କଟକରେ ନିର୍ମାଣ ଶ୍ରମିକଙ୍କ ଆକାଉଣ୍ଟକୁ ଗଲା ଟଙ୍କା

କଟକ (ଏନ୍.ଏମ୍.): ନିର୍ମାଣ ଶ୍ରମିକ ମାନଙ୍କ ଆକାଉଣ୍ଟକୁ ଗଲା ୨୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କା। କଟକ ଜିଲ୍ଲାରେ ଥିବା ୪ ହଜାର ୪୯ ଜଣ ନିର୍ମାଣ ଶ୍ରମିକଙ୍କୁ ଶ୍ରମ ବିଭାଗ ତରଫରୁ ୨୬ କୋଟି ୨୦ ଲକ୍ଷ ୭୮ ହଜାର ରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ଅର୍ଥ ରାଶି ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗ ର ମିଳିତ ଆନୁକୂଲ୍ୟରେ ନୂଆପଡା ଗାଦି ଗୋସାଇଁ ପଡିଆରେ ଆୟୋଜିତ ଶିବିରରେ ଏହି ରାଶି ପ୍ରଦାନ କରାଯାଇଛି। ଯେଉଁଥିରେ ଜିଲ୍ଲାର ବିଭିନ୍ନ ସଂଘ ଦ୍ୱାରା ସଦସ୍ୟ ଥିବା ଶ୍ରମିକମାନେ ଉପସ୍ଥିତ ଥିଲେ। ସଦର ବିଧାୟକ ପ୍ରକାଶ ସେଠୀ, ଶ୍ରମ କମିଶନର ହରପ୍ରିୟା ନାୟକ, ଜିଲ୍ଲା ଶ୍ରମ ଅଧିକାରୀ ପ୍ରୀତିରଞ୍ଜନ ଘଡ଼ାଇ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦିବ୍ୟଲୋଚନ ମହନ୍ତ ପ୍ରମୁଖଙ୍କ ଉପସ୍ଥିତିରେ ବିଭିନ୍ନ ପର୍ଯାୟରେ ଶ୍ରମିକଙ୍କୁ ପ୍ରଦାନ କରାଯାଇଥିଲା ଏହି ଅର୍ଥ ରାଶି। ଶ୍ରମିକ ପିଲାମାନଙ୍କ ପାଠପଢା,ବିବାହ,ମୃତ୍ୟୁକାଳୀନ ବାବଦକୁ ଦିଆଯାଇଛି ଏହି ଅର୍ଥ ରାଶି। ଏହି ଅବସରରେ ନିର୍ମାଣ ଶ୍ରମିକମାନଙ୍କର ଦକ୍ଷତା ବୃଦ୍ଧି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏବେ ବି କଟକ ଜିଲ୍ଲାରେ ଅଣ ପଞ୍ଜିକୃତ ଶ୍ରମିକ ରହିଛନ୍ତି। ଆଗାମୀ ଦିନରେ ସେମାନଙ୍କୁ ପଞ୍ଜିକୃତ କରାଯାଇ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ।
