ଆଶାକର୍ମୀ, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ

ଆଶାକର୍ମୀ, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ବାର୍ଷିକ ସମ୍ମିଳନୀ

ଫଟୋ- ଅଜିତ କୁମାର ମଲ୍ଲିକ

କୋଣାର୍କ (ଏନ୍‌.ଏମ୍‌.): ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତିର ବାର୍ଷିକ ସମ୍ମିଳନୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସ୍ଥିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆଶାକର୍ମୀମାନଙ୍କ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ମହାମାରୀ କରୋନା ସମୟରେ ସମସ୍ତେ ସୁରକ୍ଷିତ ରହିବାକୁ ଉଦ୍ୟମ କରୁଥିବାବେଳେ ଆଶା କର୍ମୀମାନେ ଘର ଘର ବୁଲି ଅନ୍ୟମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ତଥ୍ୟ ରଖୁଥିଲେ । କୋଭିଡ ରୋଗୀମାନଙ୍କୁ ନେବା ଆଣିବା ବ୍ୟବସ୍ଥା, ଶତ ପ୍ରତିଶତ ଟୀକାକରଣ ହାସଲ, ବିଭିନ୍ନ ସ୍ୱାସ୍ଥ୍ୟ ସର୍ବେକ୍ଷଣ ବେଳେ ସେମାନଙ୍କ ଭୂମିକା ପ୍ରଶଂସନୀୟ । କରୋନାରେ ପ୍ରାଣ ହରାଇଥିବା ଆଶକର୍ମୀମାନଙ୍କ ଉଦ୍ଦେଶ୍ୟରେ ଏହି ବୈଠକରେ ସ୍ମୃତିଚାରଣ କରାଯାଇଥିଲା । କୋଭିଡ ପରିଚାଳନାରେ ଓଡିଶା ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । କରୋନା ଯୋଦ୍ଧା ଭାବେ ଆଶାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ଶ୍ରୀ ବର୍ମା କହିଛନ୍ତି । ଏହି ଅବସରରେ ଡେଲାଙ୍ଗ ବ୍ଲକ ଅରିସଲର ଆଶାକର୍ମୀ ସଚଳା ବେହେରା, କଣାସ ଗଡିଶାଗଦାର ଝୁନାମଣି ପାଇକରାୟ, ପିପିଲି ଗୁଡିଆପୋଖରୀର ମଞ୍ଜୁବାଳା ଦେବୀଙ୍କୁ କରୋନା ମହାମାରୀ ସମୟରେ ସେମାନଙ୍କ ଅବଦାନ ନିମନ୍ତେ ମାନପତ୍ର, ଟ୍ରଫି ସହ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରି ସମ୍ମାନିତ କରାଯାଇଛି । ଏଥିସହ ୧୨ଟି ଗାଁ କଲ୍ୟାଣ ସମିତି, ୫ ଗ୍ରାମ ପଞ୍ଚାୟତ ୧୦ଟି ମହିଳା ଆରୋଗ୍ୟ ସମିତିକୁ ମଧ୍ୟ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଜାତା ମିଶ୍ର, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିରଜାଶଙ୍କର ରଥ, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଅଧ୍ୟକ୍ଷ ଡାକ୍ତର ସୁଦର୍ଶନ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ମହାପାତ୍ର, ରାଜ୍ୟ ସ୍ୱାସ୍ଥ୍ୟ ମିଶନ ଓଡିଶା ତରଫରୁ ସୁଶାନ୍ତ କୁମାର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ କ୍ଷେତ୍ରରେ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସେବା ଯୋଗାଇ ଦେବାରେ ଆଶାକର୍ମୀମାନଙ୍କ ଅବଦାନ ଉପରେ ମତବ୍ୟକ୍ତ କରିଥିଲେ । ଆଶା ସଂଯୋଜକ ଅଶୋକ କୁମାର ସାହୁ ଏହି ସମ୍ମିଳନୀର ଉଦେଶ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ ଓ ଆଶାମାନଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ଏବଂ ପୁରସ୍କୃତ କରାଯାଇଥିଲା । କୁଇଜି ପ୍ରତିଯୋଗିତା କରାଯାଇ ସଠିକ ଉତ୍ତର ଦେଇଥିବା ବ୍ୟକ୍ତି ବିଶେଷଙ୍କ ମଧ୍ୟ ପୁରସ୍କୃତ କରାଯାଇଥିଲା । ଡିପିଏମ ଟି. ନାରାୟଣ ରାଓ, ବିଜୟ ନାୟକ, ଜିଲ୍ଲା ହିସାବ ରକ୍ଷକ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ପୁରୀ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *