୭ ଦିନ ବିଳମ୍ବରେ କେରଳ ଛୁଇଁଲା ମୌସୁମୀ ବାୟୁ: ଓଡ଼ିଶାରେ କଲବଲ କରୁଛି ଅସହ୍ୟ ତାତି

#ଭୁବନେଶ୍ୱର(ଏନ୍.ଏମ୍.): ବହୁ ବିଳମ୍ବରେ ପହଞ୍ଚିଛି ମୌସୁମୀ ବାୟୁ । ଏଥର ଅସହ୍ୟ ଗରମରୁ ତ୍ରାହି ମିଳିବ ବୋଲି କୁହାଯାଉଛି । ଓଡ଼ିଶାରେ ଏହି ମୌସୁମୀ କେବେ ପହଞ୍ଚିବ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ସପ୍ତାହେ ବିଳମ୍ବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । ମୌସୁମୀ ଆଜି କେରଳ ଛୁଇଁବା ନେଇ ଆଇଏମଡି ପକ୍ଷରୁ କୁହାଯାଇଛି । ତେବେ ଏହା ପ୍ରଭାବରେ କେରଳରେ ପାଣିପାଗ କିପରି ଅଛି, ବର୍ଷା ହେଉଛି ନା ନାହିଁ ସେ ସମ୍ପର୍କରେ ସବିଶେଷ ତଥ୍ୟ ଜଣାପଡ଼ି ନଥିଲେ ମଧ୍ୟ ଆଗକୁ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଗତବର୍ଷ ମେ’ ୨୯ ତାରିଖରେ ମୌସୁମୀ କେରଳ ଛୁଇଁଥିଲା । ୨୦୨୧ରେ ଏହା ଜୁନ ୩ ଓ ୨୦୨୦ରେ ମୌସୁମୀ ଜୁନ ୧ରେ କେରଳରେ ତା’ର ଉପସ୍ଥିତି ଜାହିର କରିଥିଲା । କେରଳ ଛୁଇଁବାର ୧୦ ଦିନ ପରେ ସାଧାଣତଃ ମୌସୁମୀ ଓଡ଼ିଶାକୁ ଆସିଥାଏ । ତେଣୁ ଜୁନ ୪ରେ ମୌସୁମୀ କେରଳ ଛୁଇଁବାକୁ ଥିବା ବେଳେ ଜୁନ ୧୪ ଅର୍ଥାତ ରଜ ବେଳକୁ ଓଡ଼ିଶାରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଥାଏ । ମାତ୍ର ଚଳିତ ବର୍ଷ ମୌସୁମୀ କେବେ ଓଡ଼ିଶା ଛୁଇଁବ ସେ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ଦିଆଯାଇନି । ସାଧାରଣତଃ ପ୍ରତି ବର୍ଷ ମୌସୁମୀ ଜୁନ୍ ପହିଲା ସୁଦ୍ଧା ଓ ୧୨ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁଥାଏ । ମାତ୍ର ଚଳିତ ବର୍ଷ ପ୍ରାୟ ଏକ ସପ୍ତାହ ବିଳମ୍ବରେ ମୌସୁମୀ କେରଳ ଛୁଇଁଥିବାରୁ ଓଡ଼ିଶାରେ ବି ଡେରି ହେବ ବୋଲି ପାଣିପାଗ ବିତମାନେ ଆକଳନ କରିଛନ୍ତି । ତେବେ କେବେ ଓଡ଼ିଶା ଛୁଇଁବ ସେ ନେଇ ନିର୍ଦ୍ଦିଷ୍ଟ ଭାବେ କିଛି ଆକଳନ ହୋଇନି । ତେଣୁ ଚଳିତ ବର୍ଷ ରଜ ଶେଷରେ ଅର୍ଥାତ ୧୬ ତାରିଖ ପରେ ମୌସୁମୀ ଓଡ଼ିଶା ଛୁଇଁବା ଅନୁମାନ କରାଯାଉଛି । ତେଣୁ ଚଳିତ ବର୍ଷ ରଜରେ ଲୋକେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଛଟପଟ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଅନ୍ୟପକ୍ଷରେ ସମ୍ପ୍ରତି ଅସହ୍ୟ ଗରମ ସାଙ୍ଗକୁ ପ୍ରଖର ସୌରତାପ ଯୋଗୁଁ ବହୁ ଲୋକ ଅଂଶୁଘାତର ଶିକାର ହେଉଥିବା ଜଣାପଡ଼ିଛି । ଅଂଶୁଘାତ ଜନିତ ମୃତ୍ୟୁ ବୃଦ୍ଧି ପାଇନଥିଲେ ମଧ୍ୟ ବହୁ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ସରକାରୀ ବେସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି । ତେବେ ଅଂଶୁଘାତରୁ ମୁକ୍ତି ପାଇବା ପାଇଁ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ବିଭିନ୍ନ ନିୟମାବଳୀକୁ ପାଳନ କରିବା ନିମନ୍ତେ ସରକାର ଓ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଉଛି ।

