ଏସସିବିରେ ପୁଣି ଏକ ସଫଳ କିଡନୀ ପ୍ରତିରୋପଣ: ୧୫ ବର୍ଷିୟା ନାବାଳିକାର ଅଙ୍ଗଦାନ ଯୋଗୁଁ ବଞ୍ଚିଗଲା ୨ଜଣଙ୍କ ଜୀବନ

ଏସସିବିରେ ପୁଣି ଏକ ସଫଳ କିଡନୀ ପ୍ରତିରୋପଣ: ୧୫ ବର୍ଷିୟା ନାବାଳିକାର ଅଙ୍ଗଦାନ ଯୋଗୁଁ ବଞ୍ଚିଗଲା ୨ଜଣଙ୍କ ଜୀବନ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‍.ଏମ୍‍.): କରୋନା ସଂକ୍ରମଣ ଲାଗି କଟକ ବଡ଼ମେଡ଼ିକାଲ(ଏସସିବି)ରେ ଅସ୍ତ୍ରୋପଚାର ବନ୍ଦ ହୋଇ ରହିଥିଲା । ଦୀର୍ଘ ଦିନ ବ୍ୟବଧାନ ପରେ ଏସସିବିରେ ପୁଣି ଏକ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି । ସଂକ୍ରମଣ ହ୍ରାସ ପାଇବା ପରେ ପ୍ରଥମ କିଡନୀ ପ୍ରତିରୋପଣ କରାଯାଇଛି । ଅଙ୍ଗଦାନ କରିଥିବା ୧୫ ବର୍ଷିୟା ବାଳିକା ଜଣକ ମୃତ୍ୟୁ ପରେ ବି ଅମର ହୋଇ ରହିଗଲା । ପରିବାର ଲୋକଙ୍କ ମହତ କାର୍ଯ୍ୟ ଲାଗି ୨ଜଣଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇ ପାରିଛି । ଏହି ବାଳିକାର କୀଡନୀ ଗୋଟିଏ ଆପୋଲୋ ହସ୍ପିଟାଲରେ ଜଣେ ପୁରୁଷଙ୍କ ଶରୀରରେ ପ୍ରତିରୋପଣ ହୋଇଥିବା ବେଳେ ଏସସିବିରେ ଜଣେ ମହିଳାଙ୍କ କ୍ଷେତ୍ରରେ ଏହାର ଉପଯୋଗ କରାଯାଇଛି ।
ସୂଚନା ଅନୁଯାୟୀ, ଏସସିବିରେ ଜଗତସିଂହପୁର ଜିଲ୍ଲାର ୩୪ ବର୍ଷୀୟା ଅନାମିକା ସାହୁଙ୍କର ପ୍ରତିରୋପଣ କରାଯାଇଛି । ତାଙ୍କର କିଡନୀ ଖରାପ ଥିବାରୁ ଏସସିବିରେ ତାଙ୍କ ନାମ ପଞ୍ଜିକରଣ କରାଯାଇଥିଲା । ଅସ୍ତ୍ରୋପଚାର ଲାଗି କିଡନୀ ଆବଶ୍ୟକତା ଥିବାରୁ ସେ ଯୋଗାଯୋଗାରେ ରହିଥିଲେ । କିଡନୀ ମିଳିବା ପରେ ଏସସିବି କର୍ତ୍ତୃପକ୍ଷ ତାଙ୍କୁ ସୂଚନା ଦେଇଥିଲେ । ସେ ମୁମ୍ବାଇରେ ରହୁଥିବା ବେଳେ ସୂଚନା ପାଇ ଗତ ସୋମବାର ରାତିରେ ସେ କଟକ ଆସିଥିଲେ । ମଙ୍ଗଳବାର ସକାଳେ ବିଭିନ୍ନ ପରୀକ୍ଷାନିରୀକ୍ଷା ପରେ ତାଙ୍କର କିଡନୀ ପ୍ରତିରୋପଣ ହୋଇଥିବା ୟୁରୋଲୋଜି ବିଭାଗୀୟ ମୁଖ୍ୟ ଡାକ୍ତର ସମୀର ସ୍ୱାଇଁ ସୂଚନା ଦେଇଛନ୍ତି । ତେବେ ବ୍ରହ୍ମପୁର ବାସୁଦେବନଗର ଅଞ୍ଚଳରେ ରହୁଥିବା ସପନ କୁମାର ବିନ୍ଧାଣୀ ଓ ସୁନୀତା ପ୍ରଧାନଙ୍କ ଝିଅ ସିଦ୍ଧି ସମୃଦ୍ଧି । ଗତ ଗୁରୁବାର ଦିନ ମୁଣ୍ଡ ବିନ୍ଧା ହେବା ସହିତ ସିଦ୍ଧିଙ୍କର ପ୍ରବଳ ବାନ୍ତି ହୋଇଥିଲା । ପରେ ଅଚେତ ହୋଇ ପଡିଥିଲେ । ପରିବାର ଲୋକେ ସିଦ୍ଧିଙ୍କୁ ଧରି ଭୁବନେଶ୍ୱର ସମ ହସ୍ପିଟାଲକୁ ଆସିଥିଲେ । ସିଦ୍ଧି ବ୍ରେନହାମରେଜର ଶିକାର ହୋଇଥିବା ଜଣାପଡ଼ିଥିଲା । ଚିକିତ୍ସା ଚାଲିଥିବା ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଘଟି ନଥିଲା । ସିଦ୍ଧିଙ୍କୁ ୩ ଦିନ ଭେଣ୍ଟିଲେଟରରେ ରଖାଯିବା ପରେ ଡାକ୍ତରମାନେ ମସ୍କିଷ୍କ ମୃତ ବୋଲି ଘୋଷଣା କରିଥିଲେ । ଏହା ଜାଣିବା ପରେ ଝିଅର କିଡନୀ ଦାନ କରିବାକୁ ମନସ୍ଥ କରିଥିଲେ । ଝିଅର ମୃତ୍ୟୁ ପରେ ଅନ୍ୟ କାହାର ଉପକାର ଆସିବ ବୋଲି ଏଭଳି ନିଷ୍ପତ୍ତି ନେଇଥିଲେ । ସୋମବାର ବିଳମ୍ବିତ ରାତିରେ ସିଦ୍ଧିଙ୍କ ଅଙ୍ଗଦାନ ଲାଗି ମେଡିକାଲ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ସମସ୍ତ ପ୍ରକ୍ରିୟା ଶେଷ ପରେ ତାଙ୍କର ଦୁଇଟି ଯାକ କିଡନୀ ଦାନ କରାଯାଇଥିଲା । ଏହାପରେ ସମ କର୍ତ୍ତୃପକ୍ଷ ଏସସିବିର ୟୁରୋଲୋଜି ବିଭାଗକୁ ଜଣାଇଥିଲେ । ଏସସିବି ୟୁରୋଲୋଜି ବିଭାଗୀୟ ମୁଖ୍ୟ ଡାକ୍ତର ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଡାକ୍ତର ସଞ୍ଜୟ ଚୌଧୁରୀ ଓ ଡାକ୍ତର ଅରୁଣ ଆଚାର୍ଯ୍ୟ ସମ ହସ୍ପିଟାଲକୁ ଯାଇଥିଲେ । ସେଠାରୁ ସୁରକ୍ଷିତ ଭାବେ କିଡନୀ ଏସସିବିକୁ ଅଣାଯାଇଥିଲା । ପ୍ରତିରୋପଣ କରାଯିବା ସମୟରେ ୟୁରୋଲୋଜି ବିଭାଗୀୟ ମୁଖ୍ୟ ଡାକ୍ତର ସ୍ୱାଇଁଙ୍କ ସମେତ ଡାକ୍ତର ସବ୍ୟସାଚ୍ଚୀ ପଣ୍ଡା, ଡାକ୍ତର ସଞ୍ଜୟ ଚୌଧୁରୀ, ନେଫ୍ରୋଲୋଜି ବିଭାଗର ଡାକ୍ତର ଶରତ ପରିଡା, ନିଶ୍ଚେତକ ଡାକ୍ତର କଲ୍ୟାଣୀ ପରିଡା, ଡାକ୍ତର ଅରୁଣା ଆଚାର୍ଯ୍ୟ, ଡାକ୍ତର ଦେବାଶିଷ ମହାଳି ଓ ୟୁରୋଲୋଜି ବିଭାଗର ଅସ୍ତ୍ରୋପଚାର କର୍ମଚାରୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଦୀର୍ଘଦିନର ବ୍ୟବଧାନ ପରେ ତଥା କୋଭିଡ଼ ମହାମାରୀ ପରବର୍ତ୍ତୀ ସମୟରେ ପୁଣି ଥରେ ଏସସିବିରେ ଏଭଳି ସଫଳ କିଡନୀ ପ୍ରତିରୋପଣ ହୋଇଛି । ଅନ୍ୟପକ୍ଷରେ ସିଦ୍ଧିଙ୍କର ଅନ୍ୟ କିଡନୀଟି ଆପୋଲୋ ହସ୍ପିଟାଲରେ ସନ୍ତୋଷ ଗୁପ୍ତାଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିବା ଜଣାପଡ଼ିଛି । ତାଙ୍କ ଘର ରାଉରକେଲାର ବୋଲି ସୂଚନା ମିଳିଛି । ତେବେ ଉଭୟ ସ୍ଥାନରେ ସଫଳତାର ସହ କିଡନୀ ପ୍ରତିରୋପଣ କରାଯାଇଛି । ଏଥିପାଇଁ ରୋଗୀଙ୍କ ପରିବାର ପକ୍ଷରୁ ରାଜ୍ୟ ସରକାରଙ୍କ ସମେତ ସୋଟୋ ଟିମ, ଅତିରିକ୍ତ ଡିଏମଇଟି ପ୍ରଫେସର ଉମାକାନ୍ତ ଶତପଥୀ, ଏସସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରସନ୍ନଜିତ ମହାନ୍ତି, ଅଧିକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ଡାକ୍ତର ଗୀତା ସାହୁ, ଡାକ୍ତର ବିଭୁତି ନାୟକଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *