ଶୈବ ପୀଠରେ ବି ଗଞ୍ଜେଇ ଉପରେ ଲାଗିଲା କଟକଣା: ଜିଲ୍ଲାପାଳ ଓ ଏସପିଙ୍କୁ ସଂସ୍କୃତି ବିଭାଗର ଚିଠି

ଶୈବ ପୀଠରେ ବି ଗଞ୍ଜେଇ ଉପରେ ଲାଗିଲା କଟକଣା: ଜିଲ୍ଲାପାଳ ଓ ଏସପିଙ୍କୁ ସଂସ୍କୃତି ବିଭାଗର ଚିଠି

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାର ସମସ୍ତ ଶୈବ ପୀଠରେ ଗଞ୍ଜେଇ ବ୍ୟବହାରକୁ ନିଷିଦ୍ଧ କରାଯାଇଛି । ଶୈବପୀଠ ମାନଙ୍କରେ ଗଞ୍ଜେଇ ବ୍ୟବହାର ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷେଧ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସମସ୍ତ ଜିଲ୍ଲାର ଜିଲ୍ଲପାଳ ଓ ଏସପିଙ୍କୁ ଚିଠି ଲେଖିଛି । ବିଭିନ୍ନ ଶୈବ ପୀଠ ମାନଙ୍କରେ ଗଞ୍ଜେଇ ବ୍ୟବହାର ନିଷେଧ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ଏନେଇ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି । ଅନନ୍ତ ବଳିଆ ଟ୍ରଷ୍ଟର ପୂଜ୍ୟ ପୂଜକ ବଳିଆ ଶୈବପୀଠରେ ଗଞ୍ଜେଇ ନିଷେଧ କରିବାକୁ ଚିଠି ଲେଖି ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ।
ଶୈବପୀଠରେ ଗଞ୍ଜେଇ ବ୍ୟବହାର ଉପରେ କଟକଣାକୁ ନେଇ ସମାଜ ସଂସ୍କାରକ ପଦ୍ମଶ୍ରୀ ବାବା ବଳିଆ କହିଛନ୍ତି, ଶୈବପୀଠରେ ଗଞ୍ଜେଇ ନିଷେଧକୁ ମୁଁ ସ୍ୱାଗତ କରୁଛି । ଗଞ୍ଜେଇ ସେବନ ଦ୍ୱାରା ମଣିଷ ରୋଗଗ୍ରସ୍ତ ହୁଏ । ଏହା ଟାଣିବା ଅନୁଚିତ । ଏବେ ପୁଅଙ୍କ ସହ ଝିଅମାନେ ବି ଗଞ୍ଜେଇ ଟାଣୁଛନ୍ତି । ଗଞ୍ଜେଇ ଟାଣିବା ଦ୍ୱାରା ଯୁବପିଢ଼ି ବେମାରିଆ, ଅଳ୍ପାୟୁଷ ହେଉଛନ୍ତି । ଶିବଙ୍କ ଭୋଗରେ ଭାଙ୍ଗ ପଡ଼େ, ଗଞ୍ଜେଇ ପଡ଼େ ବୋଲି ମୁଁ ଜାଣିନି । ଗଞ୍ଜେଇ ବ୍ୟାନ୍ ପାଇଁ ଭାରତ ଓ ଓଡ଼ିଶା ସରକାରଙ୍କୁ ଚିଠି ଲେଖିଥିଲି । ଓଡ଼ିଶା ସରକାର ବ୍ୟାନ୍ କରିଥିବାରୁ ମୁଁ ବହୁତ ଖୁସି । ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି, ଶୈବପୀଠରେ ଗଞ୍ଜେଇ ନିଷେଧ ସ୍ୱାଗତଯୋଗ୍ୟ । ଏହାକୁ ମୁଁ ସମର୍ଥନ କରୁଛି । ନିଶା ସେବନ ମନ୍ଦିର ଭିତରେ ହେବା ଉଚିତ୍ ନୁହେଁ । କେବଳ ଶୈବପୀଠ ନୁହେଁ ଯେ କୌଣସି ଧର୍ମପୀଠରେ ନିଶା ସେବନ ଅନୁଚିତ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ତେବେ ଏହାକୁ ନେଇ ବିଭିନ୍ନ ମହଲରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । କେହି କେହି ଏହାକୁ ସ୍ୱାଗତ କରିଥିବାବେଳେ ଶିବ ଭଗବାନଙ୍କ ନାମରେ ଗଞ୍ଜେଇ ସେବନର ଏକ ବାହାନା ଥିଲା ଯାହା ଶେଷ ହୋଇଛି ବୋଲି କହୁଥିବାବେଳେ ଆଉ କେହି କେହି ଏହା ବର୍ଷ ବର୍ଷର ପରମ୍ପରା ବୋଲି କହିଛନ୍ତି; ଗଞ୍ଜେଇ ସେବନ କରାଯିବା ଉପରେ କଟକଣା ଲାଗୁ ହେବା ସ୍ୱାଗତ ଯୋଗ୍ୟ ମାତ୍ର କେତେକ ଶୈବପୀଠରେ ଲିଙ୍ଗ ଘର୍ଷଣରେ ଦୁଗ୍ଧ, ଘୃତ, ଛେନା ସହ କିଛି ଫଳମୂଳ ସହିତ ଗଞ୍ଜେଇର ଆବଶ୍ୟକତା ରହିଛି ତେଣୁ ଏହାକୁ ସମ୍ପୂର୍ଣ୍ଣ ନିଷେଧ କରିବା ନେଇ ପୁନଃ ବିଚାର କରାଯିବା ଉଚିତ । ପୁନଶ୍ଚ ତ୍ରିନାଥ ମେଳାରେ ଗଞ୍ଜେଇ ବ୍ୟବହାର ହୋଇଥାଏ । ତେଣୁ ଏହାକୁ ସମ୍ପୂର୍ଣ୍ଣ ନିଷେଧ କରାନଯାଇ ସାଧାରଣତଃ ସେବନ ଉପରେ କଟକଣା ଲଗାଯିବା ଉଚିତ । ଯାହା ଫଳରେ ଗଞ୍ଜେଇ ନିଶାରୁ ଯୁବ ପୀଢ଼ି ନିଜକୁ ଦୂରେଇ ରଖିପାରିବେ ବୋଲି କିଛି ଶୈବ ଭକ୍ତ ମତଦେଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *