ୱାର୍ଲଡ ସ୍କିଲ ସେଣ୍ଟରରେ ଆରମ୍ଭ ହେଲା ପ୍ରଥମ ବ୍ୟାଚ୍ ପାଠ୍ୟକ୍ରମ


ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସ୍‌ଡିଏ) ଅଧୀନରେ ୱାର୍ଲଡ ସ୍କିଲ ସେଣ୍ଟରଠାରେ ପ୍ରଥମ ବ୍ୟାଚ୍ ଉନ୍ନତ ସ୍କିଲ ପାଠ୍ୟକ୍ରମ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଯାଇଛି । ଏହା ନେଇ ୱାର୍ଲଡ ସ୍କିଲ ସେଣ୍ଟରଠାରେ ଏକ ଭବ୍ୟ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଦିତ୍ୟ ବିରଲା ଗ୍ରୁପ୍‌ର ନିର୍ଦ୍ଦେଶକ ଡକ୍ଟର ସନ୍ତୃପ୍ତ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡକ୍ଟର ମିଶ୍ରଙ୍କୁ ଏକାମ୍ର କ୍ଷେତ୍ର ପ୍ରକଳ୍ପର ପ୍ରୋଜେକଫ ଆଡ୍‌ଭାଇଜରି କମିଟିର ଅଧ୍ୟକ୍ଷ ଭାବେ ମନୋନୀତ କରିଛନ୍ତି । ବର୍ତ୍ତମାନ ସେ ଆଦିତ୍ୟ ବିରଲା ଗ୍ରୁପ୍ ମାନବ ସମ୍ବଳ ବିଭାଗର ଗ୍ରୁପ୍ ନିର୍ଦ୍ଦେଶକ ଏବଂ କାର୍ବନ ବ୍ଲାକ୍ ବ୍ୟବସାୟର ସିଇଓ ଭାବରେ କାର୍ଯ୍ୟ କରୁଛନ୍ତି । ଏତଦ୍‌ବ୍ୟତୀତ ସେ ଜଣେ ଜଣାଶୁଣା ଓଡିଆ ମାନବ ସମ୍ବଳ ପେଶାଦାର ଏବଂ ୩୦ ବର୍ଷରୁ ଅଧିକ ସମୟ ଧରି ଭାରତ ତଥା ବିଦେଶର ଅନେକ ପ୍ରତିଷ୍ଠିତ ଶିଳ୍ପ ପ୍ରତିଷ୍ଠାନର ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସଫଳତାର ସହ ନେତୃତ୍ୱ ନେଇଛନ୍ତି । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟଅତିଥି ଡକ୍ଟର ମିଶ୍ର କହିଥିଲେ ଯେ, ୱାର୍ଲଡ ସ୍କିଲ ସେଣ୍ଟରରେ ନାମ ଲେଖାଇ ପ୍ରଶିକ୍ଷାର୍ଥୀମାନେ ସାହସିକ ପଦକ୍ଷେପ ନେଇଛନ୍ତି; ଏବଂ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ପ୍ରୟାସ କରିଛନ୍ତି । ପ୍ରଶିକ୍ଷାର୍ଥୀମାନେ ଏହି ଅନୁଷ୍ଠାନରେ ପ୍ରଶିକ୍ଷଣ ଲାଭ କରି ଉଭୟ ଓଡିଶା, ଭାରତ ଏବଂ ବିଶ୍ୱ ଦକ୍ଷତା କ୍ଷେତ୍ରରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିବେ । ସେ ଆହୁରି ମଧ୍ୟ କହିଥିଲେ ଯେ, ସ୍କିଲ ଆଭିମୁଖ୍ୟ ପ୍ରତି ଭାରତୀୟ ସମାଜକୁ ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି । ଇଞ୍ଜିନିୟରିଂ, ଡିପ୍ଲୋମା ଏବଂ ଆଇଟିଆଇ ଶିକ୍ଷା ଊର୍ଦ୍ଧ୍ୱରେ ଜଣେ ପ୍ରଶିକ୍ଷାର୍ଥୀ ନିଜକୁ ଦକ୍ଷ ବ୍ୟକ୍ତି ଭାବରେ ଆତ୍ମବିଶ୍ୱାସ ଏବଂ ଆତ୍ମ ସ୍ୱାଭିମାନର ଭାବନା ମନରେ ରଖିବା ଆବଶ୍ୟକ । ଏହି ଅବସରରେ ଓଏସଡିଏ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଡକ୍ଟର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଡକ୍ଟର ମିଶ୍ର ୱାର୍ଲଡ ସ୍କିଲ ସେଣ୍ଟରର ଅତ୍ୟାଧୁନିକ ଲାବ୍ ପରିଦର୍ଶନ କରି ନିଜର ଖୁସି ବ୍ୟକ୍ତ କରିଥିଲେ । ୱାର୍ଲଡ ସ୍କିଲ ସେଣ୍ଟରରେ ଆଠ ଗୋଟି ପାଠ୍ୟକ୍ରମରେ ତାଲିମ ଦେବାର ବ୍ୟବସ୍ଥା ରହିଛି । ଏଠାରେ ପ୍ରଶିକ୍ଷାର୍ଥୀମାନଙ୍କୁ ଏକ ବର୍ଷ ଅବଧିର ସଂପୂର୍ଣ୍ଣ ଆବାସିକ ତାଲିମ ପ୍ରଦାନ କରାଯିବ । ପ୍ରତ୍ୟେକ ପାଠ୍ୟକ୍ରମରେ ୮୦ଟି ସିଟ୍ ଥିବାବେଳେ ଚଳିତ ବର୍ଷ ମେକାନିକାଲ ଏବଂ ଇଲେକଫ୍ରିକାଲ ସର୍ଭିସେସ, ଏୟାର କଣ୍ଡିସନିଙ୍ଗ ଏବଂ ରେଫ୍ରିଜେରେସନ ଓ ମେକାଟ୍ରୋନିକ୍ସ ଭଳି ତିନୋଟି ପାଠ୍ୟକ୍ରମରେ ତାଲିମ ପ୍ରଦାନ କରାଯିବ । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଓଡିଶାର ୨୯ଟି ଜିଲ୍ଲାର ୨୪୦ ଜଣ ଛାତ୍ରଛାତ୍ରୀ ଏଥି ନିମନ୍ତେ ନାମ ଲେଖାଇଛନ୍ତି ଯେଉଁଠାରେ ୨୧୪ ଜଣ ପୁରୁଷ ଏବଂ ୨୬ ଜଣ ମହିଳା ଅଛନ୍ତି । ଏଥିରେ ଡିପ୍ଲୋମାରୁ ୧୧୫ଜଣ ଏବଂ ଆଇଟିଆଇ ପୃଷ୍ଠଭୂମିରୁ ୧୨୫ ଜଣ ପ୍ରଶିକ୍ଷାର୍ଥୀ ରହିଛନ୍ତି । ଏହି ଅନୁଷ୍ଠାନରୁ ତାଲିମ ନେବା ପରେ ସମସ୍ତ ପ୍ରଶିକ୍ଷାର୍ଥୀ ଜାତୀୟ ଏବଂ ଅର୍ନ୍ତଜାତୀୟସ୍ତରର ଶିଳ୍ପ ସଂସ୍ଥାମାନଙ୍କରେ ନିଯୁକ୍ତି ପାଇବେ । ଏହି ଅବସରରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ପ୍ରଶିକ୍ଷାର୍ଥୀମାନଙ୍କୁ ସ୍ୱାଗତ ଜଣାଇ କହିଥିଲେ ଯେ ୱାର୍ଲଡ ସ୍କିଲ ସେଣ୍ଟରରେ ନାମ ଲେଖାଇ ସେମାନେ ନିଜ ଉଜ୍ଜ୍ୱଳ ଭବିଷ୍ୟତର ପ୍ରଥମ ସୋପାନରେ ପାଦ ଦେଇଛନ୍ତି । ୱାର୍ଲଡ ସ୍କିଲ ସେଣ୍ଟରରେ ସେମାନେ ବିଦେଶରୁ ତାଲିମପ୍ରାପ୍ତ ଶ୍ରେଷ୍ଠ ପ୍ରଶିକ୍ଷକମାନଙ୍କଠାରୁ ଶିକ୍ଷା ପାଇପାରିବେ ଏବଂ ଅତ୍ୟାଧୁନିକ ଯନ୍ତ୍ରପାତି ସହିତ କାମ କରିବାର ସୁଯୋଗ ପାଇବେ । ରାଜ୍ୟ ସରକାରଙ୍କ ଏହି ବିଶେଷ ପ୍ରକଳ୍ପ ଆଜି ଅର୍ନ୍ତଜାତୀୟସ୍ତରରେ ଚର୍ଚ୍ଚିତ ହେଉଛି ଯାହାଦ୍ୱାରା ଦେଶବିଦେଶର ଶ୍ରେଷ୍ଠ ଉଦ୍ୟୋଗମାନେ ଏଠାରୁ ମାନବ ସମ୍ବଳ ସଂଗ୍ରହ କରିବାକୁ ଆସିବେ । ସିଇଓ, ଓଏସଡିଏ ତଥା ନିର୍ଦ୍ଦେଶକ, ବୈଷୟିକ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶାଳୟ (ଡିଟିଇଟି) ରେଘୁ ଜି ଅତିଥିମାନଙ୍କୁ ସ୍ୱାଗତ କରିବା ସହ ୱାର୍ଲଡ ସ୍କିଲ ସେଣ୍ଟରର ପାଠ୍ୟକ୍ରମ ବିଷୟରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ । ଆଗାମୀ ଦିନରେ ୱାର୍ଲଡ ସ୍କିଲ ସେଣ୍ଟରରେ ୩୦ ପ୍ରତିଶତ ମହିଳା ତାଲିମ ନେବାର ଲକ୍ଷ୍ୟ ରହିଛି ବୋଲି ଶ୍ରୀ ରେଘୁ ସୂଚନା ଦେଇଛନ୍ତି । ଏସ୍‌ଡିଟିଇ ଯୁଗ୍ମ ସଚିବ ରେଣୁପ୍ରଭା ନାୟକ ଏହି କାର୍ଯ୍ୟକ୍ରମରେ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱାର୍ଲଡ ସ୍କିଲ ସେଣ୍ଟରର ପ୍ରଶିକ୍ଷାର୍ଥୀ, ପ୍ରଶିକ୍ଷକ, ବରିଷ୍ଠ ଅଧିକାରୀ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

By admin

Leave a Reply

Your email address will not be published. Required fields are marked *