ସ୍ୱର୍ଣ୍ଣ ମନ୍ଦିର ନିକଟରେ ବୋମା ଫୁଟିବା ଘଟଣା; ତଦନ୍ତ କରିବ ଏନଆଇଏ

ନୂଆଦିଲ୍ଲୀ(ଏଜେନ୍ସି): ପଞ୍ଜାବ ଅମୃତସରସ୍ଥିତ ସ୍ୱର୍ଣ୍ଣ ମନ୍ଦିର ନିକଟରେ ୨ଥର ବୋମା ମାଡ଼ ହୋଇଥିବା ବେଳେ ଏହାର କାରଣ ଓ ଏହା ପଛରେ ଥିବା ଅଭିଯୁକ୍ତଙ୍କ ଟେର ପାଉନି ପୁଲିସ୍ । ତେଣୁ ଏହି ଘଟଣାର ତଦନ୍ତ ଏନଆଇଏ ଟିମ୍ କରିବ । ଏନଆଇଏ ଟିମ୍ ବୋମା ବିସ୍ଫୋରଣ ସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରିଛି । ଏଥିସହ ଅମୃତସର କମିଶନରେଟ ପୁଲିସ୍ ଅଧିକାରୀଙ୍କ ସହ ଆଲୋଚନା କରିଛି । ଫରେନସିକ୍ ଟିମ୍ ସଦସ୍ୟଙ୍କୁ ବି ଘଟଣା ସମ୍ପର୍କରେ ପଚରାଉଚରା କରିଛି ଏନଆଇଏ ଟିମ୍ । ସୂଚନା ଅନୁଯାୟୀ, ଗତ ଶନିବାର ସନ୍ଧ୍ୟାରେ ଓ ସୋମବାର ସକାଳେ ସ୍ୱର୍ଣ୍ଣ ମନ୍ଦିର ନିକଟ ହେରିଟେଜ ଷ୍ଟ୍ରିଟରେ ୨ଟି ବୋମା ବିସ୍ଫୋରଣ ହୋଇଥିଲା । ପୁଲିସ୍ ଏବେ ଉକ୍ତ ୨ ଦିନର ସିସିଟିଭି ଫୁଟେଜ ସଂଗ୍ରହ କରି ତାହାର ଯାଞ୍ଚ କରୁଛି । ଏହି ବିସ୍ଫୋରଣରେ କିଛି ସ୍ଥାନୀୟ ଲୋକ ଓ ଶ୍ରଦ୍ଧାଳୁ ଆହତ ହୋଇଥିଲେ । ପଞ୍ଜାବ ପୁଲିସ୍ ଏହି ଘଟଣାର ତଦନ୍ତ କରୁଥିଲେ ବି ଅଭିଯୁକ୍ତଙ୍କ ଟେର ପାଇପାରୁନି । ତେଣୁ ଏହି ମାମଲା ଏବେ ଏନଆଇଏ ହାତକୁ ଚାଲି ଯାଇଛି । ଏବେ ଏନଆଇଏ ତଦନ୍ତର ଫଳାଫଳ ଉପରେ ସମସ୍ତଙ୍କ ନଜର । ସୂଚନାଯୋଗ୍ୟ, ଗତ ଶନିବାର ରାତିରେ ହେରିଟେଜ ଷ୍ଟ୍ରିଟରେ ଏକ ବୋମା ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା । ଉକ୍ତ ବିସ୍ଫୋରଣରେ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ଆଖପାଖ ଘରର ଝରକା ଭାଙ୍ଗି ଯାଇଥିଲା । ଏଥିସହ କିଛି ଶ୍ରଦ୍ଧାଳୁ ବି ଆହତ ହୋଇଥିଲେ । ଏହାପରେ ଗତକାଲି ସକାଳେ ସମାନ ସ୍ଥାନରେ ଫୁଟିଥିଲା ବୋମା । ଏହାର ଶବ୍ଦ ପ୍ରାୟ ୧କିଲୋମିଟର ବ୍ୟାପି ସ୍ୱର୍ଣ୍ଣମନ୍ଦିର ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା । ଏହି ଶବ୍ଦ ଶୁଣି ସ୍ଥାନୀୟ ଲୋକଙ୍କ ସମେତ ଶ୍ରଦ୍ଧାଳୁ ଭୟଭୀତ ହୋଇ ପଡ଼ିଥିଲେ । ତେବେ ଏହି ଅଞ୍ଚଳରେ ଘନଘନ ବୋମାମାଡ଼ ଘଟଣାର ରହସ୍ୟ କ’ଣ, କେଉଁମାନେ ଓ କାହିଁକି ବୋମାମାଡ଼ କରୁଛନ୍ତି ଏ ସମ୍ପର୍କରେ ଏନଆଇଏ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଏନଆଇଏ ଟିମର ଜଣେ ସଦସ୍ୟ ସୂଚନା ଦେଇଛନ୍ତି ।
