ସ୍ୱର୍ଗତ ବସନ୍ତ କୁମାର ରାୟଙ୍କ ୨୦ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ବିଶାଳ ରକ୍ତଦାନ ଶିବିର: ୧୨୫ ୟୁନିଟ୍ ସଂଗ୍ରହ


#କଟକ(ଏନ୍‌.ଏମ୍‌.): ଗୁଳୁଗୁଳି ଆଉ ବର୍ଷାର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ରକ୍ତଦାନକୁ ନେଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ବିପୁଳ ଉତ୍ସାହ। ବିଶେଷକରି ପ୍ରଥମଥର ପାଇଁ ରକ୍ତଦାନର ସ୍ୱର୍ଗୀୟ ଅନୁଭବ ଉପଲବ୍ଧି ନିମନ୍ତେ ନୂତନ ଜୀବନଦାତାଙ୍କ ଆଗ୍ରହ ଥିଲା ଅନୁକରଣୀୟ। ବିଶିଷ୍ଟ କର୍ମଚାରୀ ନେତା ତଥା କଟକ କଲେକ୍ଟୋରେଟ୍ ଏମ୍ପ୍ଲୟିଜ୍ ଗ୍ରୁପ୍ ହାଉସିଂ ସୋସାଇଟି ସିଡିଏ ସେକ୍ଟର-୯ ଏବଂ ୧୦ର ପ୍ରତିଷ୍ଠାତା ସ୍ୱର୍ଗତ ବସନ୍ତ କୁମାର ରାୟଙ୍କ ୨୦ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଆୟୋଜିତ ବିଶାଳ ରକ୍ତଦାନ ଶିବିରରେ ବହୁ ଯୁବଗୋଷ୍ଠୀ ରକ୍ତ ଦାନ କରିଥିଲେ। ସ୍ଥାନୀୟ ସିଡିଏ ସେକ୍ଟର-୯ ସ୍ଥିତ ରାମେଶ୍ୱର ମନ୍ଦିର ସଭାଗୃହରେ ପ୍ରଗତୀ ଯୁବ କେନ୍ଦ୍ର ପକ୍ଷରୁ ଆୟୋଜିତ ଏହି ଶିବିରରୁ ମୋଟ ୧୨୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ମହିଳା, ଯୁବଗୋଷ୍ଠୀଙ୍କ ମଧ୍ୟରେ ଏହି ଶିବିରକୁ ନେଇ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଥଲା। ବିଶିଷ୍ଟ ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ଏମ୍ସ ଭୁବନେଶ୍ୱର ଆନାଟୋମୀ ବିଭାଗର ପ୍ରଫେସର୍ ପ୍ରଭାସ ରଞ୍ଜନ ତ୍ରିପାଠୀ ଏବଂ କଟକ କମିଶନରେଟ ପୁଲିସର ଅତିରିକ୍ତ ଡିସିପି ଅନୀଲ କୁମାର ମିଶ୍ର ଏହି ଶିବିରରେ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ହାଉସିଂ ସୋସାଇଟିର ସଭାପତି ଦେବେନ୍ଦ୍ର କୁମାର ଖଟୁଆ, ସଂପାଦକ ଗୋଲକ ମହାନ୍ତି, ବରିଷ୍ଠ ସଭ୍ୟ ପ୍ରଫୁଲ୍ଲ କୁମାର ଜେନା, ହରେକୃଷ୍ଣ ଦାସ, ଗଙ୍ଗାଧର ସ୍ୱାଇଁ, ରବିନ୍ଦ୍ର ରଣା, ରବିନ୍ଦ୍ର କୁମାର ରାୟ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ପ୍ରଗତୀ ଯୁବ କେନ୍ଦ୍ରର ସଭ୍ୟମାନେ ଶିବିର ପରିଚାଳନା କରିଥିଲେ। କଟକ ରେଡକ୍ରସର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ।

Leave a Reply

Your email address will not be published. Required fields are marked *