ରୂପଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଚୌଦ୍ୱାର, ସୂଚନା କେନ୍ଦ୍ର ଠାରେ ମୁଖପତ୍ର ଉନ୍ମୋଚନ


ଚୌଦ୍ୱାର(ଏନ୍‌.ଏମ୍‌.): ଶିଳ୍ପନଗରୀ ଚୌଦ୍ୱାରରେ ଐତିହାସିକ ରୂପଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମ୍ପୂର୍ଣ୍ଣ ଅଞ୍ଚଳ। ବଜାର ଘାଟରେ ରଙ୍ଗିନ ଆଲୋକମାଳା ସାଙ୍ଗକୁ ମେଳଣ ପଡ଼ିଆରେ ବ୍ୟବସାୟୀଙ୍କ ପସରା ଖୋଲା ସମ୍ପୂର୍ଣ୍ଣ ଚୌଦ୍ୱାରକୁ ଉତ୍ସବମୁଖର କରି ପାରିଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରୂପଯାତ୍ରା ଆରମ୍ଭ ହୋଇଛି। ଚୌଦ୍ୱାର ତଥା ଏହାର ଆଖପାଖ ଅଞ୍ଚଳରୁ ଗଜଲକ୍ଷ୍ମୀ ପୂଜା ଅବସରରେ ବିଭିନ୍ନ ଦେବଦେବୀଙ୍କର ପ୍ରାୟ ୪୩ ଖଣ୍ଡ ମେଢ଼ ଏକାଠି ହେଉଥିବାରୁ ଏହାକୁ ରୂପଯାତ୍ରା ବୋଲି କୁହାଯାଏ। ଏହି ଯାତ୍ରାରେ ଡାଲାକୁଲା ଝାଡ଼ୁ ଠାରୁ ଆରମ୍ଭ କରି ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନର ପସରା ସହ ମନୋରଞ୍ଜନ ପାଇଁ ଲାଗିଥିବା ଦୋଳିରେ ଲୋକଙ୍କ ଭିଡ ଜମିବାକୁ ଲାଗିଲାଣି।
ଏହି ପରିପ୍ରେକ୍ଷୀରେ ଆଜି ସଂଧ୍ୟାରେ ମେଳଣ ପଡ଼ିଆସ୍ଥିତ ସୂଚନା କେନ୍ଦ୍ର ଠାରେ ରୂପଯାତ୍ରାର ମୁଖପତ୍ର ‘ବିରାଟ ଚୌଦ୍ୱାର’ ପୁସ୍ତକ ଉନ୍ମୋଚନ ହୋଇଯାଇଛି। ଚୌଦ୍ୱାର ରୁପଯାତ୍ରା କମିଟି ପକ୍ଷରୁ ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପ୍ରମୁଖ ଯୋଗଦେଇ ପୁସ୍ତକକୁ ଉନ୍ମୋଚନ କରିଥିଲେ। ପ୍ରାୟ୧୨୦ ବର୍ଷରୁ ଉର୍ଦ୍ଧ୍ୱ ବର୍ଷ ଧରି ଏହି ରୁପଯାତ୍ରାକୁ ଚଳାଇ ଆସିଥିବାରୁ ଏହାର କର୍ମକର୍ତ୍ତାଙ୍କୁ ବିଧାୟକ ଭୂରି ଭୂରି ପ୍ରଶଂସା କରିଥିଲେ। ଏହି ଅବସରରେ ସ୍ଥାନୀୟ ଜନସାଧାରଣ ସାହାଯ୍ୟ ସହଯୋଗ କରିବାକୁ ନିବେଦନ କରିବା ସହ ସମସ୍ତ ପୂଜା କମିଟି ସଭାପତି ସମ୍ପାଦକଙ୍କୁ ଅଶେଷ ଧନ୍ୟବାଦ୍ ଦେଇଥିଲେ। ପୁନଶ୍ଚ ଏହି ମେଳଣକୁ କିଭଳି ଶାନ୍ତି ଶୃଙ୍ଖଳା ସହିତ ସମାପନ କରାଯିବ ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଆସନ୍ତା ୧୯ ଓ ୨୦ ତାରିଖ ଦୁଇଦିନ ଧରି ମେଳଣ ହେବା ସହ ପ୍ରଥମ ଦିନ ମେଢ଼ ଗୁଡ଼ିକ ନିଜ ନିଜ ମଣ୍ଡପ ଛାଡି ପଡିଆକୁ ଆସିବେ ଓ ପର ଦିନ କ୍ରମାନ୍ୱୟରେ ବିସର୍ଜନ ହେବାକୁ ନଦୀ କୂଳକୁ ଯିବେ। ଏହାପୂର୍ବରୁ ବିଭିନ୍ନ ଅନୁଷ୍ଠାନ ଓ ବଜାର ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟାଜନ କରାଯିବା ସହ ଯାତ୍ରା ପଡ଼ିଆରେ ମଧ୍ୟ ଦୋକାନ ବଜାରର ଭିଡ଼ ସମେତ ଦର୍ଶକମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯାତ୍ରା କମିଟି କାର୍ଯ୍ୟକାରୀ ସଭାପତି ପ୍ରଦୀପ ନାୟକ, ସମ୍ପାଦକ ନାରାୟଣ ସାହୁଙ୍କ ସମେତ ସ୍ଥାନୀୟ ମୂରବୀ, ବିଭିନ୍ନ ୱାର୍ଡର କାଉନସିଲର, ସମାଜସେବୀ ଉପସ୍ଥିତଥିଲେ।

Leave a Reply

Your email address will not be published. Required fields are marked *