ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଚିଠିପରେ ତେଜୁଛି ଅସନ୍ତୋଷ
୨ହଜାର ଓଟିଏମ ଶ୍ରମିକ ପରିବାରଙ୍କ ବାସହରା ଆଶଙ୍କା

ଚୌଦ୍ୱାର, (ଏନ୍.ଏମ୍.): ଓଟିଏମ କଲୋନୀ ବାସୀଙ୍କ ମୁଣ୍ଡରେ ଏବେ ଖଣ୍ଡା ଝୁଲୁଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆସିଥିବା ଚିଠିରୁ ଏ ସମ୍ପର୍କରେ ସ୍ପଷ୍ଟ ହୋଇଥିବା ନେଇ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଶହ ଶହ ପରିବାର ବସବାସ କରୁଥିବା ବସତିକୁ ସରକାରଙ୍କ ପକ୍ଷରୁ ଅବୈଧ ଦର୍ଶାଇବା ପରେ ଏବେ କଲୋନୀବାସୀଙ୍କ ପାଦତଳୁ ମାଟି ଖସିଯାଇଛି । ବର୍ଷ ବର୍ଷ ଧରି ଏଠାରେ ବସତି ସ୍ଥାପନ କରିବା ସହ ଲୋକଙ୍କୁ ବିଭିନ୍ନ ସମୟରେ ପାଣି, ଲାଇଟ ଆଦି ଯୋଗାଇ ଦେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟ ବ୍ୟାଙ୍କ ବୃଦ୍ଧି କରାଯାଉଥିଲା । ମାତ୍ର ଏବେ କଲୋନୀରେ ବସବାସ କରୁଥିବା ଜନସାଧାରଣଙ୍କୁ ଏଭଳି ଅବୈଧ ଭାବେ ବସବାସ କରୁଥିବା କହି ସେମାନଙ୍କ ଭବିଷ୍ୟତକୁ ଅନ୍ଧାର କରାଯାଉଥିବା ଭଳି ସଂଗୀନ ଅଭିଯୋଗ ଉଠିଛି ।
ପ୍ରାପ୍ତ ଖବର ଅନୁଯାୟୀ ଗତ ୨୦୨୫ ମସିହା ମାର୍ଚ୍ଚ ୪ତାରିଖରେ ଚିଠି ନମ୍ବର ୩୩୫୦ରେ ରବିନାରାୟଣ ରାଉତ ନାମକ ଜଣେ ବ୍ୟକ୍ତି ଓଟିଏମ କଲୋନୀର ଶତାଧିକ ବାସିନ୍ଦାଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବାରମ୍ବାର ଅଭିଯୋଗ କରିଆସୁଥିଲେ । ଏହି ଅଞ୍ଚଳରେ ବିଶେଷ କରି ରାସ୍ତା, ଡ୍ରେନେଜ, ଆଲୋକୀ କରଣ ଆଦି ସମସ୍ୟା ରହୁଥିବା ବେଳେ ଲୋକେ ନର୍କ ଯନ୍ତ୍ରଣା ଭୋଗ କରୁଥିବା ସେ ଅଭିଯୋଗ କରିଥିଲେ । ମାତ୍ର ତାଙ୍କ ଅଭିଯୋଗକୁ ଅଣଦେଖା କରାଯିବା ପରେ ଶ୍ରୀ ରାଉତ ବାଧ୍ୟ ହୋଇ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଏକ ଅଭିଯୋଗ ପଠାଇଥିଲେ । ତେବେ ଏ ନେଇ ଅଭିଯୋଗ ପ୍ରକୋଷ୍ଠରୁ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ଇନଫ୍ରାଷ୍ଟକଚର ଡେଭଲପମେଣ୍ଟ କର୍ପୋରେସନକୁ (ଇଡକୋ) ଚିଠି କରାଯାଇ ଓଟିଏମ କଲୋନୀବାସୀଙ୍କ ମୌଳିକ ସୁବିଧା କାହିଁକି ଯୋଗାଇ ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରାଯାଇଥିଲା । ମାତ୍ର ଏହାର ଉତ୍ତରରେ ଇଡ଼ିକୋ ଚିଠିରେ ଦର୍ଶାଇଛନ୍ତି ଯେ, ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ, ଚୌଦ୍ୱାର ପୌର ନିର୍ବାହୀ ଅଧିକାରୀଙ୍କୁ ଯେଉଁ ଅଭିଯୋଗ କରାଯାଇଥିଲା ତାହା ହୋଇ ପାରିବ ନାହିଁ; କାରଣ ଇଡକୋକୁ ଏହି ଜମି ହସ୍ତାନ୍ତର କରାଯାଇଛି । ଓଟିଏମର ୪୭୮.୧୬୦ ଏକର ଜମି ଇଡ଼କୋକୁ ପ୍ରଦାନ କରାଯାଇଥିବା ବେଳେ ଇଡ଼କୋ ୬ଟି ଜନବସତିକୁ ଶିଳ୍ପ ପାଇଁ ଚିହ୍ନଟ କରିଛି । ସେଥିମଧ୍ୟରୁ ୫୫.୯୯୦ଏକର ଜମିରେ ୱେଲସ୍ପନ ଚୌଦ୍ୱାର ଲଜିଷ୍ଟିକ ପାର୍କ ପ୍ରାଇଭେଟ ଲିମିଟେଡ଼ ଏଠାରେ ସମନ୍ୱିତ ଟେକ୍ସଟାଇଲ ପ୍ରକଳ୍ପ ଏବଂ ଇଣ୍ଟିଗ୍ରେଡ ଲଜିଷ୍ଟିକ ଫାସିଲିଟି(ପାର୍କ) ନିର୍ମାଣ କରିବାକୁ ଜମି ପ୍ରଦାନ କରାଯାଇଛି । ତେବେ କଲୋନୀଟି ସମ୍ପୂର୍ଣ୍ଣ ବେଆଇନ ଭାବେ ଜବରଦଖଲ କରି ଓଟିଏମର କର୍ମଚାରୀ ବସବାସ କରୁଛନ୍ତି ବୋଲି ସେ ଚିଠିରେ ଦର୍ଶାଇଛନ୍ତି । ଏଠାରେ କୌଣସି ପ୍ରକାରର ମୌଳିକ ସୁବିଧା ଯୋଗାଇବା ସମ୍ଭବ ନୁହେଁ ବରଂ ସେମାନେ ଏହାକୁ ଯଥା ସମ୍ଭବ ଖାଲି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଓଟିଏମ ଶ୍ରମିକମାନଙ୍କ ପ୍ରାପ୍ୟ ପ୍ରଦାନ କ୍ଷେତ୍ରରେ ସରକାର ଯେଉଁଭଳି କାଳବିଳମ୍ବ କଲେ ସେଥିପାଇଁ ଓଟିଏମ ଶ୍ରମିକ ଯେଉଁ କ୍ଷତି ସହିଛନ୍ତି ସେ ବାବଦରେ ସରକାର ଦୃଷ୍ଟି ଦେବା ବଦଳରେ ସେମାନଙ୍କ ବସବାସକୁ ଅବୈଧ ବୋଲି କହିବା କେତେଦୂର ଠିକ୍ । ଓଟିଏମ ଶ୍ରମିକମାନଙ୍କ ବକେୟା ପ୍ରାପ୍ୟ ୨୦୧୧ ମସିହା ପର୍ଯ୍ୟନ୍ତ ପ୍ରଦାନ କରିବା ପାଇଁ ସରକାର ୨୦୨୩ ମସିହା ପର୍ଯ୍ୟନ୍ତ ସମୟ ନେଇଗଲେ । ଇତି ମଧ୍ୟରେ ବହୁ ଶ୍ରମିକ ଅର୍ଥାଭାବ ଯୋଗୁଁ ରୋଗର ଚିକିତ୍ସା ନପାଇ ମୃତ୍ୟୁବରଣ କରିଥିବାବେଳେ ବହୁ ଶ୍ରମିକ ଆତ୍ମହତ୍ୟା କରିଛନ୍ତି । ଅନ୍ୟପକ୍ଷରେ ୨୦୨୪ ଫେବୃୟାରୀ ୧୭ତାରିଖରେ ୱେଲସ୍ପନର ଶିଳାନ୍ୟାାସ କାର୍ଯ୍ୟକ୍ରମରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ୫ଟି ସଚିତ ଭି.କେ. ପାଣ୍ଡିଆନ ଓଟିଏମ କଲୋନୀର ୬ଶହ ପରିବାରକୁ ଥଇଥାନ କରାଯିବ ବୋଲି ଘୋଷଣା କରାଯାଇଥିଲା । ମାତ୍ର ଏବେ ସରକାରଙ୍କ ଏଭଳି ଚିଠିକୁ ଓଟିଏମ କଲୋନୀର ୨ହଜାର ପରିବାର ନିନ୍ଦା କରିବା ସହ ସେମାନଙ୍କୁ ବାସହରା କରିବାର ପରିଣାମ ସରକାର ଭୋଗ କରିବେବୋଲି ଚେତାବନୀ ଦେଇଛନ୍ତି । ଆଗାମୀ ଦିନରେ ଏହାକୁ ବିରୋଧ କରି ହଜାର ହଜାର ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବେ ବୋଲି ରବିନାରାୟଣ ରାଉତ, ଶ୍ରୀକାନ୍ତ ପାକଳ, ବିଶ୍ୱରଞ୍ଜନ କର, ଲକ୍ଷ୍ମୀଧର ଭଞ୍ଜ, ବୈଦନାଥ ସାମଲ, ଚନ୍ଦ୍ର ଶେଖର ମିଶ୍ର, ଅମିତ କୁମାର ବେଉରା, ଦୀପକ ସେନାପତି, ଅରବିନ୍ଦ ନାଥ, ଶିବାଜୀ ପଟ୍ଟନାୟକ, ସରିତା ଦାସ, ସଜିତ ବିଶ୍ୱାଳ ପ୍ରମୁଖ ଚେତାବନୀ ଦେଇଛନ୍ତି ।

