ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପେ୍ଲକ୍ସ ପାଇଁ ଚୌଦ୍ୱାରରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପେ୍ଲକ୍ସ ପାଇଁ ଚୌଦ୍ୱାରରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
୩୦୦୦ କୋଟି ଟଙ୍କା ପୁଞ୍ଜିନିବେଶ, ପ୍ରତ୍ୟେକ୍ଷ ୧୦ ହଜାର ଓ ପରୋକ୍ଷ ୨୦ହଜାର ନିଯୁକ୍ତି ସୁଯୋଗ
ପୁଞ୍ଜି ଆକର୍ଷଣରେ ଓଡିଶା ଶ୍ରେଷ୍ଠ ରାଜ୍ୟ- ୱେଲସ୍ପନ ଗ୍ରୁପ ଅଧ୍ୟକ୍ଷ ଶ୍ରୀ ଗୋଏଙ୍କା
୫୦ ଦଶକରେ ବିଜୁ ବାବୁ ଚୌଦ୍ୱାରରେ ଶିଳ୍ପ ବିକାଶରେ ଭିତ୍ତି ରଖିଥିଲେ, ଆଜି ଚୌଦ୍ୱାର ତା’ର ହୃତଗୌରବ ଫେରି ପାଇବାକୁ ଯାଉଛି- ମୁଖ୍ୟମନ୍ତ୍ରୀ


#କଟକ (ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୌଦ୍ୱାରରେ ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପେ୍ଲକ୍ସ ପାଇଁ ଶିଳାନ୍ୟାସ କରିଛନ୍ତି । ଏହା ସହିତ ଚୌଦ୍ୱାରରେ ଆରମ୍ଭ ହୋଇଛି ଶିଳ୍ପାୟନ ପୁର୍ନବିକାଶର ଏକ ଗୌରବମୟ ଅଧ୍ୟାୟ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ଚୌଦ୍ୱାର ପାଇଁ ବହୁତ ଖୁସିର ଦିନ । ଚୌଦ୍ୱାର ଆଜି ତାର ଗୌରବ ଫେରି ପାଇବାକୁ ଯାଉଛି । ୫୦ ଦଶକର ଆରମ୍ଭରେ ବିଜୁ ବାବୁ ଚୌଦ୍ୱାରରେ ଶିଳ୍ପ ବିକାଶର ଭିତ୍ତି ରଖିଥିଲେ । ଆଜି ପୁଣି ଥରେ ଚୌଦ୍ୱାର ପାଇଁ, କଟକ ଜିଲ୍ଲା ପାଇଁ, ସାରା ଓଡିଶା ପାଇଁ ଶିଳ୍ପ କ୍ଷେତ୍ରରେ ନୂଆ ଇତିହାସ ଲେଖାଗଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ ୱେଲସ୍ପନ ଗ୍ରୁପ ବିଶ୍ୱର ଏକ ପ୍ରସିଦ୍ଧ ବୟନ ସାମଗ୍ରୀ ଉତ୍ପାଦନ କମ୍ପାନୀ । ଚୌଦ୍ୱାରରେ ଏହା ଏକ ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ ମାନୁଫାକ୍‌ଚରିଂ ଫାସିଲିଟି ଏବଂ ୱେୟାରହାଉସିଂ କମ୍ପେ୍ଲକ୍ସ ନିର୍ମାଣ କରୁଛି । ଏଥିପାଇଁ କମ୍ପାନୀ ୩,୦୫୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରୁଛି । ଏହା ଦ୍ୱାରା ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହା ସହିତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକୁ ବ୍ୟାପାର କ୍ଷେତ୍ରରେ ବିପୁଳ ସମ୍ଭାବନା ସୃଷ୍ଟି ହେବା ସହିତ ରାଜ୍ୟର ଶିଳ୍ପ ବାତାବରଣରେ ଉନ୍ନତି ଆସିବ । ୨୦୨୨ ମେକ-ଇନ୍‌-ଓଡିଶା କାର୍ଯ୍ୟକ୍ରମ ସମୟରେ ରାଜ୍ୟ ଶିଳ୍ପ ବିଭାଗ ଓ ଇପିକଲ୍ ପକ୍ଷରୁ ଏକ ଟିମ୍ ୱେଲସ୍ପନ ଗ୍ରୁପର ଅଧ୍ୟକ୍ଷ ବି.କେ. ଗୋଏଙ୍କାଙ୍କୁ ଓଡିଶାରେ ଏହି ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ । ଓଡିଶାର ଶିଳ୍ପନୀତି ଓ ଅନୁକୂଳ ଶିଳ୍ପ ବାତାବରଣକୁ ଉପଲବ୍ଧି କରି ଏହି ଗ୍ରୁପ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସମ୍ମତି ପ୍ରକାଶ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଶିଳ୍ପ ଦ୍ୱାରା ଆମର କଳାହାଣ୍ଡି, ବଲାଙ୍ଗୀର, ରାୟଗଡା ଓ ଗଜପତି ପରି ଜିଲ୍ଲାର କପା ଚାଷୀ ମାନେ ମଧ୍ୟ ଉପକାର ପାଇବେ । ବୟନ ଶିଳ୍ପରେ ମା’ମାନଙ୍କ ପାଇଁ ବହୁତ ସୁଯୋଗ ଅଛି ବୋଲି ମତ ଦେଇ ସେ କହିଥିଲେ ଯେ, ସେମାନଙ୍କର ଦକ୍ଷତା ବିକାଶ କରାଯାଇ ସେମାନଙ୍କର ନିଯୁକ୍ତି ପାଇଁ ବହୁତ ସୁଯୋଗ ଆସିବ । ୱେଲସ୍ପନ ଗ୍ରୁପ ସାରା ପୃଥିବୀର ଏକ ପ୍ରସିଦ୍ଧ ପ୍ରସିଦ୍ଧ ବୟନ ଶିଳ୍ପ କମ୍ପାନୀ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୟୁରୋପ, ଆମେରିକା ପରି ବିଶ୍ୱର ଧନୀ ଦେଶମାନଙ୍କୁ ଏହାର ସାମଗ୍ରୀ ବହୁ ସଂଖ୍ୟାରେ ରପ୍ତାନୀ ହୁଏ । ଏପରି କମ୍ପାନୀ ଓଡିଶାକୁ ଆସିବା, ବହୁତ ଖୁସିର କଥା ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ । ଚୌଦ୍ୱାରରେ ଏହି କମ୍ପାନୀ ପୁଞ୍ଜିନିବେଶ ଓ ନିଯୁକ୍ତି କ୍ଷେତ୍ରରେ ଓଡିଶା ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବ । ୱେଲସ୍ପନ ଗ୍ରୁପର ଅଧ୍ୟକ୍ଷ ଶ୍ରୀ ଗୋଏଙ୍କାଙ୍କୁ ଓଡିଶାରେ ପୁଞ୍ଜି ବିନିଯୋଗ ପାଇଁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ ଓଡିଶାର ବିକାଶ ଯାତ୍ରାରେ ୱେଲସ୍ପନ ଗ୍ରୁପର ପାର୍ଟନରସିପ୍ ଅଭିବୃଦ୍ଧିର ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ସେ ମତ ଦେଇଥିଲେ । ଏହି ଶିଳ୍ପର ସଫଳତା ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଶିଳ୍ପ କ୍ଷେତ୍ରରେ ଆଜିର ଏହି ଯାତ୍ରା କଟକ ଜିଲ୍ଲାର ବିକାଶକୁ ଉଜ୍ଜଳ କରିବ ବୋଲି ପ୍ରକାଶ କରି ସେ କହିଥିଲେ ଯେ ସମସ୍ତଙ୍କ ସହଯୋଗରେ ଓଡିଶା ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବରେ ସାରା ପୃଥିବୀରେ ସୁନାମ କରିବ ।
ୱେଲସ୍ପନ ଗ୍ରୁପର ଅଧ୍ୟକ୍ଷ ଶ୍ରୀ ଗୋଏଙ୍କା କହିଲେ ଯେ, ଗତ ୨୦ ବର୍ଷ ମଧ୍ୟରେ ଓଡିଶାରେ ବ୍ୟାପକ ଉନ୍ନତି ଆସିଛି । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଓ କଠିନ ପରିଶ୍ରମ ଯୋଗୁ ଆଜି ଓଡିଶାରେ ଏପରି ପରିବର୍ତ୍ତନ ଦେଖିବାକୁ ମିଳିଛି ବୋଲି ସେ କହିଥିଲେ । ରାଜ୍ୟ ସରକାରଙ୍କ ୫ଟି ଉପକ୍ରମ ସମ୍ପର୍କରେ ମଧ୍ୟ ସେ ଆଲୋକପାତ କରି କହିଥିଲେ ଯେ, ଏହି ନୀତି ଯୋଗୁ ଆଜି ଓଡିଶାର ସରକାରୀ ସ୍କୁଲ ଗୁଡିକ ପ୍ରାଇଭେଟ ସ୍କୁଲଠାରୁ ଅଧିକ ଭଲ ହୋଇ ପାରିଛି । ଭାରତରେ ସବୁଠାରୁ ଅଧିକ ପୁଞ୍ଜି ଓଡିଶାକୁ ହିଁ ଆସୁଛି । ଓଡିଶାରେ ଶିଳ୍ପ ବିକାଶର ଭିତ୍ତି ବିଷୟରେ ଆଲୋକପାତ କରି ସେ ବିଜୁ ବାବୁଙ୍କ ଉଦ୍ୟମ ସମ୍ପର୍କରେ କହିଥିଲେ । ଓଡିଶାର କପା ଚାଷୀଙ୍କ ଉନ୍ନତି ପାଇଁ ମଧ୍ୟ ସେ ଉଦ୍ୟମ କରିବେ ବୋଲି ପ୍ରକାଶ କରି ସେ କହିଥିଲେ । ଓଡିଶାର ଶିଳ୍ପ ବାତାବରଣକୁ ଆହୁରି ଉନ୍ନତ କରିବା ପାଇଁ ସେ ତାଙ୍କର ଅବଦାନ ରଖିବେ ବୋଲି କହିଥିଲେ । ଏହି ପ୍ରକଳ୍ପ ଦ୍ୱାରା ୧୦ ହଜାର ପ୍ରତ୍ୟକ୍ଷ ନିଯୁକ୍ତି ସହିତ ୨୦ ହଜାର ପରୋକ୍ଷ ନିଯୁକ୍ତି ମିଳିବ ବୋଲି ସେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଲେ ଯେ ଚୌଦ୍ୱାର ହେଉଛି ଓଡିଶାର ପ୍ରଥମ ଶିଳ୍ପ ନଗରୀ । ଆଜି ପୁଣି ଥରେ ଏହା ବିକାଶ ପଥରେ ଅଗ୍ରସର ହେଲା । ଏହି ଶିଳ୍ପ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସହିତ ବ୍ୟାପକ ଆତ୍ମନିଯୁକ୍ତି ମଧ୍ୟ ସୃଷ୍ଟି କରିବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଉପସ୍ଥିତ ଜନସାଧାରଣଙ୍କ ସହ ମତ ବିନିମୟ କରି ବିଭିନ୍ନ ଯୋଜନାର ବର୍ଦ୍ଧିତ ଭତ୍ତା ସମ୍ପର୍କରେ ଆଲୋଚନା କରିଥିଲେ । ମଧୁବାବୁ ପେନ୍‌ସନ୍‌, ମମତା, ଲକ୍ଷ୍ମୀ ଓ କଳାକାର ଭତ୍ତା ଯୋଜନା ସମ୍ପର୍କରେ ସେ ବଢିଥିବା ଭତ୍ତା ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ । ନୂଆ-ଓ ଛାତ୍ରବୃତ୍ତି ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ, ଚଳିତ ମାସ ୨୫ ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନେ ଏହି ଛାତ୍ରବୃତ୍ତି ପାଇବେ । ବୟନଶିଳ୍ପ ପାଇଁ ୬୫୦ ପରିବାରର ଘର ସମସ୍ୟା ସୃଷ୍ଟି ହେଉଥିବା ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଏହି ସମସ୍ୟା ଶୀଘ୍ର ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରଶାନ୍ତ ବେହେରା, ଚନ୍ଦ୍ରସାରଥୀ ବେହେରା, ସୌଭିକ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତଥିଲେ । ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *