News by Dillip Kumar Muduli (BBSR)

ସିବିଏସଇ ଦଶମ ଓ ଦ୍ୱାଦଶ ରେଜଲ୍ଟ ମୂଲ୍ୟାୟନ ବିବାଦରେ ଅସନ୍ତୁଷ୍ଟ ଛାତ୍ର ଛାତ୍ରୀଙ୍କ ମତାମତ ଦାଖଲ ପାଇଁ ଓଡିଶା ଅଭିଭାବକ ମହାସଂଘକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

News by Dillip Kumar Muduli (BBSR)

ଭୁବନେଶ୍ୱର (ଏନ୍‌.ଏମ୍‌.): ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ ପରେ ଅନେକ ଅଭିଭାବକ ଓ ଛାତ୍ରଛାତ୍ରୀ ବର୍ତ୍ତମାନ ସେମାନଙ୍କ ଫଳାଫଳ ଓ ବୋର୍ଡର ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିବା ସହିତ ମୂଲ୍ୟାୟନ ପଦ୍ଧତି ପରିବର୍ତନ ଉପରେ ପ୍ରଶ୍ନ ଉଠାଇଛନ୍ତି । କରୋନା ପାଇଁ ଏବର୍ଷର ପରୀକ୍ଷା ଦୁଇଟି ପର୍ଯ୍ୟାୟ ଟର୍ମ-୧ ଓ ଟର୍ମ-୨ ରେ ହୋଇ ଉଭୟ ପରୀକ୍ଷାର ବିଷୟ ଓ ପ୍ରାକ୍ଟିକାଲର ୫୦ %-୫୦ % ମାର୍କକୁ ନେଇ ଫାଇନାଲ ରେଜଲ୍ଟ ପ୍ରକାଶ କରାଯିବ ବୋଲି ୫ ଜୁଲାଇ ୨୦୨୧ ରେ ଘୋଷଣା କରିଥିଲେ । ସେହି ଅନୁଯାଇ ପିଲାମାନେ ଆଠ ମାସ ପରିଶ୍ରମ କରି ଟର୍ମ-୧ ପରୀକ୍ଷା ଦେଲେ । ପରୀକ୍ଷା ଫଳ ପ୍ରକାଶ ପରେ ଏପ୍ରିଲ ପ୍ରଥମ ସପ୍ତାହରେ କିଛି ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଟର୍ମ-୧ ର ୩୦% ଓ ଟର୍ମ-୨ର ୭୦% ମାର୍କକୁ ନେଇ ଫାଇନାଲ ରେଜଲ୍ଟ ବାହାରିବ ବୋଲି ପ୍ରକାଶିତ ହେବା ପରେ ବୋର୍ଡ କର୍ତ୍ତୃପକ୍ଷ ୫ଏପ୍ରିଲ ତାରିଖରେ ନିଜ ଟ୍ୱିଟର ବକ୍ସରେ ଏହା ଫେକ ନ୍ୟୁଜ କହିଲେ ଓ ପୂର୍ବ ନିଷ୍ପତି ଆଧାରରେ ମାର୍କିଙ୍ଗ କରାଯିବ ବୋଲି ସଫେଇ ଦେଇଥିଲେ । ଟର୍ମ-୧ ପରୀକ୍ଷାର ୩ମାସ ପରେ ପିଲାମାନେ ଟର୍ମ-୨ ପରୀକ୍ଷା ଦେଲେ । ରେଜଲ୍ଟ ବାହାରିଲା ପରେ ଗତ ୨୨ ଜୁଲାଇରେ ବୋର୍ଡ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି କି ସେମାନେ ପରୀକ୍ଷା ମୂଲ୍ୟାୟନ ନେଇ ପୂର୍ବରୁ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ ଓ କମିଟି ବହୁ ତର୍କ ଆଲୋଚନା ପରେ ତାଙ୍କ ପରାମର୍ଶ ଅନୁଯାଇ ଟର୍ମ-୧ ର ଥିଓରୀର ୩୦% ଓ ଟର୍ମ-୨ ଥିଓରୀର ୭୦% ମାର୍କକୁ ନେଇ ତତସହିତ ଉଭୟ ଟର୍ମ-୧ ଓ ଟର୍ମ-୨ ର ପ୍ରାକ୍ଟିକାଲ ପରୀକ୍ଷା ୫୦%-୫୦% ଆଧାରରେ ମୂଲ୍ୟାୟନ କରାଯାଇଛି । ଏହା ଜାଣିବାପରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କର ବିବିଏସଇର ସ୍ୱଚ୍ଛତା ଉପରେ ସନ୍ଦେହ ସୃଷ୍ଟି ହୋଇଛି, ଅନେକ ପିଲା ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଗତିକରୁଛନ୍ତି । ଅନେକ ପିଲା ଓ ଅଭିଭାବକମାନେ ଏହି ମୂଲ୍ୟାୟନରେ ଅସନ୍ତୁଷ୍ଟ ହୋଇ ଅଭିଯୋଗ କରୁଛନ୍ତି କି ଟର୍ମ-୧ ପରୀକ୍ଷା ଆଠ ମାସ ପରିଶ୍ରମ କରି ଦେଇଥିଲେ, ତେଣୁ ତାହା ଭଲ ହୋଇଥିଲା ମାତ୍ର ଟର୍ମ-୨ ପରୀକ୍ଷା ଦେବାକୁ ୩ ମାସ ସମୟ ମିଳିଲା ଓ ଅପେକ୍ଷାକୃତ କମ ସମୟରେ ଟିକେ ଅସୁବିଧା ରହିଗଲା । ଏଠାରେ ପ୍ରଶ୍ନ ଉଠିବା ମଧ୍ୟ ସ୍ୱାଭାବିକ ଯେ ବୋର୍ଡ କର୍ତ୍ତୃପକ୍ଷ ଯଦି ୩୦-୭୦ ଆଧାରରେ ମୂଲ୍ୟାୟନ କଲେ ତେବେ ପୂବରୁ ଏହା ଘୋଷଣା କଲେ ନାହିଁ କାହିଁକି? କଣ ପାଇଁ ପୂର୍ବରୁ ଏହା ଫେକ ନ୍ୟୁଜ ବୋଲି ସଫେଇ ଦେଉଥିଲେ? ସିବିଏସଇ କେବଳ ଦେଶ ନୁହେଁ ସାରା ବିଶ୍ୱରେ ପଚାଶ ପାଖାପାଖି ଦେଶରେ ଏକ ସ୍ୱତନ୍ତ୍ରତା ଅର୍ଜନ କରିଛି । ଏହା ବୋର୍ଡର ଗରିମାକୁ ନଷ୍ଟ କରିବା ସହିତ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି । ତେଣୁ କ୍ଷତିଗ୍ରସ୍ତ ପିଲାମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ଓଡିଶା ଅଭିଭାବକ ମହାସଂଘ ତରଫରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଓଡିଶା ଅଭିଭାବକ ମହାସଂଘର ଆଇନଜୀବୀ ଆଦିଶା ମହାନ୍ତି ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏ ସଂକ୍ରାନ୍ତରେ ସୁପାରିଶ ଦେଇ କହିଛନ୍ତି କି ଯେଉଁ ପିଲାମାନେ ପୂର୍ବ ଘୋଷଣା ମୁତାବକ ୫୦ -୫୦ ଆଧାରରେ ମୂଲ୍ୟାୟନ ପାଇଁ ଚାଁହାନ୍ତି ସେମାନେ ତାଙ୍କର ମତାମତ ଏକ ଫର୍ମାଟ ମାଧ୍ୟମରେ ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଦାଖଲ କରିବେ । ଯେହେତୁ ଏହି ମାମଲା ସାରା ଦେଶର ସମସ୍ୟା ଆଧାରିତ ତେଣୁ ଗୁରୁତ୍ୱର ସହିତ ଏବଂ ଅସନ୍ତୁଷ୍ଟ ଛାତ୍ର ଛାତ୍ରୀଙ୍କ ମତାମତ ଆଧାରରେ ନିଷ୍ପତ୍ତି ନିଆଯିବ । ସେପଟେ ଏହି ସମସ୍ୟାକୁ ନେଇ ଦିଲ୍ଲୀ ହାଇକୋର୍ଟ ଜଣେ କ୍ଷତିଗ୍ରସ୍ତ ଛାତ୍ରର ଆବେଦନ ଉପରେ ତାଙ୍କୁ ୫୦:୫୦ ଆଧାରରେ ମାର୍କ ଦେବା ପାଇଁ ସିବିଏସଇ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି । ତେଣୁ ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶା ଅଭିଭାବକ ମହାସଂଘ ଘୋଷଣା କରି କହିଛି କି ଯେଉଁ ଛାତ୍ର ଛାତ୍ରୀମାନେ ତାଙ୍କର ମତାମତ ଦେବେ ସେମାନେ ଓଡିଶା ଅଭିଭାବକ ମହାସଂଘର ଟୋଲ ଫ୍ରି ନଂ ୭୦୭୭୦୧୮୮୮୮ ଓ ୱେବସାଇଟ- www.oamodisha.org ରେ ଫର୍ମ ଭରି ନିଜର ମତାମତ ଦେଇପାରିବେ । ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ, ଆଇନଜୀବୀ ଆଦିଶା ମହାନ୍ତି, ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ଭୁମୋହନ ପଟନାୟକ ଓ ସତ୍ୟବ୍ରତ ପରିଜା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *