ପ୍ରତିଭା ସାଂସ୍କୃତିକ କଳା ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ
ସଂସ୍କୃତି ସୁସ୍ଥ ସମାଜ ଗଠନର ମୂଳ ଉତ୍ସ: ସ୍ୱାମୀ କୃଷ୍ଣପ୍ରେମାନନ୍ଦ ସରସ୍ୱତୀ


#କଟକ(ଏନ୍‌.ଏମ୍‌.): ସଂସ୍କୃତିର ବିକାଶ ହୋଇ ପାରିଲେ ସମାଜର ଉନ୍ନତି ସମ୍ଭବ ହେବ । କଳାର ପୂର୍ଣ୍ଣ ରୂପ ହିଁ ସଂସ୍କୃତି । ଅନ୍ୟପକ୍ଷରେ କଳା ହିଁ ଆତ୍ମା ସହିତ ପରମାତ୍ମାକୁ ଯୋଡ଼ିବା ପାଇଁ ଏକ ଦୃଶ୍ୟହୀନ ସେତୁ । କଳା ମାଧ୍ୟମରେ ଭଗବାନଙ୍କ ସତ୍ତା ଦେଖିବାକୁ ମିଳେ । କଳା ମାଧ୍ୟମରେ ଭଗବାନଙ୍କ ନିକଟରେ ନିଜକୁ ସମର୍ପଣ କରିବାର ଏକ ମାଧ୍ୟମ । ଯେଉଁ ଅଞ୍ଚଳରେ କଳାର ଯେତେ ଉନ୍ନତି ହୋଇ ପାରିଛି ସେଠାରେ ସଂସ୍କୃତି ସେତେ ବିକଶିତ; ଆଉ ବିକଶିତ ସଂସ୍କୃତି ହିଁ ଏକ ସୁସ୍ଥ ସମାଜ ଗଠନର ମୂଳ ଉତ୍ସ । ତେଣୁ ସଂସ୍କୃତିକୁ ବଞ୍ଚାଇ ରଖିବା ନିମନ୍ତେ ପ୍ରତିଭା ସାଂସ୍କୃତିକ କଳା ପରିଷଦ ଯେଉଁ ଉଦ୍ୟମ ଚଳାଇଛି ତାହା ପ୍ରଶଂସନୀୟ ବୋଲି ସ୍ଥାନୀୟ ବୟାଳିଶ ମୌଜା ଶ୍ରୀରାମ ମାର୍କେଟସ୍ଥିତ କନକଦୁର୍ଗା ମଣ୍ଡପରେ କଟକ ଚିନ୍ମୟ ମିଶନର ଆଚାର୍ଯ୍ୟ ସ୍ୱାମୀ କୃଷ୍ଣପ୍ରେମାନନ୍ଦ ସରସ୍ୱତୀ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବକୁ ଉଦ୍‌ଘାଟନ କରି ମତବ୍ୟକ୍ତ କରିଥିଲେ । ସେ ପୁଣି କହିଥିଲେ ଯେ, ମନୁ ଶତରୂପାଙ୍କ କନ୍ୟା ଦେବଦୂତି ପ୍ରଜାପତି କର୍ଦମଙ୍କ ଔରଷରୁ ଜାତ ନବକନ୍ୟାଙ୍କ ମଧ୍ୟରେ ଆଦ୍ୟ କନ୍ୟାଙ୍କ ନାମ କଳା ହୋଇଥିବାବେଳେ କନିଷ୍ଠ କନ୍ୟାଙ୍କ ନାମ ଶାନ୍ତି । ତେଣୁ କଳାରୁ ଶାନ୍ତି ପର୍ଯ୍ୟନ୍ତ ପ୍ରାପ୍ତି ପାଇଁ ସଂସ୍କୃତି ହିଁ ଏକମାତ୍ର ମାଧ୍ୟମ । ଏହି ଅନୁଷ୍ଠାନର କର୍ମକର୍ତ୍ତାମାନେ ଅଞ୍ଚଳର ବିକାଶ ପାଇଁ ଯେଉଁ କାର୍ଯ୍ୟ କରିଆସିଛନ୍ତି ତାହା ସମାଜ ପାଇଁ ଏକ ଅନନ୍ୟ ଉଦାହରଣ ବୋଲି ସେ କହିଥିଲେ । ପ୍ରତିଭା ସାଂସ୍କୃତିକ କଳା ପରିଷଦ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଆଲୋକ କୁମାର ନାୟକଙ୍କ ପୌରହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବେ ଭରତିଆ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ଡକ୍ଟର କିଶନ ଲାଲ ଅଗ୍ରୱାଲ ଯୋଗଦେଇ ଅନୁଷ୍ଠାନର କର୍ମକର୍ତ୍ତମାନେ ମାନବ ସେବାକୁ ମାଧବ ସେବା ଭାବେ ଗ୍ରହଣ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ବୋଲି କହିଥିଲେ । ସେହିଭଳି ମୁଖ୍ୟବକ୍ତା ଭାବେ ୧୪ ଦିଗଭାଗ ସଂକୀର୍ତ୍ତନ ମଣ୍ଡଳି ସର୍ବ ମହନ୍ତ ସୁରେନ୍ଦ୍ର କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଷ୍ଟେଟ ହେଲଥ ଆସ୍ୟୁରାନ୍ସ ସୋସାଇଟି ଯୁଗ୍ମ ସଚିବ ଡାକ୍ତର ଶୁଭ୍ରଜ୍ୟୋତି ରାଓ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ବହୁମୁଖୀ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ଡାକ୍ତର ଦିଲ୍ଲୀପ ଦାସ, ଡାକ୍ତର ସସ୍ମିତା ପାଲୁର, ଡାକ୍ତର ବିଜୟ କୁମାର ପାତ୍ର ଓ ଡାକ୍ତର ରାକେଶ କୁମାର ଜେନାଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଥିବାବେଳେ ବାଦ୍ୟ, ନୃତ୍ୟ, ନାଟ୍ୟ କଳା ଓ ଶିକ୍ଷା କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିଥିବା ବିଷ୍ଣୁଚରଣ ସେଠୀ, ପ୍ରବିତ୍ର ପ୍ରଧାନ, ସୋମନାଥ ଶତପଥି, ଆଶୋକ ଜେନା, ହୃଦାନନ୍ଦ ବିଶ୍ୱାଳ ଓ ସତ୍ୟଦୀପ୍ ସାହୁଙ୍କ ସମେତ ୨୫ଜଣଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଉପଦେଷ୍ଟା ରଣଜିତ ମହାନ୍ତି, କଳ୍ପତରୁ ମିଶନର ସମ୍ପାଦକ ଆଡ୍‌ଭୋକେଟ୍ କୈଳାସ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ଉପଦେଷ୍ଟା ପ୍ରଭାତ ଦେବତା ସ୍ୱାଗତ ଭାଷଣ ଦେଇଥିବାବେଳେ ସାଧାରଣ ସମ୍ପାଦକ ରାମଚନ୍ଦ୍ର ଗୋଚ୍ଛାୟତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିନୋଦ ବିହାରୀ ବେହେରା, ଦୁଃଖିଶ୍ୟାମ ପ୍ରଧାନ, ଅରୁପାନନ୍ଦ ଚୌଧୁରୀ, ସୁବୋଧ କୁମାର ବେହେରା, ଋଷି କାଣ୍ଡି, ଜିଲ୍ଲା ପରିଷଦ ସଦସ୍ୟ ବୀରବର ଲେଙ୍କା ଧନ୍ୟବାଦ ଦେଇଥିଲେ ।

By admin

Leave a Reply

Your email address will not be published. Required fields are marked *