୨୭ରେ ଉଦ୍‌ଘାଟନ ହେବ କପିଳେଶ୍ୱର ଚାରିଟେବୁଲ ହସ୍‌ପିଟାଲ

୨୭ରେ ଉଦ୍‌ଘାଟନ ହେବ କପିଳେଶ୍ୱର ଚାରିଟେବୁଲ ହସ୍‌ପିଟାଲ


ସୁବର୍ଣ୍ଣପୁର(ଏନ୍‌.ଏମ୍‌.): ସୁବର୍ଣ୍ଣପୁର ଜିଲ୍ଲା ସମେତ ସମଗ୍ର ପଶ୍ଚିମ ଓଡ଼ିଶାବାସୀଙ୍କୁ ଉନ୍ନତମାନର ଚିକିତ୍ସାସେବା ଯୋଗାଇଦେବା ଲକ୍ଷ୍ୟରେ ଉଲୁଣ୍ଡା ବ୍ଲକ୍‍ ଅନ୍ତର୍ଗତ ଧର୍ମଶାଳା ଠାରେ ମହାନଦୀ କୂଳରେ ନିର୍ମିତ କପିଳେଶ୍ୱର ଚାରିଟେବୁଲ ହସ୍‍ପିଟାଲ ଆସନ୍ତା ୨୭ ତାରିଖ ଦିନ ଲୋକାର୍ପିତ ହେବାକୁ ଯାଉଛି । ଏହି ଅଞ୍ଚଳବାସୀଙ୍କର ବିଭିନ୍ନ ରୋଗର ଅତ୍ୟାଧୁନିକ ଚିକିତ୍ସା ପାଇଁ ଏକ ଅଭିଜ୍ଞ ଓ ପ୍ରବୀଣ ବିଶେଷଜ୍ଞ ଡାକ୍ତର ଦଳ ହସ୍‍ପିଟାଲରେ ସମର୍ପିତ ସେବା ଯୋଗାଇଦେବା ପାଇଁ ପ୍ରସ୍ତୁତ ଥିବା ଜଣାଯାଇଛି । ଡାକ୍ତର ଲକ୍ଷ୍ମୀକାନ୍ତ ମହାପାତ୍ର, ଡା.ବେଣୁଧର ପାଣ୍ଡେ, ଡା. ପ୍ରକାଶ ଦଣ୍ଡସେନା, ଡା. ସ୍ୱପ୍ନେଶ୍ୱର ବେହେରା, ଡା ରବୀନ୍ଦ୍ର ପ୍ରଧାନ ଓ ଡା. ରବୀନାରାୟଣ ତ୍ରିପାଠୀଙ୍କ ଭଳି ପ୍ରତିଷ୍ଠିତ ଚିକିତ୍ସକମାନଙ୍କୁ ନେଇ ଉଭୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶମାନ ଏଠାରେ ଉପଲବ୍ଧ ହେବ । କାଳଜୟୀ ସାହିତ୍ୟ ସୃଷ୍ଟି ‘ଶଲାବୁଢ଼ା’ର ଲେଖକ ଓ ସମାଜସେବୀ କପିଳେଶ୍ୱର ମହାପାତ୍ରଙ୍କର ସ୍ୱପ୍ନକୁ ଏହି ଚିକିତ୍ସାଳୟ ସାକାର କରିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଏହି ହସ୍‍ପିଟାଲରେ ସାଧାରଣ ଲାପ୍ରୋସ୍କୋପି ସହ ଶଲ୍ୟ, ସ୍ତ୍ରୀରୋଗ ଓ ପ୍ରସୂତି, ଭେଷଜ, ଅସ୍ଥିଶଲ୍ୟ ଓ ପାଥୋଲୋଜି ପରି ବିଭାଗରେ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଚିକିତ୍ସା ସେବା ଯୋଗାଇଦେବାର ଚୂଡ଼ାନ୍ତ ପ୍ରକ୍ରିୟା ଶେଷ ହୋଇଛି । ଏଠାରେ ବର୍ତ୍ତମାନ ପ୍ରାରମ୍ଭିକସ୍ତରରେ ୧୦ଟି ସ୍ୱତନ୍ତ୍ର ଶଯ୍ୟା ରହିଥିବାବେଳେ ଗୋଟିଏ ଅତ୍ୟାଧୁନିକ ଅସ୍ତ୍ରୋପଚାର କକ୍ଷ ଓ ସମସ୍ତ ନିଦାନ ନେଇ ଗବେଷଣା ପାଇଁ ଏକ ବୃହତ ପରୀକ୍ଷାଗାର ରହିଛି । ଏଠାରେ ହିତାଧିକାରୀମାନଙ୍କୁ ଉନ୍ନତ ଚିକିତ୍ସା ସେବା ଖୁବ୍‍ ସ୍ୱଳ୍ପ ମୂଲ୍ୟରେ ଉପଲବ୍ଧ କରାଯିବବୋଲି ଏହାର ପରିଚାଳନା ଦାୟିତ୍ୱରେ ଥିବା ଚେତନା ଟ୍ରଷ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଟ୍ରଷ୍ଟର ବରିଷ୍ଠ ସଦସ୍ୟ ସ୍ୱର୍ଗତ କପିଳେଶ୍ୱର ମହାପାତ୍ରଙ୍କର ସୁପୁତ୍ର ତଥା ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ପ୍ରକାଶ କରିଛନ୍ତି । ଏହି ହସ୍‍ପିଟାଲରେ ଚିକିତ୍ସାସେବା ଗ୍ରହଣ କରିବାକୁ ଓ ସମସ୍ତ ପ୍ରକାର ଆନୁସଙ୍ଗିକ ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ଚେତନା ଟ୍ରଷ୍ଟ ମ୍ୟାନେଜମେଣ୍ଟର ପ୍ରମୁଖ ସଦସ୍ୟ ସୁଶାନ୍ତ ମହାପାତ୍ର ଓ କପିଳେଶ୍ୱର ଚାରିଟେବୁଲ୍‍ ହସ୍‍ପିଟାଲର ପରିଚାଳନା ନିର୍ଦ୍ଦେଶକ ମଣ୍ଟୁ ମହାପାତ୍ର ସ୍ଥାନୀୟ ବାସିନ୍ଦାମାନଙ୍କୁ ନିବେଦନ ଜଣାଯାଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *