ସ୍ୱାଧୀନତା ସଂଗ୍ରାମୀ ଗୋକୁଳ ମୋହନ ରାୟ ଚୁଡ଼ାମଣୀଙ୍କର ୧୭ତମ ଶ୍ରାଦ୍ଧବାର୍ଷିକ

ସ୍ୱାଧୀନତା ସଂଗ୍ରାମୀ ଗୋକୁଳ ମୋହନ ରାୟ ଚୁଡ଼ାମଣୀଙ୍କର ୧୭ତମ ଶ୍ରାଦ୍ଧବାର୍ଷିକ

News by Saroj Kumar Muduli (Khordha)

#ଖୋର୍ଦ୍ଧା(ଏନ୍‌.ଏମ୍‌.): ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଗୋକୁଳ ମୋହନ ରାୟ ଚୁଡାମଣୀଙ୍କର ୧୭ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ଗୋକୁଳ ମୋହନ ରାୟଚୁଡ଼ାମଣି ସ୍ମୃତି ସଂସଦ ଦ୍ୱାରା ଖୋର୍ଦ୍ଧା ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ମୁଖ୍ୟଅତିଥି ଭାବରେ ଯୋଗଦେଇ ସ୍ଥାନୀୟ ବି.ଡି.ଏ କଲୋନୀସ୍ଥିତ ଚୁଡାମଣୀଙ୍କର ପ୍ରତିମୂର୍ତ୍ତିରେ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କଲା ପରେ ସେଠାରେ ଉପସ୍ଥିତ ଥିବା ସହରର ବହୁ ଶିକ୍ଷାବିତ୍‌, ଆଇନ୍‌ଜୀବୀ, ସମାଜସେବୀ, ବୁଦ୍ଧିଜୀବୀମାନେ ଚୁଡାମଣୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ୧୯୧୧ ମସିହାରେ ସେ ପୁରୀ ଜିଲ୍ଲାର ନିମାପଡ଼ାସ୍ଥିତ ଭୋଦର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଖୋର୍ଦ୍ଧାକୁ ନିଜର କର୍ମଭୂମି ଭାବେ ଗ୍ରହଣ କରିଥିଲେ ।
ଜଣେ ସାମ୍ୟବାଦୀ ଓ ଗାନ୍ଧୀବାଦୀ ନେତା ଭାବେ ଲବଣ ସତ୍ୟାଗ୍ରହ, ଭାଗଚାଷୀ ଆନ୍ଦୋଳନ, ଭାରତ ଛାଡ଼ ଆନ୍ଦୋଳନ, ଗଡ଼ଜାତ ଆନ୍ଦୋଳନ, ପ୍ରଜା ଆନ୍ଦୋଳନ, ଜମିଦାରୀ ପ୍ରଥା ଉଚ୍ଛେଦ, ସରୋବରାକାର ପ୍ରଥା ଉଚ୍ଛେଦ, ଖାସମାହାଲ ଆଇନକୁ ରଦ୍ଦ କରିବା ପାଇଁ ବିଭିନ୍ନ ସମୟରେ ବିଟ୍ରିଶ ବିରୁଦ୍ଧରେ ଆନ୍ଦୋଳନ କରି ବହୁବାର ବାଲେଶ୍ୱର, ପୁରୀ ଓ ପାଟଣା ଜେଲରେ କାରାବନ୍ଦୀ ହୋଇଥିଲେ । ଜଙ୍ଗଲ ଆଇନ୍ ଓ ଘରଭଡ଼ା ଆଇନର ସଂସ୍କାର ଆଣିବା ପାଇଁ ବାରମ୍ବାର ରାଜରାସ୍ତାରେ ଆନ୍ଦୋଳନ କରିଥିଲେ । ଖୋର୍ଦ୍ଧାରେ ବିଦେଶୀ ବସ୍ତ୍ର ବର୍ଜନ କରିବା ପାଇଁ ଆହ୍ୱାନ ଦେଇ ଚାନ୍ଦମାରି ପଡ଼ିଆରେ ବିଦେଶୀ ବସ୍ତ୍ର ପୋଡ଼ିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଭାରତ ସ୍ୱାଧୀନତା ଲାଭ କଲାପରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଖୋର୍ଦ୍ଧାରେ ପ୍ରଥମ ଥର ଲାଗି ସେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକର ସହଯୋଗୀ ଭାବରେ ପ୍ରାଣନାଥ ମହାବିଦ୍ୟାଳୟ ପ୍ରତିଷ୍ଠା କରିବାରେ ସହଯୋଗ କରିଥିଲେ । କମ୍ୟୁନିଷ୍ଟ ନେତା ଭଗବତ ପାଣିଗ୍ରାହୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ସମସାମୟିକ ଥିଲେ । ଖୋର୍ଦ୍ଧା ଜିଲ୍ଲା ଗଠନର ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ । ତାଙ୍କ ରଚିତ ପୁସ୍ତକଗୁଡିକ ହେଉଛି ରକ୍ତସିକ୍ତ ଖୋର୍ଦ୍ଧାରେ ମୋ ସଂଗ୍ରାମ, ହଳେ ଚପଲ, ପଦାତିକ ଇତ୍ୟାଦି । ଏଭଳି ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ଖୋର୍ଦ୍ଧାବାସୀ ନିଜକୁ ଗର୍ବ ଅନୁଭବ କରନ୍ତି । ଆଇନ୍‌ଜୀବୀ ନରେନ୍ଦ୍ର ପୃଷ୍ଟିଙ୍କ ସଂଯୋଜନାରେ ଆୟୋଜିତ ଏହି ଶ୍ରାଦ୍ଧୋତ୍ସବରେ ଅନ୍ୟମାନଙ୍କ ମଧ୍ୟରେଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ମେଜର କ୍ଷୀରୋଦ ମହାନ୍ତି, ରାୟ ଚୁଡାମଣୀଙ୍କର ସୁକନ୍ୟା ମନ୍ଦିରା ରାୟ ଚୁଡ଼ାମଣୀ, ପୌର ଉପାଧ୍ୟକ୍ଷ ସୌର୍ଯ୍ୟରଞ୍ଜନ ମହାନ୍ତି, ଆଇନ୍‌ଜୀବୀ ଡ଼. ବୃନ୍ଦାବନ ପଣ୍ଡା, ଶିଶିର ପରିଡ଼ା, ବିଜୟ ସାମନ୍ତସିଂହାର, ଭବାନୀ ଦାଶ, ନିରଞ୍ଜନ କର, ଐତିହାସିକ ସତ୍ୟବାଦୀ ବଳିୟାରସିଂହ, ସମାଜସେବୀ ଇତିଶ୍ରୀ ସାହୁ, ବାସନ୍ତି ମହାପାତ୍ର, ପ୍ରମୋଦ ଦାସ, ବିଭୁପ୍ରସାଦ ହରିଚନ୍ଦନ, ପୂର୍ବତନ ଆରକ୍ଷୀ ଅଧ୍ୟକ୍ଷକ ଦେବୀପ୍ରସାଦ ମଜୁମଦାର, ପ୍ରଫୁଲ ସାମନ୍ତରାୟ, ସୁବାଷ ସାମନ୍ତରାୟ, ଜ୍ଞାନ ଦାସ, ପାଇକଗୁରୁ ବିମଳ ସାମନ୍ତରାୟ, ଗଦାଧର ରଥଙ୍କ ସମେତ ପ୍ରାଣନାଥ ମହାବିଦ୍ୟାଳୟ ସ୍କାଉଟ୍ ଓ ଗାଇଡ୍‌ର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *