ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଚୌଦ୍ୱାର ଉତ୍ସବମୁଖର

ଚୌଦ୍ୱାର(ଏନ୍.ଏମ୍.): ଐତିହାସିକ କୁମାର ପୂର୍ଣ୍ଣିମା ଓ ରୂପଯାତ୍ରା ନିମନ୍ତେ ଏବେ ନବବଧୁ ଭଳି ସଜେଇ ହୋଇଛି ଐତିହାସିକ ଶିଳ୍ପନଗରୀ ଚୌଦ୍ୱାର। କୁମାର ପୂର୍ଣ୍ଣିମା ଅବସରରେ ଏଠାରେ ମା’ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଯାଇଛି। ଏଥିପାଇଁ ସମ୍ପୂର୍ଣ୍ଣ ଚୌଦ୍ୱାର ଏବେ ହୋଇ ଉଠିଛି ଉତ୍ସବ ମୁଖର। ତେବେ ୬ ତାରିଖ ଦିନ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୈଦିକ ରୀତିନୀତି ଅନୁସାରେ ପୂଜାଚ୍ଚର୍ନା ଯଥା କଳସଯାତ୍ରା, ସୂର୍ଯ୍ୟପୂଜା, ମଣ୍ଡଳପୂଜା, ହୋମ ଆଦି ପୂଜାକାର୍ଯ୍ୟ ଶେଷ ହୋଇଥିଲା। ଆଜି ବିଭିନ୍ନ ମଣ୍ଡପ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ମନୋରମ ହୋଇ ପାରିଛି। ଦୀର୍ଘ ୧୨୦ବର୍ଷ ଧରି ପାଳିତ ହୋଇ ଆସୁଥିବା ଏହି ଐତିହାସିକ ରୂପଯାତ୍ରା ତା’ର ଅକ୍ଷୁର୍ଣ୍ଣତା ବଜାୟ ରଖିଥିବାରୁ ସାରା ଓଡ଼ିଶାରେ ବେଶ ପ୍ରଶଂସା ସାଉଁଠୁଥିବାର ଜଣାପଡ଼ିଛି। ୭ ଓ ୮ ତାରିଖ ଦୁଇଦିନ ଧରି ବିଭିନ୍ନ ଅନୁଷ୍ଠାନ, ସାହି ତଥା ବଜାର କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବାକୁ ଥିବାବେଳେ। ୯ତାରିଖ ଦିନ ମେଢ଼ଗୁଡ଼ିକ ମଣ୍ଡପ ଛାଡ଼ି ମେଲଣ ପଡିଆକୁ ଯିବ। ପୁନଶ୍ଚ ୧୦ତାରିଖ ଦିନ ମେଳଣ ପଡ଼ିଆରୁ ଚିତ୍ତାକର୍ଷକ ରୋଷଣୀ ସହ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେବ। ଏହି ଯାତ୍ରାରେ ବିଭିନ୍ନ ସାହି ତଥା ବଜାରର ୪୩ ଟି ମଣ୍ଡପରୁ ବିଭିନ୍ନ ଦେବଦେବୀଙ୍କ ମୃଣ୍ମୟୀ ପ୍ରତିମା ଏହି ରୂପଯାତ୍ରାରେ ସାମିଲ ହେଉଛନ୍ତି। ବିଭିନ୍ନ ପୂଜାମଣ୍ଡପ ମାନଙ୍କରେ ହରପାର୍ବତୀ, ମା’ ଦୁର୍ଗା, ଲକ୍ଷ୍ମୀ ନରାୟଣ, ଗଜଲକ୍ଷ୍ମୀ, ହନୁମାନ ଆଦି ବିଭିନ୍ନ ମୃଣ୍ମୟୀ ମୂର୍ତ୍ତୀମାନ ରହିଛନ୍ତି।
