ଓଡ଼ିଆ ସମାଜ ଆବୁଧାବି ତରଫରୁ ଉତ୍କଳ ଦିବସ ପାଳନ

ଓଡ଼ିଆ ସମାଜ ଆବୁଧାବି ତରଫରୁ ଉତ୍କଳ ଦିବସ ପାଳନ


ଆବୁଧାବି (ଏଜେନ୍ସି): ଓଡ଼ିଆ ସମାଜ ଆବୁଧାବି (ଓସା) ତରଫରୁ ଆନନ୍ଦ, ଉଲ୍ଲାସ ଓ ଉତ୍କଣ୍ଠା ମଧ୍ୟରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଉତ୍କର୍ଷ-୨୦୨୨ ଶୀର୍ଷକ ‘ଓସା’ର ଏହି ବାର୍ଷିକ ଉତ୍ସବ ସୁବିସ୍ତିର୍ଣ୍ଣ ଆରବ ସାଗରର ସମ୍ମୁଖସ୍ଥ ସୁନ୍ଦର, ସୁରମ୍ୟ ଓ ସୁଶୋଭିତ ଆବୁଧାବି ଥିଏଟର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଦୀର୍ଘ ପ୍ରତିକ୍ଷିତ ଓ ବହୁଚର୍ଚ୍ଚିତ ମହାସମାରୋହକୁ କେନ୍ଦ୍ର କରି ସମଗ୍ର ଥିଏଟର ପରିସର ଉତ୍ସବମୁଖର ହୋଇଉଠିବା ସହିତ ଏକ କ୍ଷୁଦ୍ର ଓଡ଼ିଶାର ଅନୁପମ ରୂପ ଧାରଣ କରିଥିଲା । ବିଶେଷକରି କୋଭିଡ୍ ଅବରୋଧ ଯୋଗୁଁ ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ବାସ୍ତବ ଢଙ୍ଗରେ ପ୍ରେକ୍ଷାଳୟରେ ଉତ୍କଳ ଦିବସ ପାଳନ କରାଯାଉଥିବା ଯୋଗୁଁ ‘ଓସା’ର ସଦସ୍ୟ, ପରିବାର ବର୍ଗ, ପରିଜନ ଓ ଶୁୁଭେଚ୍ଛୁମାନଙ୍କ ମଧ୍ୟରେ ଅଦମ୍ୟ, ଅନନ୍ୟ ଓ ଅଫୁରନ୍ତ ଉତ୍ସାହ, ଉଦ୍ଦୀପନା ଓ ଉନ୍ମାଦନା ଦେଖିବାକୁ ମିଳିଥିଲା । ଉତ୍ସବରେ ନିମନ୍ତ୍ରିତ ଅତିଥି ଭାବରେ ପ୍ରମୁଖ ପ୍ରବାସୀ ଭାରତୀୟ, ୟୁଏଇସ୍ଥିତ ଭାରତୀୟ ଦୂତାବାସର କାର୍ଯ୍ୟକର୍ତ୍ତା ଓ ବିଭିନ୍ନ ରାଷ୍ଟ୍ରର କୂଟନୀତିଜ୍ଞମାନେ ଯୋଗଦେଇଥିଲେ ।
ଆମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ପରେ ସଭା କାର୍ଯ୍ୟ ଶୁଭାରମ୍ଭ ହୋଇଥିଲା । ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରି ଓଡ଼ିଆ ସମାଜ ଆବୁଧାବିର ସଭାପତି ପ୍ରଦୀପ ରଥ କୋଭିଡ୍ କାଳରେ ‘ଓସା’ର ସାମାଜିକ, ଦାତବ୍ୟ ଓ ଜନହିତକର କାର୍ଯ୍ୟାବଳୀର ସୂଚନା ଦେଇଥିଲେ । କରୋନାର ଦୁର୍ବିସହ ପ୍ରଥମ ଲହରୀ ପର୍ଯ୍ୟାୟରେ ଆବୁଧାବିଠାରେ ଅଟକି ରହିଥିବା ପ୍ରାୟ ୨୦୦୦ରୁ ଅଧିକ ଓଡ଼ିଆଙ୍କୁ ୧୪ଟି ଚାର୍ଟାଡ ବିମାନରେ ନିରାପଦଭାବେ ଓଡ଼ିଶାକୁ ପଠାଇବା ନେଇ ‘ଓସା’ର ସଦସ୍ୟମାନଙ୍କର ଜୋରଦାର ଯୋଗଦାନକୁ ଶ୍ରୀ ରଥ ଭୂରିଭୂରି ପ୍ରଶଂସା କରିଥିଲେ । ସଭାକୁ ସମ୍ବୋଧନ କରି ମୁଖ୍ୟଅତିଥି ଭାରତୀୟ ଦୂତାବାସର ଦ୍ୱିତୀୟ ସଚିବ ରିଶା ଓବରାଇ ୟୁଏଇରେ ଅବସ୍ଥାପିତ ଭାରତୀୟ ସମ୍ପ୍ରଦାୟକୁ ସଶକ୍ତ କରିବାରେ ‘ଓସା’ର ଅବଦାନ ବେଶ୍ ଉଲ୍ଲେଖନୀୟ ବୋଲି ବର୍ଣ୍ଣନା କରିଥିଲେ । ବରେଣ୍ୟ ଅତିଥି ଚିତ୍ରତାରକା କୁନା ତ୍ରିପାଠୀ ଆବୁଧାବିରେ ଓଡ଼ିଆମାନଙ୍କୁ ଏକଜୁଟ୍ କରିବାରେ ‘ଓସା’ର ଭୂମିକା ପ୍ରଶଂସନୀୟ ବୋଲି କହିଥିଲେ । ସମ୍ମାନିତ ଅତିଥି ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ବ୍ରାଣ୍ଡ୍ ଓଡ଼ିଶାକୁ ୟୁଏଇରେ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବାରେ ‘ଓସା’ର ଉଦ୍ୟମ ବନ୍ଦନୀୟ ବୋଲି ମତବ୍ୟକ୍ତ କରିଥିଲେ । ସ୍ୱତନ୍ତ୍ର ଅତିଥି ରାରିୟନ ଗ୍ରୁପ୍‌ର ଅଧ୍ୟକ୍ଷ ବ୍ରଜକିଶୋର ମିଶ୍ରଙ୍କର ପ୍ରତିନିଧି ଟେରାସ୍ କମ୍ପାନୀର ସିଇଓ ଅନୀଲ ସାହୁ ଆବୁଧାବିଠାରେ ପ୍ରବାସୀ ଓଡ଼ିଆ ସମ୍ପ୍ରଦାୟର ସାଂସ୍କୃତିକ ଓ ସାମାଜିକ ଜୀବନଶୈଳୀକୁ ସକ୍ରିୟ କରିବାରେ ‘ଓସା’ର ଅବଦାନ ବେଶ୍ ପ୍ରଶଂସନୀୟ ବୋଲି ଦର୍ଶାଇଥିଲେ । ଉତ୍ସବରେ ଯୋଗଦେଇଥିବା ସେଖ୍ ମହମ୍ମଦ ବିନ୍‌, ସୁଲ୍‌ତାନ ବିନ, ହମ୍‌ଦାନ ଅଲ୍ ନିହାୟାନଙ୍କର ପ୍ରତିନିଧି ଚାର୍ଜଡି ଆଫେୟାର୍ସ ଡକ୍ଟର ତଲାଲ୍ ଆଲ୍‌ବେଲୋସି, ‘ଓସା’ର ଉପଦେଷ୍ଟା ଡକ୍ଟର ହିମାଂଶୁ ଦାସ, ଅଶୋକ ପଣ୍ଡା ଏବଂ ଅନ୍ୟତମ ଅତିଥି ମୁଲ୍‌କ୍‌ରାଜଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ‘ଓସା’ ଦ୍ୱାରା ପ୍ରକାଶିତ ସ୍ମରଣିକା ‘ପ୍ରବାସୀ ଉତ୍କର୍ଷ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହାକୁ ସତ୍ୟବ୍ରତ ପାତ୍ର ଓ ଅରୁଣୀମା ମିଶ୍ର ସମ୍ପାଦନା କରିଛନ୍ତି । ସଭା ଶେଷରେ ଡକ୍ଟର ହିମାଂଶୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍କଳ ଦିବସ ଉପଲକ୍ଷେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଲିଉଡ୍‌ର ପ୍ରଖ୍ୟାତ କଳାକାର କୁନା ତ୍ରିପାଠୀ, ଅଭିିଜିତ୍ ମଜୁମ୍‌ଦାର ଏବଂ ଅନୁରାଧା ପାଣିଗ୍ରାହୀ ପ୍ରମୁଖ ସେମାନଙ୍କର କଳାଚାତୁର୍ଯ୍ୟ ପ୍ରଦର୍ଶନ କରି ଦର୍ଶକମାନଙ୍କର ଢେର ମନୋରଞ୍ଜନ କରିଥିଲେ । ଯନ୍ତ୍ର ସଂଗୀତରେ ସୌମ୍ୟଜିତ ପରିଡ଼ା, ଜ୍ୟୋତିରଞ୍ଜନ ମହାଳିକ ଏବଂ ଦୁଷ୍ମନ୍ତ ଦାସ ପ୍ରମୁଖ ସହଯୋଗ କରିଥିଲେ । ବିଶେଷ ଆକର୍ଷଣ ମଧ୍ୟରେ ‘ଓସା’ର ସଦସ୍ୟ ଓ ସଦସ୍ୟାମାନଙ୍କଦ୍ୱାରା କରୋନାର କରାଳ କାହାଣୀ ଆଧାରରେ ପରିବେଶିତ ନାଟକ ରହିଥିଲା । ବହ୍ନିପ୍ରଭା ରଥଙ୍କ ଦ୍ୱାରା ପରିକଳ୍ପିତ ଓ ନିର୍ଦ୍ଦେଶିତ ଏହି ନାଟକକୁ ସୌଗତ ନାୟକ, କମଲ ପଣ୍ଡା, ସୁକର୍ଣ୍ଣ ବେହେରା ଏବଂ ସାଥିମାନେ ଖୁବ୍ ସୁନ୍ଦର ଓ ସାବଲିଳ ଢଙ୍ଗରେ ଉପସ୍ଥାପନା କରିଥିଲେ । ଏହା ସହିତ ‘ଓସା’ ଟିମ୍ ତରଫରୁ ବାପି ଲହିରୀ ଓ ଲତା ମଙ୍ଗେସକରଙ୍କ ସ୍ମୃତି ଉଦ୍ଦେଶ୍ୟରେ ପରିବେଶିତ ସଂଗୀତ କାର୍ଯ୍ୟକ୍ରମ ଦର୍ଶକମାନଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଥିଲା । ସ୍ୱାତି ଦାସ ଏବଂ ଶୁୁଭ୍ରା ସାମଲଙ୍କ ତତ୍ତ୍ୱାବଧାନରେ ମଞ୍ଚସ୍ଥ ଫ୍ୟାଶନ ଶୋ’ ମଧ୍ୟ ଖୁବ୍ ଆକର୍ଷକ ଥିଲା । ସାଂସ୍କୃତିକ ଅଧିବେଶନକୁ ଖୁବ୍ ଦକ୍ଷତାର ସହିତ ଅଙ୍କିତା ମହାନ୍ତି ପରିଚାଳନା କରିଥିଲେ । ତାଙ୍କୁ ‘ଓସା’ର ସାଂସ୍କୃତିକ ସମ୍ପାଦକ ପ୍ରତୀକ ଦାଶ ଓ ସହସମ୍ପାଦକ ସନ୍ତୋଷ ତ୍ରିପାଠୀ ସହଯୋଗ କରିଥିଲେ । ମୁଖ୍ୟ ସଭାକୁ ଅରୁଣୀମା ମିଶ୍ର ସଞ୍ଚାଳନା କରିଥିଲେ । ସମଗ୍ର ଉତ୍ସବକୁ ଆୟୋଜନ କରିବାରେ ‘ଓସା’ର ତୁଙ୍ଗ ନେତୃବୃନ୍ଦ ପ୍ରଦୀପ ରଥ, ସିଦ୍ଧାର୍ଥ ଦାସ, କମଲ ପଣ୍ଡା, ଦିଲ୍ଲୀପ ନାୟକ, ସନ୍ତୋଷ ତ୍ରିପାଠୀ, ସୁଧାଂଶୁ ପାତ୍ର, ରବିନାରାୟଣ ଦାଶ, ସୁକର୍ଣ୍ଣ ବେହେରା, କାର୍ତ୍ତିକ ସିଂହ, ସୁଶାନ୍ତ ମହାପାତ୍ର, ସୁଶାନ୍ତ ଚୌଧୁରୀ, ଅବଦୁର ରାଉଫ୍ ଓ ଜ୍ୟୋତିରଞ୍ଜନ ଦାଶ ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ପ୍ରିୟଦର୍ଶୀ ପାଣିଗ୍ରାହୀ, ବୈଦ୍ୟନାଥ ଜେନା ଓ କିଶୋର କୁମାର ଦାଶ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *