News by I&PR(Odisha)

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୨
ସମସ୍ତଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା ପାଭିଲିୟନ

News by I&PR(Odisha)

ନୂଆଦିଲ୍ଲୀ/ଭୁବନେଶ୍ୱର(ଏନ୍‌.ଏମ୍‌.): ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆୟୋଜିତ ହେଉଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଆଜି ପଞ୍ଚମ ଦିବସରେ ପହଞ୍ଚିଛି । ଏହି ମେଳାର ଓଡ଼ିଶା ପାଭିଲିୟନରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ସହଯୋଗୀ ସଂସ୍ଥାଙ୍କ ୨୪ଟି ଷ୍ଟଲ ସ୍ଥାନ ପାଇଛି । ଉତ୍କଳୀୟ କଳା, ସଂସ୍କୃତିକୁ ନେଇ ନିର୍ମିତ ଓଡ଼ିଶା ପାଭିଲିୟନ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବାବେଳେ ଏଥିରେ ଦେଶବିଦେଶର ଗ୍ରାହକମାନଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଚଳିତ ବର୍ଷ ଓଡ଼ିଶା ପାଭିଲିୟନରେ ମିଶନ ଶକ୍ତି, ଓରମାସ, ଷ୍ଟାର୍ଟ-ଅପ ଓଡ଼ିଶା, କୃଷି ଓ କୃଷକ ସଶକ୍ତିକରଣ, ଟିଡିସିସି, ଉତ୍କଳିକା, ବୟନିକା, ଏମ୍‌ଏସ୍‌ଏମ୍‌ଇ ଓ ସେରିଫେଡର ଷ୍ଟଲମାନ ଖୋଲିଛି । ଷ୍ଟଲମାନଙ୍କରେ ବିକ୍ରି ହେଉଥିବା ଓଡିଶାର ଉନ୍ନତ ମାନର ହସ୍ତତନ୍ତ, ହସ୍ତକଳା, କୋରାପୁଟ କଫି, କନ୍ଧମାଳର ଅଦା, ହଳଦୀ, ପଟ୍ଟଚିତ୍ର, ଗୋଲଡେନ ଗ୍ରାସ ନିର୍ମିତ ସାମଗ୍ରୀ ସହିତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଓରମାସ ଦ୍ୱାରା ପ୍ରସ୍ତୁତ ବିବିଧ ସାମଗ୍ରୀ ଗ୍ରାହକମାନଙ୍କୁ ଆକୃଷ୍ଟ କରୁଛି । ପାଭିଲିୟନର ସୃଜନାତ୍ମକ ସାଜସଜ୍ଜାକୁ ଦର୍ଶକମାନେ ଅଧିକ ମାତ୍ରାରେ ପସନ୍ଦ କରୁଛନ୍ତି । ଏହି ବାଣିଜ୍ୟ ମେଳାର ଆୟୋଜକ ଆଇ.ଟି.ପି.ଓ.ର ବିଚାରକ ମଣ୍ଡଳୀର ସଦସ୍ୟମାନେ ଓଡିଶା ପାଭିଲିୟନକୁ ବୁଲି ଦେଖିଥିଲେ ଏବଂ ଏହାର ପରିକଳ୍ପନା, ସାଜସଜ୍ଜା, ପରିଷ୍କାରପରିଚ୍ଛନ୍ନତା ଏବଂ ମହିଳାମାନଙ୍କୁ ଆତ୍ମନିର୍ଭର କରିବା ଏବଂ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦକୁ ବିଶ୍ୱବଜାରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପର ଭୂୟସୀ ପ୍ରଶଂସା କରିଥିଲେ । ଅନୁରୂପ ଭାବେ ପାଭିଲିୟନକୁ ଆସିଥିବା ବରିଷ୍ଠ ଆଇଏଏସ ଅଧିକାରୀ ତଥା ଜାତୀୟ ନିଯୁକ୍ତି ସଂସ୍ଥାର ସଚିବ ସଞ୍ଜୀବ ମିଶ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହାର ତାରିଫ କରିଥିଲେ । ଗତ ନଭେମ୍ବର ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ବାଣିଜ୍ୟ ମେଳା ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ବ୍ୟବସାୟୀ ଓ ବ୍ୟବସାୟିକ ସଂସ୍ଥାର ଗ୍ରାହକମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ନଭେମ୍ବର ୧୯ରୁ ୨୭ତାରିଖ ପର୍ଯ୍ୟନ୍ତ ଏହା ସାଧାରଣ ଗ୍ରାହକମାନଙ୍କ ପାଇଁ ଖୋଲା ରହିବ । ସେହିପରି ଆସନ୍ତା ନଭେମ୍ବର ୨୪ ତାରିଖ ଦିନ ଓଡିଶା ରାଜ୍ୟ ଦିବସ ପାଳନ କରାଯିବ । ଏଥିରେ ଓଡ଼ିଶାର ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନମାନଙ୍କ ପକ୍ଷରୁ ନୃତ୍ୟସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯିବ ।

By admin

Leave a Reply

Your email address will not be published. Required fields are marked *