ଏଚଏସସି ସାର୍ଟିଫିକେଟରେ ରେକର୍ଡ କରାଯାଇଥିବା ଜନ୍ମ ତାରିଖ ସବୁ ଉଦ୍ଦେଶ୍ୟ ପାଇଁ ଗ୍ରହଣୀୟ: ହାଇକୋର୍ଟ

ଏଚଏସସି ସାର୍ଟିଫିକେଟରେ ରେକର୍ଡ କରାଯାଇଥିବା ଜନ୍ମ ତାରିଖ ସବୁ ଉଦ୍ଦେଶ୍ୟ ପାଇଁ ଗ୍ରହଣୀୟ:ହାଇକୋର୍ଟ

କଟକ(ଏନ.ଏମ) : ମାଟ୍ରିକ୍ ବା ଏଚଏସସି ସାର୍ଟିଫିକେଟରେ ରେକର୍ଡ କରାଯାଇଥିବା ଜନ୍ମ ତାରିଖ ସବୁ ଉଦ୍ଦେଶ୍ୟ ପାଇଁ ଜନ୍ମ ତାରିଖ ଭାବେ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଏଥି ସହିତ ଫୁଡ କର୍ପୋରେସନ ଅଫ୍ ଇଣ୍ଡିଆ(ଏଫସିଆଇ)ରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ଚାକିରି ସଂପର୍କିତ ରେକର୍ଡରେ ଏଚଏସସି ସାର୍ଟିଫିକେଟରେ ଥିବା ତଥ୍ୟ ଅନୁସାରେ ଜନ୍ମ ତାରିଖ ସଂଶୋଧନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ ମାସ ଭିତରେ ଏହି ନିର୍ଦ୍ଦେଶ ପାଳନ କରି କର୍ତ୍ତୃପକ୍ଷ ଉପଯୁକ୍ତ ନିର୍ଦ୍ଦେଶନାମା ଜାରି କରିବେ। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରବୀର କୁମାର ମୁଦୁଲିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୯୧, ଜାନୁଆରି ୧୭ରେ ଆବେଦନକାରୀ ଡବ୍ଲୁଏମସି ସିଷ୍ଟମ ୱାର୍କର ଭାବେ ଏଫସିଆଇରେ ଯୋଗ ଦେଇଥିଲେ। ଚାକିରି ସଂପର୍କିତ ରେକର୍ଡରେ ଆବେଦନକାରୀଙ୍କ ଜନ୍ମ ତାରିଖ ୧୯୬୬, ଅଗଷ୍ଟ ୫ ବୋଲି ଉଲ୍ଲେଖ କରାଯାଇଥିଲା। ୧୯୯୨ରେ ଆବେଦନକାରୀ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅନୁଷ୍ଠିତ ଏଚଏସସି ପରୀକ୍ଷା ଦେଇ ପାସ୍ କରିଥିଲେ। ସ୍କୁଲ ରେଜିଷ୍ଟରରେ ଉଲ୍ଲେଖ ଜନ୍ମତାରିଖକୁ ବିଚାରକୁ ନିଆଯାଇ ଆବେଦନକାରୀଙ୍କ ଏଚଏସସି ପାସ୍ ସାର୍ଟିଫିକେଟରେ ଜନ୍ମତାରିଖ ୧୯୭୨, ଏପ୍ରିଲ ୨୭ ବୋଲି ଉଲ୍ଲେଖ କରାଯାଇଥିଲା। ପରବର୍ତ୍ତୀ ତାରିଖରେ ଜନ୍ମ ତାରିଖ ସଂଶୋଧନ ପାଇଁ ଆବେଦନକାରୀ ଏଫସିଆଇ ପରିଚାଳକଙ୍କ ନିକଟରେ ସତ୍ୟପାଠ ଦାଖଲ କରିଥିଲେ। ବାରମ୍ବାର ଏ ନେଇ ଦରଖାସ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ସେ ଦାଖଲ କରିଥିଲେ। ପରିଶେଷରେ ୨୦୨୨, ଡିସେମ୍ବର ୨୬ରେ ଜନ୍ମ ତାରିଖ ସଂଶୋଧନ ପାଇଁ ଆବେଦନକାରୀ ଦାଖଲ କରିଥିବା ଦରଖାସ୍ତକୁ କର୍ତ୍ତୃପକ୍ଷ ଖାରଜ କରିଥିଲେ। ଏହାକୁ ଚାଲେଞ୍ଜ କରି ୨୦୨୩ରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀଧର ପଙ୍ଗାରି ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସୋହନ ମିଶ୍ର ସହାୟତା କରୁଥିଲେ।

Leave a Reply

Your email address will not be published. Required fields are marked *