ଚୌଦ୍ୱାର ଥାନାରେ ହାଜତ ମୃତ୍ୟୁ ଅଭିଯୋଗ: ପୁଲିସର ଦାୟିତ୍ୱ ଓ କର୍ତ୍ତବ୍ୟ ନେଇ ପ୍ରଶ୍ନବାଚୀ, ୩ ନିଲମ୍ବନ


#ଚୌଦ୍ୱାର(ଏନ୍‌.ଏମ୍‌.): କଟକ କମିଶନରେଟ ପୁଲିସ ପାଇଁ ପୁଣି ଏକ କଳଙ୍କ। କମିଶନରେଟ ପୁଲିସ ଅଧିନସ୍ଥ ଚୌଦ୍ୱାର ଥାନାରେ ଜଣେ ଅଭିଯୁକ୍ତର ହାଜତ ମୃତ୍ୟୁ ଘଟଣାକୁ ନେଇ ପୁଲିସର ଦାୟିତ୍ୱ ଏବଂ କର୍ତ୍ତବ୍ୟ ଉପରେ ଉଠିଛି ପ୍ରଶ୍ନବାଚୀ। ପୁଲିସ ବାଡେଇ ବାଡେଇ ମାରିଦେଲା ନା ପୁଲିସର ଖାମଖିଆଲି ବ୍ୟବସ୍ଥାର ସୁଯୋଗ ନେଇ ଅଭିଯୁକ୍ତ ଆତ୍ମହତ୍ୟା କଲା ତାହା ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ଶଙ୍କରପୁର ଅଞ୍ଚଳର ରସାନନ୍ଦ ନାୟକ (୩୯)ଙ୍କୁ ଚୌଦ୍ୱାର ପୁଲିସ ବାଇକ ଚୋରି ଅଭିଯୋଗରେ ଉଠାଇ ଆଣିଥିଲା। ତେବେ ଥାନାର ନବୀକରଣ କାର୍ଯ୍ୟ ଚାଲୁଥିବା ଯୋଗୁଁ ଅଭିଯୁକ୍ତ ରସାନନ୍ଦଙ୍କୁ ପୁଲିସ ବାରାକରେ ରଖିବା ସହ ଅଧିକ ତଥ୍ୟ ହାସଲ କରିବା ନିମନ୍ତେ ନିସ୍ତୁକ ପିଟିଥିଲା। ଏପରିକି ଅଭିଯୁକ୍ତର ଭାଇଙ୍କ ସମ୍ମୁଖରେ ଥାନାର ପଛପଟ ରୁମରେ ଏକ ପାଇପ ଯୋଗେ ପୁଲିସ ନିସ୍ତୁକ ମାଡ଼ ମାରିଥିଲେ ବୋଲି ତାଙ୍କ ଭାଇ ପ୍ରକାଶ କରିଛନ୍ତି। ତେବେ ମାଡ଼ରେ ଅତିଷ୍ଟ ହୋଇ ରସାନନ୍ଦ ନିଜ ପ୍ୟାଣ୍ଟରେ ପିନ୍ଧିଥିବା ବେଲ୍ଡକୁ ବେକରେ ବାନ୍ଧି ଥାନା ପରିସରରେ ଥିବା ଏକ ଗଛରେ ଝୁଲିପଡ଼ିଥିଲେ। ରସାନନ୍ଦର ଚିତ୍କାର ଶୁଣି ଥାନାରେ ଥିବା କର୍ମଚାରୀ ସେଠାକୁ ଧାଇଁ ଆସିଥିଲେ। ଏବଂ ଘଟଣାସ୍ଥଳରେ ରସାନନ୍ଦ ଝୁଲୁଥିବା ଦେଖି ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ମେଡ଼ିକାଲ (ଏସସିବି)କୁ ପଠାଇଥିଲେ। ସେଠାରେ ଟ୍ରମା କେୟାରରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ଆଜି ଉକ୍ତ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖବର ପାଇ ମୃତକଙ୍କ ପରିବାର ଲୋକେ ଏସସିବିରେ ପହଞ୍ଚି ପୁଲିସ ରସାନନ୍ଦଙ୍କୁ ମାରିଦେଇଥିବା ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଖବର ଲେଖା ହେବା ପର୍ଯ୍ୟନ୍ତ ଏସଂକ୍ରାନ୍ତରେ ଚୌଦ୍ୱାର ପୁଲିସର ଯେ କୌଣସି ଅଧିକାରୀଙ୍କ ପଚାରିବାରେ ସେ ଥାନାରେ ନଥିଲେ ବୋଲି କହି ପ୍ରସଙ୍ଗରୁ ଏଡାଇ ଯାଇଥିଲେ। ମାତ୍ର ଏଠାରେ ପ୍ରଶ୍ନ ଉଠୁଛି ଥାନା କ’ଣ ବିନା ଅଧିକାରୀରେ ଚାଲୁଛି? ଏହାକୁ ନେଇ ମଧ୍ୟ ସାଧାରଣରେ ଚର୍ଚ୍ଚା ହେଉଥିବାବେଳେ ପୁଲିସର ପାରିବା ପଣିଆ ଜଳ ଜଳ ହୋଇ ଦିଶୁଛି ବୋଲି ଆଲୋଚନା ହେଉଛି। ତେବେ ପ୍ରତ୍ୟେକ ଥାନାରେ ସିସିଟିଭି ରହିବା ବିଭାଗ ପକ୍ଷରୁ ବାଧ୍ୟତା ମୂଳକ କରାଯାଇଥିବାବେଳେ ଚୌଦ୍ୱାର ଥାନାରେ କେଉଁଠି ସିସିଟିଭି ଲାଗୁଛି ଆଉ କାହା ସ୍ୱାର୍ଥରେ ବୋଲି ଚର୍ଚ୍ଚା ହେଉଛି। ଯଦି ଜଣେ ଅଭିଯୁକ୍ତ ଆତ୍ମହତ୍ୟା କରିବା ଭଳି ସୁଯୋଗ ପାଇଲା ଏଥି ପାଇଁ ଦାୟୀ କିଏ ? ଗୋଟିଏ ପଟେ ଅଭିଯୁକ୍ତକୁ ଜଣେ ଥାନା କର୍ମଚାରୀ ଜଗିବାର ପ୍ରାବଧାନ ରହିଥିବାବେଳେ କିଭଳି ସେ ହାଜତରୁ ଖସି ନିଜ ବେଲ୍ଟ ଦ୍ୱାରା ଗଛରେ ଝୁଲି ପଡ଼ିଲା, ହାଜତରେ ରଖିବା ବେଳେ ତାଙ୍କ ପ୍ୟାଣ୍ଟରୁ ବେଲ୍ଟ କାହିଁକି ବାହାର କରାଯାଇନଥିଲା ଏସବୁ ଘଟଣାକୁ ନେଇ ବିଭିନ୍ନ ଆଲୋଚନା ହେଉଛି। ତେବେ ଏ ନେଇ ପୁଲିସ ବିଭାଗ ପକ୍ଷରୁ ଚୌଦ୍ୱାର ଥାନା ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଥାନାର ଭାରପ୍ରାପ୍ତ ଅଧିକାରୀ ତଥା ଏସିପି ବିଶ୍ୱରଞ୍ଜନ ସାହୁ, ସବଇନ୍ସପେକ୍ଟର ନିରଞ୍ଜନ ଗୌଡ଼ା ଓ କନେଷ୍ଟବଳ କମଳଲୋଚନ ମାଝୀଙ୍କୁ ନିଲମ୍ବନ କରାଯାଇଛି।

Leave a Reply

Your email address will not be published. Required fields are marked *