ସାହିତ୍ୟ ପତ୍ରିକା ‘ଅପୂର୍ବା’ର ରଜତ ଜୟନ୍ତୀ ଉତ୍ସବ

ସାହିତ୍ୟ ପତ୍ରିକା ‘ଅପୂର୍ବା’ର ରଜତ ଜୟନ୍ତୀ ଉତ୍ସବ
ଭାଷା ଯେତେ ବ୍ୟବହୃତ ହେବ, ସେତେ ସମୃଦ୍ଧ ହେବ – ରାଜ୍ୟପାଳ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଭାଷା ଯେତେ ବ୍ୟବହୃତ ହେବ, ଭାଷା ସେତେ ସମୃଦ୍ଧ ହେବ । ଓଡ଼ିଆ ଭାଷାକୁ ଜ୍ଞାନବିଜ୍ଞାନ ଓ ଜୀବନଜୀବିକାର ଭାଷା ଭାବରେ ବିକଶିତ କରିବାକୁ ହେବ । ଓଡ଼ିଆ ଭାଷାର ଇତିହାସ ଓ ଐତିହ୍ୟ ଅତ୍ୟନ୍ତ ସମୃଦ୍ଧ । ଏହି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଆମ ପାଇଁ ଗର୍ବ ଓ ଗୌରବର କଥା । ଭାଷାର ସେବା ହିଁ ଯଥାର୍ଥରେ ଜାତି ସେବା । ଏହି ସେବାରେ ନିଜକୁ ସମର୍ପିତ କରିବା ପାଇଁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି ।
ଆଜି ଭୁବନେଶ୍ୱରରେ ସାହିତ୍ୟ ପତ୍ରିକା “ଅପୂର୍ବା’ର ରଜତ ଜୟନ୍ତୀ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ଯେ, ଭାରତରେ ଅନେକ ଭାଷା ଅଛି । ସେସବୁ ଆମର ସମ୍ପଦ । ଭାଷା ଅନେକ ହେଲେ ମଧ୍ୟ, ଭାବ ଏକ । ଏହା ହେଉଛି ଭାରତୀୟତା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଆ ଭାଷାରେ ଅନେକ କାଳଜୟୀ ସୃଷ୍ଟି ଅଛି । ଏହାର ବ୍ୟାପକ ଅନୁବାଦ ହେବା ଦରକାର । ଫଳରେ ଓଡ଼ିଶାର ସୃଜନ ସମ୍ପଦର ବିଶେଷ ପ୍ରସାର ହୋଇପାରିବ । ଏ ସମ୍ପର୍କରେ ଗୁରୁତ୍ୱ ଦେବାକୁ ରାଜ୍ୟପାଳ ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି ।
ସାହିତ୍ୟର ବିକାଶରେ ପତ୍ରପତ୍ରିକାର ବିଶେଷ ଭୂମିକା ରହିଛି । ଅନେକ ସଫଳ ସୃଜନ ଯାତ୍ରା ପତ୍ରିକା ପୃଷ୍ଠାରୁ ଆରମ୍ଭ ହୁଏ । ପ୍ରତିଭାର ପ୍ରକାଶ ଓ ବିକାଶ ନିମନ୍ତେ ଲୋଡ଼ା ଅନୁକୂଳ ପରିବେଶ ଏବଂ ପତ୍ରପତ୍ରିକା ଏ କ୍ଷେତ୍ରରେ ପ୍ରଭାବଶାଳୀ ଭୂମିକା ନିର୍ବାହ କରେ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି । ଏହି ଉତ୍ସବରେ ପ୍ରଖ୍ୟାତ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ, ସାଂସଦ ମାନସ ରଞ୍ଜନ ମଙ୍ଗରାଜ ପ୍ରମୁଖ ଓଡ଼ିଆ ଭାଷା ଓ ସାହିତ୍ୟର ସ୍ଥିତି ଓ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟପାଳଙ୍କ ଦ୍ୱାରା “ଅପୂର୍ବା’ର ରଜତ ଜୟନ୍ତୀ ସଂଖ୍ୟା ସହିତ ଅନେକ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏହି ଅବସରରେ କଥା ସାହିତ୍ୟରେ ବିଜୟ ନାୟକ, କବିତାରେ ରକ୍ଷକ ନାୟକ, ଉପନ୍ୟାସରେ ଶ୍ରୀକାନ୍ତ ମିଶ୍ର, ପ୍ରବନ୍ଧରେ ଚନ୍ଦ୍ରଶେଖର ହୋତା, ଶିକ୍ଷାରେ ପ୍ରଭାତ କୁମାର ରାଉଳ, ପତ୍ରିକା ସଂପାଦନାରେ ଇତିରାଣୀ ସାମନ୍ତ, ସ୍ୱାସ୍ଥ୍ୟ କ୍ଷେତ୍ରରେ ତିରୁପତି ପାଣିଗ୍ରାହୀ, ଶିଳ୍ପରେ ପ୍ରଦୀପ ମହାନ୍ତି ପ୍ରମୁଖଙ୍କୁ ଅପୂର୍ବା ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା । “ଅପୂର୍ବା’ର ସଂପାଦକ କ୍ଷୀରୋଦ ଚନ୍ଦ୍ର ପତି ଓ ଉପଦେଷ୍ଟା ବ୍ରହ୍ମା ମିଶ୍ର “ଅପୂର୍ବା’ର ସୃଜନ ଯାତ୍ରାର ଉପଲବ୍ଧି ସଂପର୍କରେ ବକ୍ତବ୍ୟ ରଖିଥିଲେ । ଉତ୍ସବରେ ବହୁ ବିଶିଷ୍ଟ ଲେଖକ, କବି ଓ ଚିନ୍ତକ ଯୋଗଦେଇଥିଲେ । କବି ଗୀତାଶ୍ରୀ ପ୍ରିୟମ୍ବଦା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *