ସହିଦ ଭାଇ ହାତରେ ଭଉଣୀ ବାନ୍ଧିଲା ରାକ୍ଷୀ


ମାଲକାନଗିରି (ଏନ୍‌.ଏମ୍‌.): ଭାଇ ଭଉଣୀଙ୍କୁ ଏକ ନିଆରା ସମ୍ପର୍କରେ ବାନ୍ଧି ରଖିଥାଏ ଏହି ରାକ୍ଷୀ। କାହିଁ କେଉଁ ଦୂରରୁ ଭାଇ ଭଉଣୀଙ୍କୁ ଟାଣି ଆଣିଥାଏ ରାକ୍ଷୀ। ଆଜିର ଦିନରେ ଭାଇଠାରୁ ଭଉଣୀ ଯେତେଦୂରରେ ବି ଥାଉନା କାହିଁକି, ରାକ୍ଷୀଟିଏ ପଠେଇ ଥାଏ କିମ୍ବା ପାଖରେ ଥିବା ଭାଇ ହାତରେ ରାକ୍ଷୀ ବାନ୍ଧି ଥାଏ। ତେବେ ଆଜିର ଦିନରେ ଦେଶ ମାତୃକା ପାଇଁ ଜୀବନ ଦେଇଥିବା ଭାଇକୁ ରାକ୍ଷୀ ବାନ୍ଧିବା ପାଇଁ ଅନେକ ଭଉଣୀ ମନେ ମନେ ଖୋଜୁଥିବା ବେଳେ କିଛି ଏମିତି ଭଉଣୀ ଅଛନ୍ତି ଯେଉଁମାନେ ନିଜ ସହିଦ ଭାଇଙ୍କ ହାତରେ ଆଜି ରାକ୍ଷୀ ବାନ୍ଧିଛନ୍ତି। ଏମିତି କିଛି ଚିତ୍ର ଆସିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଏରାବୋର ଅଞ୍ଚଳରୁ। ଯେଉଁଠି ସହିଦ ଭାଇର ନିର୍ମିତ ପ୍ରତିମୂର୍ତ୍ତି ହାତରେ ରାକ୍ଷୀ ବାନ୍ଧିଛନ୍ତି ଅନେକ ଭଉଣୀ। ଜୀବନ୍ତ ଅବସ୍ତାରେ ଯେଉଁଠି ଭାଇ ଓ ଭଉଣୀର ସମ୍ପର୍କ ମଧ୍ୟରେ ମଳିନତା ଆସି ଯାଉଛି, ସେହି ସମୟରେ ନିଜ ସହିଦ ଭାଇମାନଙ୍କ ପ୍ରତିମୂର୍ତ୍ତିରେ ରାକ୍ଷୀ ବାନ୍ଧି କିଛି ନିଆରା ଉଦାହରଣ ସୃଷ୍ଠୀ କରିଛନ୍ତି ଏହି ଭଉଣୀମାନେ। ଦେଶକୁ ସୁରକ୍ଷା ଦେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ୧୨ ଜଣ ସହିଦ ଭାଇଙ୍କ ପ୍ରତିମୂର୍ତ୍ତିରେ ରାକ୍ଷୀ ବାନ୍ଧି ଏହି ପବିତ୍ର ସମ୍ପର୍କ ବଜାୟ ରଖିଛନ୍ତି ତାଙ୍କର ଭଉଣୀ। ଏହି ଯବାନ ମନେ ଦେଶ ମାତୃକାକୁ ସୁରକ୍ଷା ଦେବା ପାଇଁ ବିଗତ ୧୪ ବର୍ଷ ତଳେ ମାଓବାଦୀଙ୍କ ସହ ଲଢେଇ କରି ଜୀବନକୁ ବଳିଦାନ ଦେଇଥିଲେ । ହେଲେ ୧୪ ବର୍ଷ ପରେ ମଧ୍ୟ ଆଜିବି ସେହି ସହିଦ ଭାଇ ନିଜ ଭଉଣୀର ସ୍ମୃତିରେ ବଞ୍ଚିଛନ୍ତି। ତାଙ୍କ ସ୍ମୃତିକୁ ମନେ ପକାଇ ତାଙ୍କ ପ୍ରତିମୂର୍ତିରେ ରାକ୍ଷୀ ବାନ୍ଧୁଥିବା ଭଉଣୀର ଆଖି ଲୁହରେ ଭିଜିଯାଇଛି। ପୁରୁଣା ଦିନର ସ୍ମୁତିକୁ ମନେ ପକାଇବା ସହ ସବୁ ଜନମରେ ଏପରି ବୀର ଭାଇର ଭଉଣୀ ହେବା ପାଇଁ ପ୍ରାର୍ଥନା କରିଛନ୍ତି।

Leave a Reply

Your email address will not be published. Required fields are marked *