News by Smruti Ranjan Tripathy (Cuttack)

କଟକର ଐତିହାସିକ ବାଲିଯାତ୍ରା ୨୦୨୨ ଉଦ୍‌ଘାଟିତ
‘ସାଧବ ପୁଅଙ୍କ ନୌବାଣିଜ୍ୟର ସ୍ମାରକୀ ବାଲିଯାତ୍ରା’

News by Smruti Ranjan Tripathy (Cuttack)

କଟକ(ଏନ୍‌.ଏମ୍‌.): ଦୀର୍ଘ ୨ବର୍ଷ ପରେ ଆଜି କଟକ ବାଲିଯାତ୍ରା ଉଦ୍‌ଘାଟିତ ହୋଇ ଯାଇଛି । ପୂର୍ବରୁ କରୋନା କଟକଣା ଯୋଗୁଁ ବାଲିଯାତ୍ରା ବନ୍ଦ ରହିଥିଲା । ତେବେ ଆଜିର ଉଦ୍‌ଘାଟନୀ ଉତ୍ସବରେ ଲୋକଙ୍କ ଉତ୍କଣ୍ଠା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ବାଲିଯାତ୍ରା ୨୦୨୨ର ଉଦ୍ଘାଟନୀ ଉତ୍ସବରେ ଅତିଥିମାନେ ଯୋଗଦେଇ ବାଲିଯାତ୍ରାର ଐତିହ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।
ଅଢେଇ ହଜାର ବର୍ଷ ପୂର୍ବେ ସାଧବ ପୁଅ ସାତ ଦରିଆ ପାରିରେ ବଣିଜ କରି ନିଜ ରାଜ୍ୟକୁ ସମୃଦ୍ଧ କରିଥିଲେ । ଆମର ପୂର୍ବସୂରୀମାନେ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାକୁ ଦେଶ ବିଦେଶରେ ପ୍ରଚାର ଓ ପ୍ରସାର କରି ପାରିଥିଲେ । ଓଡ଼ିଆଙ୍କ ପୂର୍ବ ଐତିହ୍ୟକୁ ଫେରାଇ ଆଣିବା ଲାଗି କଟକର ବାଲିଯାତ୍ରା ଦ୍ୱାରା ନୂତନ ସଂକଳ ସୃଷ୍ଟି ହେବ ବୋଲି ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟଜଳ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ମତବ୍ୟକ୍ତ କରିଛନ୍ତି । ଐତିହାସିକ ବାଲିଯାତ୍ରାର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ଅମାତ୍ କହିଥିଲେ ଯେ କଟକ ସହର ଭାଇଚାରା, କଳା ଓ ସଂସ୍କୃତିର ପ୍ରାଣକେନ୍ଦ୍ର । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ପ୍ରାଣକେନ୍ଦ୍ର କଟକସହର ଯାହାର ଏକ ସ୍ୱତନ୍ତ୍ର ବାଣିଜ୍ୟିକ ପ୍ରସିଦ୍ଧି ରହିଛି – ଯେଉଁଠି ସମଗ୍ର ଭାରତ ବର୍ଷରେ କୌଣସି ଉତ୍ସବ ନୌବାଣିଜ୍ୟକୁ ନେଇ ଆୟୋଜନ କରାଯାଉଛି ବୋଲି କହିଥିଲେ । ଏଥିସହିତ ଜିଲ୍ଲା ପ୍ରଶାସନ ଅନ୍ୟ ଜିଲ୍ଲା ସହିତ ସମ୍ପର୍କ ସ୍ଥାପନ କରି ବାଲିଯାତ୍ରାର ବ୍ୟବସାୟ ବୃଦ୍ଧି କରୁଥିବା ଉଦ୍ୟମକୁ ଶ୍ରୀ ଅମାତ୍ ପ୍ରଶଂସା କରିଥିଲେ । ଜିଲ୍ଲାପାଳ ଡ.ଭବାନୀଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ କଟକ ସାଂସଦ ଭର୍ତ୍ତୃହରି ମହତାବ ବାଲିଯାତ୍ରାର ଅଢେଇ ହଜାର ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ବୋଲି କହିବା ସହ ଉତ୍କଳୀୟ ବାଣିଜ୍ୟିକ ପରମ୍ପରା ଏକ ମହାନ ପରମ୍ପରା ବୋଲି ମତବ୍ୟକ୍ତ କରିଥିଲେ । ଯେତେବେଳେ ସାଧବପୁଅମାନେ ନୌଯାତ୍ରା କରୁଥିଲେ ସେତେବେଳେ କୌଣସି ବନ୍ଦର ନଥିଲା । ବନ୍ଦର ଥିଲେ ଉତ୍କଳର ବ୍ୟବସାୟ ଆହୁରି ସମୃଦ୍ଧ ହୋଇଥାଆନ୍ତା । ଏବେ ଆମ ରାଜ୍ୟରେ ବନ୍ଦରଗୁଡିକୁ ବିକଶିତ କରିବାର ଆବଶ୍ୟକତା ରହିଛି । ଏହା ହୋଇପାରିଲେ ଓଡ଼ିଶା ଆହୁରି ଆଗକୁ ଯାଇପାରିବ ବୋଲି ଶ୍ରୀ ମହତାବ କହିଥିଲେ । ଏଥିରେ ସମ୍ମାନୀତ ଅତିଥିଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତି କରଣ,ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନିଆଳି ବିଧାୟକ ପ୍ରଫେସର ଡାକ୍ତର ପ୍ରମୋଦ ମଲ୍ଲିକ, ଜିଲ୍ଲା ପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର, ସିଏମ୍‌ସି ମେୟର ସୁବାସ ସିଂହ, ଜଗତସିଂହପୁର ସାସଂଦ ରାଜଶ୍ରୀ ମଲ୍ଲିକ, କଟକସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ୍‌, ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ,ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ,ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, କଟକ ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ଅନିଲ କୁମାର ସାମଲ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡ.ସୁରେଶ ଚନ୍ଦ୍ର ଦଳାଇ, ପୁଲିସ କମିଶନର ସୌମେନ୍ଦ୍ର କୁମାର ପ୍ରୀୟଦର୍ଶୀ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ସିଏମ୍‌ସି କମିଶନର ନିଖିଲ ପବନ କଲ୍ୟାଣ, ଡିସିପି ପିନାକ ମିଶ୍ର, ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର କୋଲକାତାର ନିର୍ଦ୍ଦେଶକ ଆଶିଷ ଗିରି, ବାଲିଯାତ୍ରା ନୋଡାଲ୍ ଅଧିକାରୀ ଅମ୍ବର କର ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାପାଳ ଡ.ଚୟନୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *