ୍ର କୁମାର ସାହୁଙ୍କ ସମେତ କଲେଜର ଛାତ୍ରଛାତ୍ରୀ, କର୍ମଚାରୀ ଓ ଧର୍ମାନୁରାଗୀ ଯୋଗଦେଇ ଈଶ୍ୱରୀୟ ପ୍ରେମରେ ଉଦ୍‌ବୁଦ୍ଧ ହୋଇଥିଲେ ।

Leave a Reply

Your email address will not be published. Required fields are marked *