କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକ ଉପଲକ୍ଷେ ଜ୍ୟୋତି ରଥ ପରିକ୍ରମା ଶୁଭାରମ୍ଭ
#ପାଟଣାଗଡ(ଏନ୍.ଏମ୍.): ପାଟଣାଗଡ ଏନ୍ଏସି ସ୍ଥିତ ଭୁଲିଆ ଧର୍ମଶାଳା ଠାରେ ନିଖିଳ ଓଡ଼ିଶା ମେହେର (ଭୁଲିଆ)ସମାଜ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକ ଉତ୍ସବ ଓ ମହାସଭା ଉପଲକ୍ଷେ ଜ୍ୟୋତିରଥର ଶୁଭ ଆରମ୍ଭ ହୋଇଯାଇଛି । ଏହି ଜ୍ୟୋତି ରଥକୁ ପାଟଣାଗଡ ବିଧାୟକ ତଥା ସରକାରୀ ଦଳର ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ । ପ୍ରଥମେ ଶ୍ରୀ ମେହେର ରଥକୁ ପୁଜାଚର୍ଚ୍ଚାନା କରି ଶୁଭାରମ୍ଭ କରିବାପରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୁର୍ତ୍ତିରେ ଫୁଲମାଳ ଅର୍ପଣ କରିଥିଲେ । ପରେ ଜ୍ୟୋତି ରଥ ସହ ଭୁଲିଆ ସମାଜର ଶତାଧିକ ମହିଳା ଓ ପୁରୁଷ ସହରର ମୁଖ୍ୟରାସ୍ତା ଦେଇ ଏକ ଶୋଭାଯାତ୍ରାରେ ବାହାରି ଗଙ୍ଗାଧର ପାର୍କ ଠାରେ ପହଞ୍ଚିଥିଲେ । ସେଠାରେ ଥିବା କବି ଗଙ୍ଗାଧର ମେହେରଙ୍କ ପ୍ରର୍ତ୍ତିମୁର୍ତ୍ତିରେ ଫୁଲମାଳ ଅର୍ପଣ କରିଥିଲେ । ସେଠାରେ ଆୟୋଜିତ ସ୍ୱତନ୍ତ୍ର ସଭାରେ ଅତିଥି ମାନେ ନିଜନିଜ ବକ୍ତବ୍ୟ ମାନ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଏନ୍ଏସି ଉପନଗରପାଳ ପ୍ରଫୁଲ୍ଲ କୁମାର ମେହେର, ବିଜୟ ମେହେର, ଡା.ବୃନ୍ଦାବନ ମେହେର, ତେଜରାଜ ମେହେର, ରାଜେଶ ମେହେର, ପୁପ୍ପାଞ୍ଜଲି ମେହେର, ସେବତୀ ମେହେର ରୋଜି ମହେରଙ୍କ ସହ ମାତୃଶକ୍ତି ଜାଗରଣ ମଞ୍ଚର ମହିଳାମାନେ ଓ ଭୁଲିଆ ସମାଜର ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।
