ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରରେ ପୋଷାକ କଟକଣା: ଜାରି ହେଲା ଗାଇଡ଼ଲାଇନ୍‌

ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରରେ ପୋଷାକ କଟକଣା: ଜାରି ହେଲା ଗାଇଡ଼ଲାଇନ୍‌


#ପୁରୀ(ଏନ୍‌.ଏମ୍‌.): ଶ୍ରୀମନ୍ଦିରକୁ ଯିବାକୁ ହେଲେ କେଉଁ ଭଳି ପୋଷାକ ପିନ୍ଧିବେ, କେଉଁ ପୋଷାକକୁ ବାରଣ କରାଯାଇଛି ଏନେଇ ବିସ୍ତୁତ ଭାବେ ଗାଇଡ଼ଲାଇନ୍ ଜାରି ହୋଇଛି । ଏନେଇ ଶ୍ରୀମନ୍ଦିର ସୂଚନା କେନ୍ଦ୍ରରୁ ଭକ୍ତଙ୍କୁ ଅବଗତ କରାଯାଇଛି । ଡାକବାଜି ଯନ୍ତ୍ର ଯୋଗେ ଘୋଷଣା କରି ଭକ୍ତଙ୍କୁ କ’ଣ ପିନ୍ଧିବେ ସେସମ୍ପର୍କରେ ସୂଚନା ଦିଆଯାଇଛି । ଏଥିସହ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ପରାମର୍ଶରେ ଦର୍ଶାଯାଇଛି ଯେ, ମନ୍ଦିରକୁ ଯିବା ବେଳେ ପୁରୁଷମାନେ ପ୍ୟାଣ୍ଟ ସାର୍ଟ, ଚୁଡ଼ିଦାର ପଞ୍ଜାବୀ, ଧୋତି ଆଦି ପାରମ୍ପାରିକ ପୋଷାକ ପରିଧାନ କରିପାରିବେ । ସେହିପରି ମହିଳାମାନେ ଶାଢ଼ୀ,ଶାଲୱାର ଭଳି ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରିବେ । ତେବେ ହାଫ୍ ପ୍ୟାଣ୍ଟ, ଚିରାଫଟା ଜିନ୍ସକୁ ସମ୍ପୂର୍ଣ୍ଣ ଭାବେ ବର୍ଜନୀୟ ବୋଲି କୁହାଯାଇଛି । ଅନାବଶ୍ୟକ ଭାବେ ଶରୀର ପ୍ରଦର୍ଶନ କରୁଥିବା ପୋଷାକ କିମ୍ବା ଧାର୍ମିକ ଭାବନକୁ କୁଠାରଘାତ କଲା ଭଳି ପୋଷାକ ବର୍ଜନୀୟ ବୋଲି ଗାଇଡ଼ଲାଇନରେ ଦର୍ଶାଯାଇଛି । ପ୍ରତ୍ୟେକସ୍ତରରେ ଏବେଠୁ ସଚେତନତା ସୃଷ୍ଟି ସହ ଆସନ୍ତା ନୂଆବର୍ଷ ଠାରୁ ଏହି ନିୟମକୁ କଡ଼ାକଡ଼ି ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିନିମନ୍ତେ ଏବେଠୁ ବିଭିନ୍ନସ୍ତରରେ ଲୋକଙ୍କୁ ସଚେତନ କରିବାକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଅଣ୍ଟା ଭିଡ଼ିଛି । ଏ ସମ୍ପର୍କରେ ପ୍ରତ୍ୟେକ ସ୍ତରରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରାଯିବା ସହ ଆସନ୍ତା ନୂଆବର୍ଷ ଠାରୁ ଏହାକୁ ଯେପରି କଡ଼ାକଡ଼ି ଭାବେ ଲାଗୁ କରାଯିବ, ସେଦିଗରେ ପଦକ୍ଷେପ ନେବାକୁ ସମସ୍ତ ନିଯୋଗର ସଭାପତି, ସମ୍ପାଦକ ଏବଂ ହୋଟେଲ ମାଲିକଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଚିଠି କରିଛନ୍ତି । ନିୟମ ଲାଗୁ ହୋଇନି, ବିବେକ ଅନୁସାରେ ଶାଳୀନତା ପୋଷାକ ପିନ୍ଧନ୍ତୁ ବୋଲି ଚିଠିରେ ଦର୍ଶାଯାଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ବହୁ ବର୍ଷ ଧରି ଏହି ନିୟମ ଲାଗୁ ହେବାର ଥିଲା । ଶାଳୀନତାପୂର୍ଣ୍ଣ ବାତାବରଣରେ ପ୍ରଭୁଙ୍କ ଦର୍ଶନ କରିବାକୁ ଭକ୍ତଙ୍କ ଆଗ୍ରହ ଥିବା ବେଳେ ତାହାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା ଚାଲିଛି । ଏଥିସହ ସେ କହିଛନ୍ତି, ଯିଏ ଦର୍ଶନ କରିବାକୁ ଆସୁଛନ୍ତି, ସେମାନେ ଘରୁ ଉଭୟ ଶାରୀରିକ ଓ ମାନସିକ ଭାବେ ପ୍ରସ୍ତୁତ ହୋଇ ଆସିବା ଦରକାର । ଏଥିପାଇଁ ୩ ମାସ ସମୟ ଦିଆଗଲା । ଇତି ମଧ୍ୟରେ ପୁରୀ ଆସୁଥିବା ଭକ୍ତଙ୍କୁ ସଚେତନତା କରାଯିବ । ବାହାର ରାଜ୍ୟରୁ ଆସୁଥିବା ଭକ୍ତଙ୍କୁ ସଚେତନ କରିବାକୁ ସେମାନଙ୍କ ଯାତ୍ରୀ ପଣ୍ଡାଙ୍କୁ କୁହାଯାଇଛି । ଏଥିସହ ବିଭିନ୍ନ ରାଜ୍ୟର ଗଣମାଧ୍ୟମରେ ବି ଏ ସଂକ୍ରାନ୍ତୀୟ ଖବର ପ୍ରକାଶିତ ହେଉଛି । ଚିଠି ମାଧ୍ୟମରେ ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନ, ଯାତ୍ରୀ ପଣ୍ଡା, ନିଯୋଗମାନଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । କେବଳ ଭକ୍ତଙ୍କ ପାଇଁ ନୂଆ ନିୟମ ଲାଗୁ ହେଉନି, ଶ୍ରୀମନ୍ଦିରରେ ନିୟୋଜିତ କର୍ମଚାରୀ, ପୁଲିସ୍‌ଙ୍କୁ ମଧ୍ୟ ଶାଳୀନତାର ପାଠ ପଢ଼ାଯିବ । ସେମାନେ କିପରି ଭକ୍ତଙ୍କ ପ୍ରତି ଭଲ ଭାବେ ବ୍ୟବହାର ପ୍ରଦର୍ଶନ କରିବେ, ଫଳରେ ଭକ୍ତମାନେ ଭଲ ଅନୁଭୂତି ନେଇ ଫେରିବେ ସେଥିନିମନ୍ତେ ବି ସଚେତନତା କରାଯିବ ବୋଲି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *