କଟକରେ ଆରମ୍ଭ ହେଲା ଅପରାଜିତା ଷଡ଼ଙ୍ଗୀଙ୍କ ‘ଆମ ପରିବାର’ ସଙ୍ଗଠନ
କଟକ(ଏନ୍.ଏମ୍.): କଟକରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ “କଟକ ଆମ ପରିବାର’ ନାମରେ ସାଙ୍ଗଠନିକ ବୈଠକ ହୋଇଯାଇଛି । ଏହା ପୂର୍ବରୁ ପୁରୀ, ରାୟଗଡା, କୋରାପୁଟ୍, ଯାଜପୁର, ଖୋର୍ଦ୍ଧା ସମେତ ୬ଗୋଟି ଜିଲ୍ଲାରେ “ଆମ ପରିବାର” ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ ସରିଥିବା ବେଳେ କୋଭିଡ୍ କଟକଣାକୁ ଲକ୍ଷ ରଖି ଆଜି କଟକ ଜିଲ୍ଲାରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇଥିଲା । ସମଗ୍ର କଟକ ଜିଲ୍ଲାକୁ ପାଞ୍ଚ ଗୋଟି ଜୋନ୍ରେ ବିଭକ୍ତ କରି ହ୍ୱାଟ୍ସଆପ ଗ୍ରୁପ୍ ମାଧ୍ୟମରେ ଆପରାଜିତାଙ୍କ ସମର୍ଥକଙ୍କୁ ଏଥିରେ ଯୋଡ଼ାଯାଉଛି । ଏହି ଗ୍ରୁପ୍ରେ ବରିଷ୍ଠ ବିଜେପି ନେତା ନୟନ ମହାନ୍ତି ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁଙ୍କ ସମେତ ଜିଲ୍ଲାର ଅନେକ ବରିଷ୍ଠ ନେତା ଓ ପଦାଧିକାରୀ ସଭ୍ୟ ଅଛନ୍ତି । ଆଜିର ଏହି ବୈଠକରେ କଟକ ଜିଲ୍ଲାରେ “ଆମ ପରିବାର’ର ସଙ୍ଗଠନ ସୁଦୃଢ କରିବା ସହିତ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଓ ତାହାର ସମାଧାନ ଉପରେ ଅପରାଜିତା ଷଡଙ୍ଗୀ ଚର୍ଚ୍ଚା କରିଥିଲେ । ଏହି ବୈଠକରେ ଆମ ପରିବାରର ଆବାହକ ମନ୍ମଥ ମଲ୍ଲିକ୍, ନିକୁଞ୍ଜ ପଟ୍ଟନାୟକ ସଂଯୋଜକ ଜୀବନ ସାହୁ, ନିଶିକାନ୍ତ ନାୟକଙ୍କ ସମେତ ଜିଲ୍ଲାର ବରିଷ୍ଠ ବିଜେପି ନେତା ସରୋଜ ରଣା, ଗୀତା ଦାସ, ବିକ୍ରମ ଦାସ, ବିବେକାନନ୍ଦ ନାୟକ, ଜଗଦାନନ୍ଦ ତ୍ରିପାଠୀ, ପ୍ରକାଶ ସେଠୀ, ପୂର୍ବତନ କର୍ପୋରେଟର ଚିତ୍ତ ଦାସ ଏବଂ ଅନେକ ଜିଲ୍ଲା ଓ ମଣ୍ଡଳସ୍ତରୀୟ ପଦାଧିକାରୀ ଏଥିରେ ସାମିଲ ହୋଇଥିବାବେଳେ ଆଉ କିଛି ନେତା ଓ କାର୍ଯ୍ୟକର୍ତ୍ତା ଏହା ଦଳୀୟ କାର୍ଯ୍ୟ ନହୋଇ ଅପରାଜିତାଙ୍କ ବ୍ୟକ୍ତିଗତ କାର୍ଯ୍ୟକ୍ରମ ବୋଲି ପ୍ରକାଶ କରି ଏହି ବୈଠକରେ ସାମିଲ ହୋଇନଥିଲେ । ସେହିଭଳି ଭାବେ ହୁଆଟ୍ସପ ଗ୍ରୁପ୍ରେ ନୟନ ମହାନ୍ତି, ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ଓ ତାଙ୍କ ସମର୍ଥକମାନେ ସଭ୍ୟ ଥିବାବେଳେ ସହର ଅନେକ ବରିଷ୍ଠ ନେତା ଓ ତାଙ୍କ ଅନୁଗତ ଏହି ଗ୍ରୁପ୍ରେ ନାହାନ୍ତି । ଆଜିର ଏହି କାର୍ଯ୍ୟକ୍ରମ ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ଥିବା ବିବାଦକୁ ପଦାରେ ପକାଇଥିବାବେଳେ କଟକ ବିଜେପି ଦୁଇ ଗୋଷ୍ଠୀରେ ପରିଣତ ହୋଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
କଟକରେ ଆରମ୍ଭ ହେଲା ଅପରାଜିତା ଷଡ଼ଙ୍ଗୀଙ୍କ ‘ଆମ ପରିବାର’ ସଙ୍ଗଠନ
🤖 AI Quick Summary
Click the button to generate AI summary.
