ସରକାରଙ୍କ କାର୍ଯ୍ୟକୁ ନେଇ ଆଶଙ୍କାରେ ଜନତା
ସାମ୍ବାଦିକମାନଙ୍କୁ ଭିତରକୁ ଛାଡିଲାନି ସୁବର୍ଣ୍ଣପୁର ପୋଲିସ

ସୁବର୍ଣ୍ଣପୁର (ଏନ୍.ଏମ୍.): ଜନସାଧାରଣଙ୍କ ସୁଖ ଦୁଃଖରେ ଠିଆ ହେବାର ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିବା ବିଜେପି ପୂର୍ବ ସରକାରଙ୍କ ଭଳି ଏବେ ମନମୁଖୀ କାର୍ଯ୍ୟ ଚଳାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏକଦା ଲୋକଙ୍କ ସରକାର କହୁଥିବା ବିଜେପି ଏବେ ଲୋକଙ୍କ ସ୍ୱାର୍ଥ ଶୁଣିବାକୁ ବି ସୁଯୋଗ ଦେଉନଥିବା ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ଏପରିକି ପୁଲିସ ବିଭାଗ ମଧ୍ୟ ସରକାରଙ୍କ ପୋଷାଗୁଣ୍ଡା ଭଳି ଆଚରଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଆଲୋଚନା ହେଉଛି। ଲୋକଙ୍କ ପାଇଁ ଏବଂ ଲୋକଙ୍କ ଦ୍ୱାରା ସରକାର ଗଠନ ହୋଇଥିବା ବେଳେ ଏଠାରେ ସାଧାରଣ ଲୋକଙ୍କୁ ଅଣଦେଖା କରାଯାଉଛି। ସେହିଭଳି ପ୍ରଶାସନ ମଧ୍ୟ ସାଧାରଣ ଜନତାଙ୍କ ପାଇଁ କାମ କରିବାର ଦାୟିତ୍ୱ ଦିଆଯାଇଥିବାବେଳେ ପୁଲିସ ପ୍ରଶାସନ ଏସବୁକୁ ଭୁଲି ଯାଉଛି। ତେବେ ସୁବର୍ଣ୍ଣପୁର ବ୍ଲକ ଛକ ରୟାଲ ପଡିଆ ଠାରେ ୧୪ ଓ୧୫ତାରିଖ ଦୁଇଦିନ ଧରି ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ହୋଇଥିଲା। ତେବେ ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଅତିଥି ଭାବେ ମେଳାକୁ ପ୍ରବେଶ କରିବା ସମୟରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସଭାପତି ପ୍ରଦ୍ୟୁମ୍ନ ପାଢ଼ୀଙ୍କ ନେତୃତ୍ୱରେ ମନ୍ତ୍ରୀଙ୍କୁ ଧାନମଣ୍ଡି ଖୋଲା ହୋଇନଥିବା ସମ୍ବନ୍ଧୀୟ ଦାବିପତ୍ର ଦେବାପାଇଁ ଅପେକ୍ଷା କରି ଥିଲେ। ହେଲେ ସରକାରଙ୍କର ଗୁଣ୍ଡା ସାଜିଥିବା ପୋଲିସ ବାହିନୀ ବନ୍ଦ କର କହି ତାଙ୍କ ବ୍ୟାନର ଆଗରେ ୧୨ଜଣ ପୋଲିସ ଛିଡ଼ା ହୋଇ ବ୍ୟାନରକୁ ଦେଖାଇ ଦେଲେନାହିଁ; ଫଳରେ ଚାଷୀମାନେ ବାଧ୍ୟ ହୋଇ ନିଜ ଦାବିକୁ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଚାଷୀ ଏକତା ଜିନ୍ଦାବାଦ କହି ନାରା ଦେବାରୁ ମନ୍ତ୍ରୀ ତାଙ୍କ ପାଖକୁ ଆସି ଆଲୋଚନା କରିବା ପାଇଁ କଥା ଦେଲେ। ଅପରାହ୍ନ ସମୟରେ ଜିଲ୍ଲାପାଳଙ୍କ ଅଫିସକୁ ଡାକି ଆଲୋଚନା ସମୟରେ ଗୁଣ୍ଡା ପୋଲିସ ସାମ୍ବାଦିକ ମାନଙ୍କୁ ଭିତରକୁ ନଛାଡ଼ି ଗୁଣ୍ଡାଙ୍କ ଭଳି ଆଚରଣ କରିଥିଲେ। ଏହି ସମୟରେ ସାମ୍ବାଦିକମାନେ ଅଭିମାନ ସହିତ ବାରଣ୍ଡାରେ ଛିଡ଼ା ହୋଇଥିଲେ। ତେବେ ଆଲୋଚନା ସମୟରେ ଜଣେ ସାମ୍ବାଦିକ ଭିତରକୁ ଯାଇ ଭିଡ଼ିଓ କରିଥିଲେ; ହେଲେ ମନ୍ତ୍ରୀଙ୍କ ସମର୍ଥକ ମାନେ ତାଙ୍କୁ ଭିଡିଓ ଡିଲେଟ କରିବାକୁ କହିଥିଲେ। ଏପରିକି ଜଣେ ସାମ୍ବାଦିକଙ୍କୁ ତାଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ। ମୋହନ ସରକାରଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରାଯିବା ସହ ସରକାରଙ୍କ ଅପାରଗତା ତଥା ଗୁଣ୍ଡାରାଜକୁ ସରକାର ପ୍ରୋତ୍ସାହିତ କରୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଶୁଣିବାକୁ ମିଳିଛି। ଆଗାମୀଦିନରେ ଏଭଳି ହେଲେ ଜିଲ୍ଲା ସାମ୍ବାଦିକ ସଂଘ ପ୍ରତିବାଦ କରିବା ପାଇଁ ବାଧ୍ୟହେବ ବୋଲି ସାମ୍ବାଦିକମାନଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।
