ସ୍କ୍ରାପିଂ ନୀତି ଘୋଷଣା କଲେ ପ୍ରଧାନମନ୍ତ୍ରୀ: ରାସ୍ତାରୁ ହଟିବ ପୁରୁଣା ଓ ଅନଫିଟ୍ ଗାଡି

ସ୍କ୍ରାପିଂ ନୀତି ଘୋଷଣା କଲେ ପ୍ରଧାନମନ୍ତ୍ରୀ: ରାସ୍ତାରୁ ହଟିବ ପୁରୁଣା ଓ ଅନଫିଟ୍ ଗାଡି


ନୂଆଦିଲ୍ଲୀ (ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ସ୍କ୍ରାପିଂ ନୀତିର ଘୋଷଣା କରିଛନ୍ତି । ଏହି ନୀତି ଦେଶର ବିକାଶ ଯାତ୍ରାରେ ଏକ ମାଇଲ ଖୁଣ୍ଟ ହେବ ବୋଲି କୁହାଯାଇଛି । ଏଥିରେ ଯୁବ ବର୍ଗ ଏବଂ ଷ୍ଟ୍ରାର୍ଟଅପ୍ କମ୍ପାନୀ ଯୋଗ ଦେବାକୁ ସେ ଆହ୍ୱାନ କରିଛନ୍ତି । ଗୁଜରାଟରେ ଚାଲିଥିବା ଏକ ଇନଭେଷ୍ଟମେଣ୍ଟ ସମ୍ମିଳନୀରେ ଯୋଗଦେଇ ମୋଦି ଏହା କହିଛନ୍ତି । ଏହି ସ୍କ୍ରାପିଂ ନୀତି ଦ୍ୱାରା ଦେଶରେ ନୂଆ ରୋଜଗାର ସୃଷ୍ଟି ହେବ ଏବଂ ଷ୍ଟ୍ରାର୍ଟଅପ୍ କମ୍ପାନୀ ଲାଭବାନ ହୋଇପାରିବ ବୋଲି ସେ କହିଛନ୍ତି । ସଡକ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ଓ ଗୁଜୁରାଟ ସରକାର ଏହି ସମ୍ମିଳନୀ ଆୟୋଜନ କରିଛନ୍ତି । ଗୁଜୁରାଟର ଗାନ୍ଧିନଗର ଠାରେ ଏହି ସମ୍ମିଳନୀ ଚାଲିଛି । ମାର୍ଚ୍ଚ ୧୮ରେ ଲୋକସଭାରେ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏହି ନୀତି ବାବଦରେ ବିବୃତ୍ତି ରଖି କହିଥିଲେ ଯେ, ଦେଶରେ ୨୦ ବର୍ଷରୁ ଅଧିକ ୫୧ ଲକ୍ଷ ହାଲୁକା ମୋଟର ଯାନ ଏବଂ ୧୫ ବର୍ଷରୁ ଅଧିକ ୩୪ ଲକ୍ଷ ହାଲୁକା ମୋଟର ଯାନ ରହିଛି । ଏହା ବ୍ୟତୀତ ପ୍ରାୟ ୧୭ ଲକ୍ଷ ମଧ୍ୟମ ଏବଂ ଭାରୀ ବ୍ୟବସାୟିକ ଯାନ ଅଛି, ଯାହା ୧୫ ବର୍ଷରୁ ଅଧିକ ପୁରୁଣା ଏବଂ ଏହାର ବୈଧ ଫିଟନେସ୍ ସାର୍ଟିଫିକେଟ୍ ନାହିଁ । ପୁରୁଣା ଯାନଗୁଡିକ ଫିଟ୍ ହୋଇଥିବା ଯାନ ଅପେକ୍ଷା ୧୦ ରୁ ୧୨ ଗୁଣ ଅଧିକ ପରିବେଶକୁ ପ୍ରଦୂଷିତ କରୁଛି । ଏଥି ସହିତ ସଡକ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ସେ କହିଥିଲେ । ତେଣୁ ତାଙ୍କ ମନ୍ତ୍ରାଳୟ ରାସ୍ତାରେ ଯାନବାହାନ ଏବଂ ଯାତ୍ରୀଙ୍କ ସୁରକ୍ଷା ଏବଂ ପରିଷ୍କାର ପରିବେଶ ପାଇଁ ସ୍କ୍ରାପିଂ ନୀତି ଆରମ୍ଭ କରିଛି । ଏହି ନୀତି ଦ୍ୱାରା ସ୍ୱେଚ୍ଛାକୃତ ଭାବରେ ଯାନଗୁଡିକର ଆଧୁନିକୀକରଣର କାର୍ଯ୍ୟକ୍ରମ ହେବ । ଏହା ମାଧ୍ୟମରେ ସରକାର ପ୍ରାୟ ୧୦ହଜାର କୋଟି ଟଙ୍କାର ଅତିରିକ୍ତ ନିବେଶ ଏବଂ ୩୫ ହଜାର ନିଯୁକ୍ତି ସୃଷ୍ଟି ହୋଇ ପାରିବ ବୋଲି ଆଶା କରାଯାଉଛି । ସ୍କ୍ରାପିଂ ନୀତି ଦ୍ୱାରା ୨୦ ବର୍ଷରେ ଘରୋଇ ଗାଡ଼ି ଏବଂ ୧୫ ବର୍ଷ ପରେ ବ୍ୟବସାୟିକ ଗାଡ଼ି ଅନ୍ ଫିଟ୍ ବୋଲି ଘୋଷିତ ହେବ । ଏହି ଅବଧି ପରେ ଯଦି ଜଣେ ଗାଡି ମାଲିକ ବ୍ୟବହାର କରିବେ, ତା’ହେଲେ ତାଙ୍କୁ ଗାଡ଼ିର ଫିଟନେସ ବ୍ୟବହାର କରିବାକୁ ହେବ । ସ୍କ୍ରାପିଂ ସାର୍ଟିଫିକେଟ ଦେଖାଇ ନୂଆ ଗାଡ଼ି କିଣିଲେ ୪-୬ ପ୍ରତିଶତ ଡିସକାଉଣ୍ଟ ମିଳିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ପ୍ରକ୍ରିୟା ଦ୍ୱାରା ଦେଶରେ ଦୀର୍ଘ ଦିନର ପୁରୁଣା ଗାଡ଼ି ବଦଳରେ ନୂତନ ପୀଢ଼ିର ଗାଡ଼ି ଅଧିକ ବ୍ୟବହାର ହେବ । ଯାହାଦ୍ୱାରା କେବଳ ପରିବେଶ ପ୍ରଦୂଷଣ ନୁହେଁ ବରଂ ଅଯଥା ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *