କୋଣାର୍କ ସାହିତ୍ୟ ଆସର: ‘ଭାଷା ଓ ସାହିତ୍ୟ ଗୋଟିଏ ଜାତିର ସଂସ୍କୃତିର ବାହକ’

କୋଣାର୍କ ସାହିତ୍ୟ ଆସର: ‘ଭାଷା ଓ ସାହିତ୍ୟ ଗୋଟିଏ ଜାତିର ସଂସ୍କୃତିର ବାହକ’


କୋଣାକ(ଏନ୍‌.ଏମ୍‌.): ଗୋଟିଏ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ବସବାସ କରୁଥିବା ଲୋକମାନଙ୍କର ଭାବର ବାହକ ସାଜିଥିବା ତୁଣ୍ଡର ଭାଷା ତଥା ତହିଁରୁ ସୃଷ୍ଟ ସାହିତ୍ୟ ସଂପୃକ୍ତ ଜାତିର ସଂସ୍କୃତିର ବାହକ । ଭାଷା ତଥା ସାହିତ୍ୟରେ ଜନ୍ମମାଟିର ସୁଗନ୍ଧ ସୁରକ୍ଷିତ ନ ରହିପାରିଲେ, ସଂପୃକ୍ତ ଜାତି ନିଜର ମୌଳିକ ପରିଚୟ ଓ ଗୌରବ ଗାରିମା ହରାଇଥାଏ । ନିଜସ୍ୱ ସଂସ୍କୃତିର ମହନୀୟତାକୁ ଶାଶ୍ୱତ, କାଳଜୟୀ ତଥା ପରିପୁଷ୍ଟ କରିବାରେ ମାତୃଭାଷାର ମାଟି ସହିତ ସମ୍ପର୍କ ଘନିଷ୍ଠ ହେବା ସର୍ବାଦୌ ବାଞ୍ଛନୀୟ ବୋଲି କୋଣାର୍କ ସାହିତ୍ୟ ଆସରରେ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
କୋଣାର୍କ ସାହିତ୍ୟ ସଂସଦ ଓ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ କୋଣାର୍କ ସାହିତ୍ୟ ଆସରରେ ଓଡିଅ।। ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ମୁଖ୍ୟଅତିଥି, ଡକ୍ଟର ରାଜେନ୍ଦ୍ର ପ୍ରସାଦ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ବିଶିଷ୍ଟ ଅତିଥି ଓ କବି ତଥା ଗବେଷିକା ଡକ୍ଟର ଜୟନ୍ତୀ ରଥ ମୁଖ୍ୟବକ୍ତାରୂପେ ଯୋଗଦେଇ ‘ସମକାଳୀନ ଓଡିଆ ସାହିତ୍ୟର ଭାଷା’ ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରିବା ଅବସରରେ ଏହି ମତ ଦେଇଛନ୍ତି । କୋଣାର୍କ ସାହିତ୍ୟ ସଂସଦର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର ପୌରୋହିତ୍ୟରେ ଆୟୋଜିତ କୋଣାର୍କ ସାହିତ୍ୟ ଆସରକୁ ପ୍ରଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ସୁଦର୍ଶନ ସାହୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପର୍ଯ୍ୟଟନ ବିଭାଗର ପ୍ରାକ୍ତନ ଯୁଗ୍ମ ନିର୍ଦ୍ଦେଶକ ବିରଞ୍ଚି ମିଶ୍ର ଓ ଗାଳ୍ପିକ ହରେକୃଷ୍ଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଚିତ୍ରଶିଳ୍ପୀ ବର୍ଣ୍ଣାଳୀ ଶତପଥୀଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରକଳା ପ୍ରଦର୍ଶନୀକୁ ଅତିଥିମାନେ ଉଦ୍‌ଘାଟନ କରିଥିଲେ । କୋଣାର୍କ ସାହିତ୍ୟ ସଂସଦର ସଂପାଦକ ରବୀନ୍ଦ୍ରନାଥ ବାହିନୀପତି ସାହିତ୍ୟ ଆସରର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ଏହି ଅବସରରେ ପ୍ରାଧ୍ୟାପକ ପ୍ରକାଶଚନ୍ଦ୍ର ଖଟୋଇଙ୍କ ଦ୍ୱାରା ସଂପାଦିତ ଶିଶୁପତ୍ରିକା ‘ବାନରସେନା’ର ଚଳିତ ସଂଖ୍ୟା ଏବଂ ଗୋପ ଏବିଇଓ କମଳିନି ବେହେରାଙ୍କ ପୁସ୍ତକ ‘ତୁମପରି ଟିକି ପିଲାଟିଏ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । କୋଣାର୍କ ସାହିତ୍ୟ ସଂସଦ ପକ୍ଷରୁ ପଦ୍ମବିଭୂଷଣ ସୁଦର୍ଶନ ସାହୁଙ୍କୁ ଧରମା ସମ୍ମାନ, କବି ରଂଜନ କୁମାର ଦାସଙ୍କୁ କୋଣାର୍କ ସାହିତ୍ୟ ସମ୍ମାନ, କବି ଡ. ଜୟନ୍ତୀ ରଥଙ୍କୁ ଅର୍କପ୍ରଜ୍ଞା ସମ୍ମାନ, ବିରଞ୍ଚି ମିଶ୍ରଙ୍କୁ କୋଣାର୍କ ଉତ୍ସବ ସମ୍ମାନ, କବି ରତ୍ନପ୍ରଭା ବାଇଙ୍କୁ ମା’ ରୁକ୍ମିଣୀ ଦେବୀ ସ୍ମୃତି ସମ୍ମାନ, କବି ରତ୍ନାକର ବେହେରା(ଶ୍ରୀମାନ ସର୍ବଗିଳା)ଙ୍କୁ ବ୍ୟଙ୍ଗସୂର୍ଯ୍ୟ ସମ୍ମାନ, ଗୋଟିପୁଅ ଗୁରୁ ଜୟକୃଷ୍ଣ ନାୟକଙ୍କୁ କୋଣାର୍କ କଳା ସମ୍ମାନ, ସମାଜସେବୀ ହରିଶ୍ଚନ୍ଦ୍ର ଦାଶଙ୍କୁ କୋଣାର୍କ ସେବା ସମ୍ମାନ ଓ ପଟ୍ଟଚିତ୍ର ଶିଳ୍ପୀ ବବିତା ସାହୁଙ୍କୁ କୋଣାର୍କ କଳା ସମ୍ମାନ ପ୍ରଦାନପୂର୍ବକ ସମ୍ମାନିତ କରାଯାଇଥିଲା । କବି ଡ. ସୁଚିତ୍ରା ରଥ, ଶ୍ୟାମପ୍ରକାଶ ସେନାପତି, ଅନ୍ନପୂର୍ଣ୍ଣା ଦେବୀ ଓ ହରପ୍ରିୟା ସାହୁ ମାନପତ୍ର ପାଠ କରିଥିଲେ । ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ କବି ବିପିନ ମହାନ୍ତି ଓ ପ୍ରତାପ ରାଉତ ସଂଯୋଜନା କରିଥିଲେ । ଦ୍ୱିତୀୟ ଅଧିବେଶନରେ କବି ଉମାକାନ୍ତ ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଅଣୁଗଳ୍ପ ଓ କବିତା ପାଠ କାର୍ଯ୍ୟକ୍ରମରେ ଅତିଥିରୂପେ କବି ଡ. ଅବଦୁଲ ଓସିଦ୍ ଖାଁ, ଓଡିଶା ରାଜ୍ୟ ରାଜଭାଷା ବିକାଶ ପରିଷଦର ଅଧ୍ୟକ୍ଷ କବି ନାରାୟଣ ମୁଦୁଲି, ପ୍ରାବନ୍ଧିକ ସ୍ୱପ୍ନେଶ୍ୱର ସାହୁ, ପ୍ରାଚୀ ସାହିତ୍ୟ ସଂସଦର ସଭାପତି ପ୍ରଫେସର ଗୋପିନାଥ କର, କବି ଡ. ସଂତୋଷ କୁମାର ମିତ୍ର, କବୀ ସ୍ୱର୍ଣ୍ଣଲତା ତ୍ରିପାଠୀ ଅତିଥିରୂପେ ଯୋଗଦେଇ ସମକାଳୀନ ଗଳ୍ପ ଓ କବିତା ସଂପର୍କରେ ଆଲୋଚନା କରିଥିଲେ । କବିତାପାଠ କାର୍ଯ୍ୟକ୍ରମରେ କବି ରାଧାକୃଷ୍ଣ ପ୍ରଧାନୀ, ଗୋବିନ୍ଦଚନ୍ଦ୍ର ଫାରକ, ଭଗବାନ ସାହୁ, ଦେବୀପ୍ରସାଦ ମହାପାତ୍ର, କବୀ ମଂଜୁଲତା ସିଂ, ଶୁଭସ୍ମିତା ପ୍ରଧାନ, ଟିକିନା ରାଉତ, ଚିତ୍ତରଞ୍ଜନ ବିଶ୍ୱାଳ, ଯୋଗଚାର୍ଯ୍ୟ ମହେଶ୍ୱର ସାମଲ ଓ କୃଷ୍ଣଚନ୍ଦ୍ର ରଥଙ୍କ ସମେତ ୫୦ଜଣ କବି ନିଜସ୍ୱ କବିତା ପାଠ କରିଥିଲେ । ପରିଶେଷରେ ସମାଜସେବୀ ରାମକୃଷ୍ଣ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସାରସ୍ୱତ ଉତ୍ସବକୁ ସମାଜସେବୀ ନିରଂଜନ ସାହୁ, ରବୀନ୍ଦ୍ର କୁମାର ପ୍ରଧାନ, ଗୀତାଞ୍ଜଳି ସାହୁ, ନିରଂଜନ ତ୍ରିପାଠୀ, ରାଜଲକ୍ଷ୍ମୀ ମିଶ୍ର, ପ୍ରିୟରଂଜନ ରଥ, କୁନାଲ ପାତ୍ର, ଶୁଭ୍ରାଂଶୁ ସେଠୀ ପ୍ରମୁଖ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *