News by Maheswar Behera (Athagarh)

ହାତୀ ମୃତ୍ୟୁର ତଦନ୍ତ ସମୟରେ ଅଭିଯୁକ୍ତର ମୃତ୍ୟୁ: ଥାନାରେ ଅଟକ ରହିଲେ ବନବିଭାଗ କର୍ମଚାରୀ

News by Maheswar Behera (Athagarh)

#ଆଠଗଡ଼ (ଏନ୍‌.ଏମ୍‌.): ମୃତ ହାତୀର ତଦନ୍ତ ସମୟରେ ବନବିଭାଗ କର୍ମଚାରୀଙ୍କ କଷ୍ଟଡ଼ିରେ ଅଭିଯୁକ୍ତର ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇବା ସହ ବନବିଭାଗ କର୍ମଚାରୀଙ୍କୁ ଥାନାରେ ଅଟକ ରଖାଯାଇ ପୁଲିସ ଘଟଣାର ତଦନ୍ତ ଚାଲିଛି । ସୂଚନା ଅନୁଯାୟୀ, ଚଳିତ ମାସ ଦୁଇ ତାରିଖରେ ବଡମ୍ବା ରେଞ୍ଜ ଅନ୍ତର୍ଗତ ମାଣିଆବନ୍ଧ ବିଟଅଧିନ ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଗୁଳି ବିଦ୍ଧ ଦନ୍ତା ହାତୀର ମୃତ ଦେହ ଠାବ କରାଯାଇଥିଲା । ବଡମ୍ବା ରେଞ୍ଜ ମାଣିଆବନ୍ଧ ବିଟ ଅଧିନ ହିନ୍ଦୋଳ ବଡ଼ରର କମ୍ପାଟମେଣ୍ଟ ୧ ସ୍ଥିତ ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଏକ ଗୁଳିବିଦ୍ଧ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଖବର ପାଇ ବଡମ୍ବା ରେଞ୍ଜର ସୁବ୍ରତ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚିଥିଲେ । ଦୁଇ ଦିନ ପୂର୍ବରୁ ଗୁଳି ବିଦ୍ଧ ଦନ୍ତା ହାତୀର ମୃତ ଦେହ ଜଙ୍ଗଲରେ ପଡିରହିଥିବା ଜଣା ପଡ଼ିଥିଲା । ମୃତ ହାତୀର ଦାନ୍ତ ଚୋରି ହୋଇଥିଲା । ଏ ନେଇ ଗତ ମଙ୍ଗଳବାର ଦିନ ସ୍ଥାନୀୟ ଗ୍ରାମବାସୀ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବାବେଳେ ମୃତ ହାତୀ ବିଷୟରେ ଲୋକ ଲୋଚନକୁ ଆସିଥିଲା । ପରେ ବନ ବିଭାଗ ପକ୍ଷରୁ ଚଢାଉ କରି ସାତ ଗୋଛିଆ ଗ୍ରାମର ଧନେଶ୍ୱର ବେହେରାଙ୍କୁ ଉଠାଇ ଆଣିଥିଲା । କିନ୍ତୁ ଗତକାଲି ଧନେଶ୍ୱରଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ପ୍ରଥମେ ବଡ଼ମ୍ବା ଓ ପରେ ତିଗିରିଆ ମେଡିକାଲକୁ ଧନେଶ୍ୱରଙ୍କୁ ଅଣା ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ତିଗିରିଆ ପୁଲିସ୍ ପହଞ୍ଚି ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରା, ଆଠଗଡ଼ ବନ ଖଣ୍ଡର ଦୁଇ ଏସିଏଫଓ ହରେକୃଷ୍ଣ ମଲିକ ଓ ଘନଶ୍ୟାମ ମୁଦୁଲି ଓ ୬ଜଣ ବନ ବିଭାଗ କର୍ମଚାରୀଙ୍କୁ ଆଠଗଡ଼ ଥାନାରେ ଅଟକ ରଖା ଯାଇ ଧନେଶ୍ୱରଙ୍କ ମୃତ୍ୟୁ ସମ୍ପର୍କରେ ପଚରା ଉଚରା ଚାଲିଛି । ଆଠଗଡ଼ ଥାନାରେ ତିଗିରିଆ ଥାନା ଆଇଆଇସି, ଆଠଗଡ଼ ଏସଡିପିଓ ଏବଂ ଆଠଗଡ଼ ଥାନା ଅଧିକାରୀ ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି । ତେବେ ଏ ନେଇ ଅଞ୍ଚଳରେ ଅଧିକ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଆଠଗଡ ଡାକ୍ତରଖାନାରେ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍ପି, ଆଠଗଡ ଉପଜିଲ୍ଲାପାଳଙ୍କ ସହ ୩ ଜଣ ଡାକ୍ତରଙ୍କ ଉପସ୍ଥିତିରେ ଧନେଶ୍ୱର ବେହେରାଙ୍କ ଶବ ବ୍ୟବଛେଦ କରାଯାଇଛି । ଧନେଶ୍ୱରଙ୍କ ଶରିରରେ ମାଡଦାଗ ଥିବା ଗ୍ରାମାଞ୍ଚଳ ଅତିରିକ୍ତ ଏସପି କୃଷ୍ଣପ୍ରସାଦ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏହି ଘଟଣାରେ ଅଧିକ ତଦନ୍ତ କରା ଯାଉଥିବାବେଳେ ଦୋଷୀକୁ ନିଶ୍ଚିତ ଦଣ୍ଡବିଧାନ ହେବ ବୋଲି ପ୍ରେସମିଟରେ ଅତିରିକ୍ତ ଏସପି ଶ୍ରୀ ପଟ୍ଟନାୟକ କହିଛନ୍ତି ।

By admin

Leave a Reply

Your email address will not be published. Required fields are marked *