“କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ସାମ୍ବାଦିକଙ୍କ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

“କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ସାମ୍ବାଦିକଙ୍କ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଫଟୋ- କାହ୍ନୁଚରଣ ପଣ୍ଡା

ଜଗତପୁର (ଏନ୍‌.ଏମ୍‌.): ଗଣମାଧ୍ୟମ ଶୃଙ୍ଖଳିତ ସମାଜର ରକ୍ଷାକର୍ତ୍ତା । ଗଣତନ୍ତ୍ରର ଅନ୍ୟ ୩ଟି ସ୍ତମ୍ଭ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ଭଳି ଗଣମାଧ୍ୟମ ମଧ୍ୟ ନିଜ କର୍ତ୍ତବ୍ୟର ଗୁରୁତ୍ୱ ବହନକରେ । ତେଣୁ କେହି କେହି ଏହାକୁ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ବୋଲି କହିଥାନ୍ତି । ମାତ୍ର ଏବେ ଗଣମାଧ୍ୟମ ଉପରେ ଯେଉଁଭଳି ଆକ୍ରମଣ ହେଉଛି ତାହା ଭବିଷ୍ୟତରେ ଗଣତନ୍ତ୍ରର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ଅଭିଯୋଗ ହୋଇଛି । ତେବେ ଯେଉଁ ଭଳି ଭାବରେ କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳାଇଙ୍କୁ ନୀଳଗିରି ପୁଲିସ ମାଡମାରି ଗୁରୁତ୍ୱର ଆହତ କରିବା ଏବଂ ମେଡିକାଲରେ ଚିକିତ୍ସାଧୀନ ସମୟରେ ଅତି ଅମାନବୀୟ ଭାବରେ ତାଙ୍କ ଗୋଡ଼ରେ ବେଡି ପକେଇବା ଘଟଣାକୁ ପରିଷଦ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଏହି ପରିପ୍ରେକ୍ଷୀରେ ପରିଷଦ ସଭାପତି ମାନସ ପରିଡାଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଜଗତପୁର ସ୍ଥିତ ଟାଙ୍ଗୀ-ଚୌଦ୍ୱାର ତହସିଲଦାର ଅଜୟ କୁମାର ମଲ୍ଲିକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ତୁରନ୍ତ ସମ୍ପୃକ୍ତ ପୁଲିସ ଅଧିକାରୀ ଦ୍ରୌପଦୀ ଦାସଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇ ତାଙ୍କ ନାମରେ ଫୌଜଦାରୀ ମାମଲା ରୁଜୁ କରାଯିବା ସହିତ ତାଙ୍କୁ ତୁରନ୍ତ ଗିରଫ କରିବାକୁ ପରିଷଦ ପକ୍ଷରୁ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ପରିଡ଼ାଙ୍କ ସମେତ ଯୁବନେତା ଓମପ୍ରକାଶ ପଣ୍ଡା, ବିଦ୍ୟୁତ ଉପଭୋକ୍ତା ସଙ୍ଘ ସଭାପତି ତୀର୍ଥାନନ୍ଦ ପଣ୍ଡା, କଟକ ପୂର୍ବାଞ୍ଚଳ ଶାନ୍ତି କମିଟି ସହସମ୍ପାଦକ ଅଲେଖ ଚନ୍ଦ୍ର ବେହେରା, ବରିଷ୍ଠ ନାଗରିକ ଗୋବର୍ଦ୍ଧନ ସାହୁ, ଶ୍ରମିକନେତା ପ୍ରବୀର ରଥ, ଚୌଦ୍ୱାର ପୌର ପରିଷଦ କାଉନସିଲର ଦିଲ୍ଲୀପ ଭୂୟାଁଙ୍କ ସମେତ ଜୟନାରାୟଣ ତ୍ରିପାଠୀ, ପବିତ୍ର ପଣ୍ଡା, ଉମାଶଙ୍କର ସାମଲ, ସୁଶୀଲ ମହାନ୍ତି, ଧୀରେନ୍ଦ୍ର ମହାନ୍ତି, ବସ୍ତି ସଂଘ ସଭାପତି ଚିତ୍ତରଞ୍ଜନ ମହାନ୍ତି, ସନ୍ତୋଷ ଶୁକ୍ଳା, ଅନୀଲ ମହାନ୍ତି, କିଶୋର ନାୟକ, ଯୋଗେନ୍ଦ୍ର ବାରିକ, ନଗେନ୍ଦ୍ର ମହାପାତ୍ର ଓ ଶ୍ରଦ୍ଧେନ୍ଦୁ ଶତପଥୀ ପ୍ରମୁଖ ଯୋଗଦେଇ ସାମ୍ବାଦିକମାନଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ଦାବି କରିଥିଲେ ।

Leave a Reply

Your email address will not be published. Required fields are marked *