କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରେ ବିଜେପିର ମିଶ୍ରଣ ପର୍ବ

କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରେ ବିଜେପିର ମିଶ୍ରଣ ପର୍ବ

#ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଞ୍ଚଳରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ନଖରା ଓ ଶାଳଗାଁ ଗ୍ରାମପଞ୍ଚାୟତର ମଧ୍ୟବର୍ତ୍ତୀ ଅଞ୍ଚଳରେ ଆୟୋଜିତ ଏହି ପର୍ବରେ ବିଜେପିର ରାଜ୍ୟସ୍ତରୀୟ ନେତୃଙ୍କ ଉପସ୍ଥିତିରେ ବହୁ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଥିଲେ । ଶାଳଗାଁ ପଞ୍ଚାୟତର ପ୍ରଭାବଶାଳୀ ସରପଞ୍ଚ ପବିତ୍ର ଉପାଧ୍ୟାୟ ଏବଂ ତାଙ୍କ ପତ୍ନୀ ତଥା ନଖରା ପଞ୍ଚାୟତର ସରପଞ୍ଚ ମଧୁଛନ୍ଦା ଉପାଧ୍ୟାୟଙ୍କ ନେତୃତ୍ୱରେ ଚୌଦ୍ୱାର-କଟକ ଏବଂ ସାଲେପୁର ନିର୍ବାଚନ ମଣ୍ଡଳୀର ହଜାର ହଜାର ସଂଖ୍ୟାରେ ନେତା ଓ କର୍ମୀ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ଉପାଧ୍ୟାୟଙ୍କ ଭଳି ଜଣେ ଯୁବ ତଥା ବିଶିଷ୍ଟ ସଂଗଠକ ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବା ପରେ ସାଲେପୁର ଓ ଚୌଦ୍ୱାର କଟକ ଉଭୟ ନିର୍ବାଚନ ମଣ୍ଡଳୀରେ ବିଜେପି ସଦୃଢ଼ ହୋଇପାରିବ ବୋଲି ବିଜେପି ରାଜ୍ୟ କର୍ମକର୍ତ୍ତା ଆସ୍ଥା ପ୍ରକଟ କରିଛନ୍ତି । କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କଟକ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରା, ପୂର୍ବତନ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭ୍ରାଂଶୁ ମୋହନ ପାଢ଼ୀ, ପୂର୍ବତନ ଜିଲ୍ଲା ସଭାପତି ଚୌଧୁରୀ ହେମନ୍ତ ସାହୁ, ବିଶିଷ୍ଟ ବିଜେପି ନେତା ନୟନକିଶୋର ମହାନ୍ତିଙ୍କ ଭଳି ହେଭିୱେଟ ନେତାଙ୍କ ଗହଣରେ ଶ୍ରୀ ଉପାଧ୍ୟାୟ ଏବଂ ଶ୍ରୀମତୀ ଉପାଧ୍ୟାୟ ନିଜ ନିଜ ପଞ୍ଚାୟତର ଶତାଧିକ କର୍ମୀଙ୍କୁ ଦଳରେ ସାମିଲ କରାଇଥିଲେ । ସେହିଭଳି ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀର ୫ଟି ପଞ୍ଚାଯତ ସମେତ ସାଲେପୁର ନିର୍ବାଚନ ମଣ୍ଡଳୀର ୬ଟି ପଞ୍ଚାୟତରୁ ଶହଶହ ସଂଖ୍ୟାରେ ଅନ୍ୟ ଦଳର କର୍ମୀମାନେ ବିଜେପିରେ ସାମିଲ ହୋଇଥିଲେ । ଦୀର୍ଘ ଦିନ ଧରି ବିଭିନ୍ନ ରାଜନୈତିକ ଦଳରେ ଲୋକପ୍ରତିନିଧିଙ୍କ ଏକଛତ୍ରବାଦ ନୀତି ଯୋଗୁଁ କୋଣଠେସା ହୋଇ ରହିଥିବା କର୍ମୀମାନେ ଆଜି ବିଜେପିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଏହି ମିଶ୍ରଣପର୍ବ ଏକ ସାଧାରଣ ମିଶ୍ରଣ ପର୍ବ ନୁହେଁ ଏହା ମହାମିଶ୍ରଣର ପର୍ବ ବୋଲି ଜିଲ୍ଲା ସଭାପତି ପ୍ରକାଶ ବେହେରା କହିଛନ୍ତି । ତେବେ ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟରେ ଶାସକ ବିଜେଡି ଦଳର ବିକଳ୍ପ ଭାବେ ବିଜେପି ପ୍ରତିଦ୍ୱନ୍ଦିତା କରିବ ବୋଲି ବିଜେପି କର୍ମକର୍ତ୍ତାମାନେ ଦୃଢ଼ୋକ୍ତିର ସହ ପ୍ରକାଶ କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *