‘ମୋ ଘର’ ମାଧ୍ୟମରେ ଓଡିଶାବାସୀଙ୍କୁ ‘ଆକାଶ କଇଁଆ, ଚିଲିକା ମାଛ’ର ମିଛ ସ୍ୱପ୍ନ ଦେଖାଉଛନ୍ତି ରାଜ୍ୟ ସରକାର: ପୃଥ୍ୱୀରାଜ ହରିଚନ୍ଦନ

‘ମୋ ଘର’ ମାଧ୍ୟମରେ ଓଡିଶାବାସୀଙ୍କୁ ‘ଆକାଶ କଇଁଆ, ଚିଲିକା ମାଛ’ର ମିଛ ସ୍ୱପ୍ନ ଦେଖାଉଛନ୍ତି ରାଜ୍ୟ ସରକାର: ପୃଥ୍ୱୀରାଜ ହରିଚନ୍ଦନ
– ମୋ ଘର ଯୋଜନାରେ ଭ୍ରଷ୍ଟାଚାର ମୂଳ ମଞ୍ଜି ରାଜ୍ୟ ସରକାର ପୋତିଛନ୍ତି
– ଋଣ ସୁଝି ନପାରିଲେ ବନ୍ଧା ପଡିଥିବା ବାପା, ଅଜା ଅମଳର ଘର ଡିହ ମଧ୍ୟ ହାତରୁ ଚାଲିଯିବ
– ବ୍ୟାଙ୍କ ଋଣ ନୁହେଁ ଲୋକଙ୍କୁ ମାଗଣା ଘର ଦିଅନ୍ତୁ ରାଜ୍ୟ ସରକାର

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟର ବାସହୀନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଦି ସରକାର ପର୍ଯ୍ୟାପ୍ତ ପରିମାଣର ପକ୍କାଘର ଯୋଗାଇ ଦେଇଛନ୍ତି । ୩୪,୦୬୩ କୋଟି ଟଙ୍କା ଅନୁଦାନରେ ଓଡିଶାର ପ୍ରାୟ ୨୬.୯୫ଲକ୍ଷ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ମୋଦି ସରକାର ଲକ୍ଷ୍ୟ ରଖିଥିବାବେଳେ ଓଡିଶା ସରକାରଙ୍କ ସ୍ଥାଣୁତା, ଅପାରଗତା ଓ ମନ୍ଦ ଅଭିସନ୍ଧି ଯୋଗୁଁ ୯.୫ଲକ୍ଷ ପରିବାର ଏହି ସୁବିଧାରୁ ଏବେ ଯାଏ ବଞ୍ଚିତ ହୋଇ ରହିଛନ୍ତି । ବ୍ୟାପକ ଦୁର୍ନୀତି, ବାଟମାରଣା ଓ ପକ୍ଷପାତିତା ଯୋଗୁଁ ହିଁ ଆଜି ସମ୍ପୂର୍ଣ୍ଣ ଦେଶରେ ଓଡିଶା ରାଜ୍ୟର ସବୁଠୁ ବେଶୀ ଗରିବ ନିଜ ଘର ପାଇ ପାରିନାହାନ୍ତି । କେନ୍ଦ୍ର ସରକାରଙ୍କ ପକ୍କା ଘର ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ବାଧକ ସାଜିଛନ୍ତି । ଅଯୋଗ୍ୟ ରାଜ୍ୟ ସରକାର ‘ମୋ ଘର’ ମାଧ୍ୟମରେ ଓଡିଶାବାସୀଙ୍କୁ ‘ଆକାଶ କଇଁଆ, ଚିଲିକା ମାଛ’ର ମିଛ ସ୍ୱପ୍ନ ଦେଖାଉଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଯୋଗ୍ୟ ବାସହୀନଙ୍କୁ ମାଗଣା ପକ୍କା ଘର ଯୋଗାଇ ଦେବାରେ ବିଫଳ ହୋଇଥିବା ବିଜେଡି ସରକାର ଗତ କାଲି ଆଉ ଗୋଟିଏ ‘ମୋ ଘର’ ନାମରେ ନୂତନ ଥିଓରୀ ରଚନା କରିଛନ୍ତି । ବିଜୁ ପକ୍କା ଘର ଯୋଜନାରେ ଗତ ୫ବର୍ଷ ଭିତରେ ମାତ୍ର ୪୮୦ଟି ଘର ନିର୍ମାଣ କରିଥିବା ବିଜେଡି ସରକାରର ଏହା ଏକ ପ୍ରହେଳିକା । ଗତ ୩ ବର୍ଷରେ ବିଜୁ ପକ୍କା ଘର ଯୋଜନାରେ ଟଙ୍କାଟିଏ ବି ବରାଦ ହୋଇ ନାହିଁ । ନିଜର ଅପାରଗତା ପଦାରେ ପଡିଲା ପରେ ଓ କେନ୍ଦ୍ରୀୟ ଗ୍ରାମ ବିକାଶ ମନ୍ତ୍ରଣାଳୟର ତାଗିଦ ପରେ ହିଁ ଓଡିଶା ସରକାର ‘ମୋ ଘର’ ଯୋଜନାର ପ୍ରହେଳିକା ସୃଷ୍ଟି କରାଉଛନ୍ତି । ମୋ ଘର ଯୋଜନାରେ ମଧ୍ୟ ପୁଣିଥରେ ଓଡିଶା ସରକାର କେନ୍ଦ୍ରୀୟ ଯୋଜନା ଗୁଡିକୁ ସବୁଜ ରଙ୍ଗ ବୋଲି ନିଜ ଯୋଜନା ଭାବେ ପ୍ରସ୍ତୁତ କରୁଛନ୍ତି । ଓଡିଶା ସରକାର ଦ୍ୱାରା ଗରିବ ଲୋକମାନଙ୍କ ପାଇଁ ନୂଆ ‘ମୋ ଘର’ ଯୋଜନା ଏକ ଭେଳିକି ସଦୃଶ । ମୋ ଘର ନାମରେ ନୂଆ ଯୋଜନା କେବଳ ‘ନୂଆ ବୋତଲରେ ପୁରୁଣା ମଦ’ ସଦୃଶ; ତେବେ ନିମ୍ନ ମଧ୍ୟବିତଙ୍କୁ ଠକିବା ପାଇଁ ଏବଂ ପ୍ରତାରିତ କରିବା ପାଇଁ ଏହି ଯୋଜନାର ଘୋଷଣା କରାଯାଇଛି । ମୋ ଘର ଯୋଜନାରେ ଭ୍ରଷ୍ଟାଚାର ମୂଳ ମଞ୍ଜି ରାଜ୍ୟ ସରକାର ପୋତିଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । କୌଣସି ମୂଳ କିମ୍ବା ଏକକାଳୀନ ସହାୟତା ବିନା କୌଣସି ଗରିବ ଲୋକ କେବେ ବ୍ୟାଙ୍କରୁ ଚକ୍ରବୃଦ୍ଧି ସୁଧରେ ଲୋନ୍ ନେଇ ଘର ତିଆରି କରେନାହିଁ । ଓଡିଶା ସରକାର ବିନା କୌଣସି ନିର୍ମାଣ ସହାୟତାରେ ଗରିବଙ୍କୁ କେବଳ ଲୋନ ନେଇ ଘର ତିଆରି କରିବାର ସ୍ୱପ୍ନ ବାଣ୍ଟୁଛନ୍ତି । ରିଜର୍ଭ ବ୍ୟାଙ୍କ ନିୟମ ଅନୁଯାୟୀ ବାର୍ଷିକ ୩ ଲକ୍ଷ ଟଙ୍କା ଆୟ ଥିବା ବ୍ୟକ୍ତିକୁ ୧୫ ଲକ୍ଷ ଟଙ୍କାର ଋଣ ମିଳୁଥିôବାବେଳେ ଏହି ଯୋଜନାରେ ମାତ୍ର ୩ ଲକ୍ଷ ଟଙ୍କା ଋଣ ମିଳିବ । ଗରିବ ଲୋକଟି ଜାଣିନି ଯେ ଏହି ୩ଲକ୍ଷ ଟଙ୍କା ଉପରେ ୯ବର୍ଷରେ ତାକୁ କେତେ ଚକ୍ରବୃଦ୍ଧି ସୁଧ ଦେବାକୁ ପଡିବ । ଜଣେ ସାଧାରଣ ବର୍ଗର ଗରିବ ବ୍ୟକ୍ତି ଯଦି ଘର ନିର୍ମାଣ ପାଇଁ ୩ଲକ୍ଷ ଟଙ୍କା ଋଣ ନିଏ, ତାକୁ ୬୦,୦୦୦ ମୂଳ ପରିମାଣର ରିହାତି ଓ ଏକ ବର୍ଷର ସୁଧ ରିହାତି ଅବଧିକୁ ବାଦ୍ ଦେଇ ୯ବର୍ଷ ମଧ୍ୟରେ ମୋଟ୍ ୪.୮ଲକ୍ଷ ଟଙ୍କା ଫେରାଇବାକୁ ପଡିବ ଯେଉଁଥିରେ କେବଳ ସୁଧ ହେଉଛି ୨.୪୦ଲକ୍ଷ ଟଙ୍କା । ସେହିପରି ଋଣ ବାବଦରେ ହିତାଧିକାରୀଙ୍କୁ ଋଣ ପରିଶୋଧ ଯାଏ ନିଜର ସ୍ଥିତିବାନ ଜମିକୁ ବନ୍ଧକ ସୂତ୍ରରେ ପଞ୍ଜିକରଣ କରିବାକୁ ପଡିବ ବୋଲି ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି । ।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ତଥା ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ଗଣମାଧ୍ୟମ ସହ ମୁଖ୍ୟ ସୁଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *