ଆଠଗଡରେ କାରଗିଲ ବିଜୟ ଦିବସ

ଆଠଗଡରେ କାରଗିଲ ବିଜୟ ଦିବସ

News by Maheswar Behera (Athagarh)

ଆଠଗଡ଼(ଏନ୍‌.ଏମ୍‌.): ଭାରତୀୟ ସେନାର ସୌର୍ଯ୍ୟ ଏବଂ ପରାକ୍ରମର ଦିବସ ବିଜୟ ଦିବସ । ଆଜିର ଦିନରେ ଭାରତୀୟ ସେନାର ବୀର ସନ୍ତାନମାନଙ୍କ ବଳିଦାନରେ ପାକିସ୍ତାନର ଆଘୋଷିତ ଯୁଦ୍ଧକୁ ଜୟ କରିଥିଲା ଭାରତୀୟ ସେନା । କାରଗିଲ ପାହାଡ ଉପରେ ତ୍ରିରଙ୍ଗା ଉଡାଇବାର ସ୍ୱର୍ଣିମ ମୂହୃର୍ତ୍ତକୁ ମନେ ପକେଇବା ପାଇଁ ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ ବିଜୟ ଦିବସ ଭାବରେ ସାରା ଦେଶରେ ପାଳିତ ହେଉଛି । ଓଡ଼ିଶାର ୧୩ ଜଣ ବୀର ସନ୍ତାନ ଏହି ଯୁଦ୍ଧରେ ମା’ ମାଟି ପାଇଁ ସହିଦ ହୋଇଥିବା ଯୋଗୁଁ ପ୍ରତ୍ୟେକ ଓଡିଆ ପାଇଁ ଏହା ଏକ ସ୍ମରଣୀୟ ଦିନ । ଏହି ଦିବସକୁ ଆଜି ଆଠଗଡରେ ପୂର୍ବତନ ସୈନିକ ତଥା ସମାଜସେବୀ ଅଭୟ ବାରିକ ଆଠଗଡର ଝୁଲଣ ପଡିଆ ଠାରେ ଏହି ଦିବସକୁ ଏକ ବର୍ଣାଢ୍ୟ ଢଙ୍ଗରେ ପାଳନ କରିଛନ୍ତି । ରଥଗଡା ଛକ ଠାରେ ବାଲୁକାଶିଳ୍ପୀ ସୁବଳ ମହାରଣାଙ୍କ ଦ୍ୱାରା କାରିଗିଲ ବିଜୟ ଦିବସର ବାଲୁକାକଳା ଚିତ୍ର ପ୍ରଦର୍ଶନୀ କରାଯାଇଥିଲା । ଏହି ଅବସରରେ ଶ୍ରୀ ବାରିକ ସହିଦ ପରିବାରର ସଦସ୍ୟ ମାନଙ୍କର ଗୋଡ଼ ଧୋଇ ଦେବା ସହ ସେମାନଙ୍କୁ ସମ୍ମାନ ଜଣାଇଥିଲେ । ବାଲୁକାଚିତ୍ର ପ୍ରଦର୍ଶନୀ ସହିତ ୫୦୦ ମିଟର ଲମ୍ବର ଏକ ଜାତୀୟ ପତାକା ଶୋଭାଯାତ୍ରାରେ ବାହାରି ଆଠଗଡ ସହର ପରିକ୍ରମା କରିଥିଲା । ବରିଷ୍ଠ ଆଇନଜୀବୀ ପ୍ରାଣକୃଷ୍ଣ ଦାସଙ୍କ ପୌରହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ୧୩ଜଣ ସହିଦ ଜବାନଙ୍କ ମଧ୍ୟରୁ ଓଡ଼ିଶାର ସମସ୍ତ ୭ ଜଣଙ୍କ ପରିବାରକୁ ସମ୍ମାନିତ କରାଯାଇଥିଲା । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର କୁସୁଡା ଗ୍ରାମର ଗଙ୍ଗାରାମ ଦାସ ପୁରୀଜିଲ୍ଲା କଣାସ ବ୍ଲକ ରକ୍ତପାଟଗାଁର ସହିଦ ପ୍ରମୋଦ ପଟ୍ଟନାୟକ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନ ଗ୍ରାମର ସହିଦ ଗୋପିନାଥ ମହାରଣା, ବାଲେଶ୍ୱର ଜିଲ୍ଲାର ନୀଳଗିରି ବ୍ଲକ ବ୍ରହ୍ମପୁର ଗ୍ରାମର ସହିଦ ମହେଶ୍ୱର ବେହେରା, କଟକ ଜିଲ୍ଲା ଚୌଦ୍ୱାର ସହିଦ ରାଜକିଶୋର ସାହୁ, ଅନୁଗୋଳ ଜିଲ୍ଲା ସୁଗୁଡ଼ା ଗ୍ରାମର ସହିଦ ମାନସ ରଞ୍ଜନ ସାହୁ, ବ୍ରହ୍ମପୁର ସହର ଉପକଣ୍ଠ ଜଗଦଲପୁରର ସହିଦ ଏସ. ଶ୍ରୀନିବାସ ପାତ୍ରଙ୍କ ପରିବାରଙ୍କୁ ଆମନ୍ତ୍ରିତ କରାଯାଇ ଟ୍ରଫି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ମଞ୍ଚରେ ସମ୍ମାନିତ କରାଯାଇଥିଲା । ପରେ ପରେ ଛୋଟ ଛୋଟ ପିଲାମାନେ ବିଭିନ୍ନ ଦେଶାତ୍ମବୋଧକ ଗୀତରେ ଅଭିନୟ ଓ ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରୋଜ ଦାସ, ପ୍ରଶାନ୍ତ ବେହେରା, ଟୁକୁ ସାମଲ, ଲୁଲୁ ଦାସ, ଜ୍ଞାନରଞ୍ଜନ ମହାପାତ୍ର, ଅକ୍ଷୟ କୁମାର ନାୟକ, ହେମନ୍ତ ନାୟକ, ପ୍ରୋମୋଦ ଜେନା, ତାପସ ରାଉତ, ପ୍ରତାପ ନାୟକ, ଅନୁପମ ଜେନାଙ୍କ ସମେତ ବହୁ ଅବସରପ୍ରାପ୍ତ ସୈନିକ ମାନେ ସାମିଲ ହୋଇଥିଲେ । ଶ୍ରୀ ବାରିକଙ୍କ ଏଭଳି କାର୍ଯ୍ୟକ୍ରମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *