ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ଡିହସାହି କାର୍ତ୍ତିକେଶ୍ୱର ଭସାଣି ଉତ୍ସବ

ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ଡିହସାହି କାର୍ତ୍ତିକେଶ୍ୱର ଭସାଣି ଉତ୍ସବ

News by Smruti Ranjan Tripathy (Choudwar)

#ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ ଚୌଦ୍ୱାର ବ୍ଲକ୍ କୟଳପଡ଼ା ପଞ୍ଚାୟତ ଡିହସାହି ଗ୍ରାମରେ କାର୍ତିକେଶ୍ୱର୍ ଭସାଣୀ ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ଦୁଇ ଦିନ ଧରି ଆୟୋଜିତ ଏହି ଉତ୍ସବରେ ଅଞ୍ଚଳର ବିଭିନ୍ନ ସାହିରୁ ୧୩ ଖଣ୍ଡ ମେଢ଼ ଆସି ଏକାଠି ହୋଇଥିଲେ । ଯାତ୍ରାର ପ୍ରଥମ ଦିନ ବିଭିନ୍ନ ସାହିରୁ ମେଢ଼ ଗୁଡ଼ିକ ରୋଷଣି କରି ଯାତ୍ରା ପଡିଆକୁ ଆସିଥିଲେ । ଦ୍ୱିତୀୟ ଦିନ ମେଳଣରେ ଅଂଶ ଗ୍ରହଣ କରିଥିବା ସମସ୍ତ ପୂଜା କମିଟିର ମେଢ଼ କର୍ମକର୍ତ୍ତାଙ୍କୁ ବିଜେପି ପକ୍ଷରୁ ଆଇନଜୀବୀ ପ୍ରମୋଦ କୁମାର ସାହୁ ସମ୍ବର୍ଦ୍ଧିତ କରିଥିଲେ । ଥାନପତି ଭାବେ ପୂଝାରୀ ସାହି ମେଢ଼କୁ ଏକ ନମ୍ୱର୍ ଭାବେ କମିଟି ତରଫରୁ ଛନ୍ଦା ଦିଆଯିବା ପରେ ହରିଜନ ସାହି, ଆଦିବାସୀ ସାହି, ମଳିକ ସାହି, ଉପରସାହି, ଭୁଆସୁଣୀ ଛକ, ଦଧିବାମନ ସାହି, ମଠସାହି, ବଗିଚା ସାହି, ମଙ୍ଗଳା ସାହି, ଚୌଧୂରୀ ସାହି, ପାଟଣାସାହି, ଛକ ସାହି ପ୍ରମୁଖ ମେଢ଼ ଗୁଡ଼ିକୁ ପୂଜା କମିଟି ତରଫରୁ ଛନ୍ଦା ଦିଆଯାଇଥିଲା । ଏହାପରେ ମେଢ଼ଗୁଡ଼ିକ କ୍ରମାନ୍ୱୟରେ ଯାତ୍ରା ପଡ଼ିଆରୁ ବାହାରି ସମସ୍ତ ସାହି ପରିକ୍ରମା କରିଥିଲେ । ସାହି ପରିକ୍ରମା ବେଳେ ପାରମ୍ପରିକ ବାଦ୍ୟ, ବାଘ ନାଚ, ଆଦିବାସୀ ନାଚ, ଦୁଲ୍ ଦୁଲି ବାଜା ପ୍ରମୁଖ ବଜାଇ ଶେଷରେ ଶନି ମନ୍ଦିର ନିକଟସ୍ଥ ଅସ୍ଥାୟୀ ଜଳାଶୟରେ ମେଢ଼ଗୁଡ଼ିକ ବିସର୍ଜନ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଯାତ୍ରା ପଡିଆରେ ଏକ ମିନାବଜାର ଦେଖିବାକୁ ମିଳିଥିଲା । ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ବ୍ୟବସାୟୀମାନେ ଏଠାରେ ନିଜ ନିଜର ବ୍ୟବସାୟ କରିଥିଲେ । ଘରକରଣା ଜିନିଷ ଠାରୁ ଆରମ୍ଭ କରି ଦୋଳି, ଛୋଟ ପିଲମାନଙ୍କ କଣ୍ଢେଇ, ବିଭିନ୍ନ ମନୋରଞ୍ଜନ ଭିତ୍ତିକ ଉପକରଣ, ପୂଜା ସାମଗ୍ରୀ ସହ ଚଟପଟି ଖାଦ୍ୟ ଯଥା ଚାଟ୍‌, ଆଇସକ୍ରିମ, ଦହିବରା, ପାମ୍ପଡ, ମୋମୋ, ରସାବଳି, ମଥୁରା କେକ୍ ବିଭିନ୍ନ ପ୍ରକାର ଖାଦ୍ୟର ପସରାରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା । ଚୌଦ୍ୱାର ତଥା ଆଖ ପାଖ ଅଞ୍ଚଳରୁ ବହୁ ଲୋକ ଆସି ଏକାଠି ହୋଇ ଏହି ଯାତ୍ରାର ମଜା ଉଠାଇଥିଲେ । ତେବେ ଶୃଙ୍ଖଳା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ୪ପ୍ଲାଟୁନ ପୁଲିସ ମୁତୟନ କରାଯାଇଥିବାବେଳେ, ଯାତ୍ରା ପଡିଆରେ ଏକ ଅସ୍ଥାୟୀ ପୁଲିସ କ୍ୟମ୍ପ ସହ ଫାୟାର କର୍ମଚାରୀ, ତଥା ବିଦୁତ୍ ବିଭାଗ ସହ ଅନ୍ୟାନ୍ୟ ବିଭାଗକୁ ସଜାଗ ରହିଥିଲେ । ଚୌଦ୍ୱାର ଥାନାର ଭାରପ୍ରାପ୍ତ ଅଧିକାରୀ ବିରଞ୍ଚି ନାରାୟଣ ପତିଙ୍କ ତତ୍ତ୍ୱଅବଧାନରେ, ଏସ ଆଇ ଦିଲ୍ଲପ ମର୍ଦ୍ଦରାଜ୍ ଭୂୟାଁ, ଟିପିଏମ୍ ଫାଣ୍ଡି ଅଧିକାରୀ ରଞ୍ଜନ କୁମାର ନାୟକଙ୍କ ସମେତ ୨୦ ଜଣ ହୋମଗାର୍ଡ, ୨୦ଜଣ ରିଜର୍ଭ ପୁଲିସ ଓ ଅନ୍ୟାନ୍ୟ ପୁଲିସ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶାନ୍ତି ଶୃଙ୍ଖଳାର ସହ ଏହି ମେଳଣ ସମାପନ ହୋଇଥିବାରୁ କମିଟି ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଧର ରାଉଳ, ସଂପାଦକ ନରେଶ ମହାରଣା, ସଭାପତି ମନମୋହନ ପରିଡା ସମସ୍ତ ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *