ବିନା ଟେଣ୍ଡରରେ ସିଏମସିର ନିମ୍ନମାନର ମଶାତେଲ କିଣା ନେଇ ରାଷ୍ଟ୍ରୀୟ ପଛୁଆବର୍ଗ ମହାସଂଘ ପକ୍ଷରୁ ଦୁର୍ନୀତି ନିବାରଣ ବିଭାଗକୁ ଦାବିପତ୍ର

ବିନା ଟେଣ୍ଡରରେ ସିଏମସିର ନିମ୍ନମାନର ମଶାତେଲ କିଣା ନେଇ ରାଷ୍ଟ୍ରୀୟ ପଛୁଆବର୍ଗ ମହାସଂଘ ପକ୍ଷରୁ ଦୁର୍ନୀତି ନିବାରଣ ବିଭାଗକୁ ଦାବିପତ୍ର


କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମରେ ଗୋଟିଏ ପରେ ଗୋଟିଏ ଦୁର୍ନୀତି ଖୋଲୁଛି । ସିଏମସି ଦୁର୍ନୀତିର ଗନ୍ତାଘର ପାଲଟି ଯାଇଥିବା ଅଭିଯୋଗ ଉଠିଛି । ଅତୀତରେ ବହୁ ଦୁର୍ନୀତିର ପର୍ଦ୍ଦାଫାସ ହୋଇଥିବାବେଳେ ଏବେ ବିନା ଟେଣ୍ଡରରେ ନିମ୍ନମାନର ମଶା ତେଲ ପକାଯାଉଥିବା ଅଭିଯୋଗ କରି ଏହାର ତଦନ୍ତ କରିବାକୁ ରାଷ୍ଟ୍ରୀୟ ପଛୁଆବର୍ଗ ମହାସଂଘ ପକ୍ଷରୁ ଦୁର୍ନୀତି ନିବାରଣ ବିଭାଗକୁ ଦାବିପତ୍ର ପ୍ରଦାନ କରାଯାଇଛି ।
ଅଭିଯୋଗ ଅନୁଯାୟୀ, ସିଏମସି ପକ୍ଷରୁ ଏବେ ନାଳରେ ପକାଯାଉଥିବା ଏମଏଲ ତେଲ କିଣାରେ ବ୍ୟାପକ ଅନିୟମିତତା ହୋଇଛି । ସିଏମସି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସମେତ ଏକାଧିକ କର୍ମଚାରୀ ବହୁମୂଖି ସ୍ୱାସ୍ଥ୍ୟ କର୍ମୀଙ୍କ ସମ୍ପୃକ୍ତି ରହିଛି ବୋଲି ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ସିଏମସି ପକ୍ଷରୁ କିଣା ଯାଉଥିବା ଏହି ତେଲର ପରୀକ୍ଷା ବିବରଣୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାର ବ୍ୟବହାର ପୂର୍ବରୁ ନମୁନା ସଂଗ୍ରହ ଏବଂ କେଉଁ ଅଧିକାରୀଙ୍କ ଉପସ୍ଥିତିରେ ନମୁନା ସଂଗ୍ରହ ଓ ମୁଦ ଦିଆଯାଇ ପରୀକ୍ଷା ପାଇଁ ପଠାଯାଇଥିଲା ବୋଲି ପ୍ରଶ୍ନ କରାଯାଇଛି । ସେହିଭଳି ତେଳର ମୂଲ୍ୟ ନିର୍ଦ୍ଧାଣ, ସମସ୍ତ ୱାର୍ଡରେ ତେଳ ପକାଯିବା ପୂର୍ବରୁ କ୍ଷେତ୍ର ପରୀକ୍ଷା (ଫିଲ୍ଡ ଟ୍ରାଏଲ) କରାଯାଇଛି କି ନା, ଯଦି କରାଯାଇଛି ତେବେ କେଉଁ ଲାର୍ଭା ସ୍ଥାନରେ ଏହାକୁ ପ୍ରୟୋଗ କରାଯାଇଛି ଓ ଏହି ତେଲ ପାଣିରେ ଘାଣ୍ଟିଲେ ଇନ୍ଦ୍ରଧନୁ ପରି ସାତରଙ୍ଗ ସୃଷ୍ଟି ହେଉ ନଥିବାରୁ ତେଲ ଅତ୍ୟନ୍ତ ନିମ୍ନମାନର ବୋଲି ଅଭିଯୋଗ କରାଯାଇଛି । ସମ୍ପ୍ରତି କଟକ ସହରରେ ମଶାର ଘନତ୍ୱ ପ୍ରାୟ ୬୫ ପ୍ରତିଶତରୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ତେଣୁ ଏହି ଦୁର୍ନୀତି ଅଭିଯୋଗର ତୁରନ୍ତ ତଦନ୍ତ କରିବାକୁ ସମ୍ପାଦକ ସୁଧାଂଶୁ ପରିଡ଼ା, ସଙ୍ଗଠନ ସମ୍ପାଦକ ଦିଲୀପ ଜେନା, ସଦର ସଙ୍ଗଠନ ଉଗ୍ରସେନ ଭୂୟାଁ, ରାଜ୍ୟ ପ୍ରଭାରି ସଞ୍ଜିତ ସାମଲ, ସର୍ବେଶ୍ୱର ମହାନ୍ତି, ମନୋଜ କାହାଳୀ ପ୍ରମୁଖ ଦାବି କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *