ରୁଦ୍ର ହସ୍ପିଟାଲ ନାମରେ ଅଙ୍ଗ ତଷ୍କରୀ ଅଭିଯୋଗ
ମୁଣ୍ଡରେ ଲାଗିଥିଲା ଆଘାତ ହେଲେ ପେଟ କାଟି ଅପରେସନ କରିଦେଲେ ଡାକ୍ତର

କଟକ(ଏନ୍‌.ଏମ୍‌.): କଟକ ସହରରେ ଛତୁ ଫୁଟିଲା ଭଳି ଘରୋଇ ହସ୍ପିଟାଲ ଗଢ଼ି ଉଠିଛି। ଅନେକ ହସ୍ପିଟାଲରେ ଆବଶ୍ୟକୀୟ ଭତ୍ତିଭୂମି ନଥିଲେ ମଧ୍ୟ ସ୍ୱାସ୍ଥ୍ୟବିଭାଗର କିଛି ଅଧିକାରୀମାନଙ୍କ ସଲାସୂତରାରେ ଘରୋଇ ହସ୍ପିଟାଲ ପାଇଁ ଅନୁମତି ପାଇ ଯାଉଛନ୍ତି। ଏପରିକି ଏହି ହସ୍ପିଟାଲଗୁଡ଼ିକ ବିଶେଷ କରି ଟାର୍ଗେଟ କରୁଛନ୍ତି ସରକାରୀ ହସ୍ପିଟାଲ ଉପରେ। ବିଭିନ୍ନ ବର୍ଗର ଲୋକଙ୍କ ଦ୍ୱାରା ରୋଗୀ ଚାଲଣ କରାଇ ଆଣୁଛନ୍ତି। ଏପରିକି ମେଡ଼ିକାଲରେ ଆମ୍ବୁଲାନ୍ସ ଡ୍ରାଇଭର ଠାରୁ ଆରମ୍ଭ କରି ନିୟୋଜିତ ସିକ୍ୟୁରିଟି କର୍ମଚାରୀ ଏବଂ ଏସସିବି ଭଳି ବିଭିନ୍ନ ସରକାରୀ ଡାକ୍ତର ଖାନାରେ ବିଭିନ୍ନ ସେବା ପାଇଁ ନିୟୋଜିତ ଘରୋଇ ସଂସ୍ଥାର କର୍ମଚାରୀମାନେ ମଧ୍ୟ ରୋଗୀ ଚାଲଣ କରିବାରେ ଲାଗିପଡ଼ିଛନ୍ତି। କଟକ ତଥା ସହର ଉପକଣ୍ଠରେ ଥିବା ଘରୋଇ ନର୍ସିଂହୋମମାନେ ଏଭଳି ଅନୈତିକ ଉପାୟରେ ରୋଗୀମାନଙ୍କୁ ଶୋଷଣ କରୁଥିବା ଭଳି ସଂଗୀନ ଅଭିଯୋଗ ଆସିଛି। ତେବେ ଏସବୁ ଅଭିଯୋଗ ନଥମୁଣୁ କଟକର ଏକ ହସ୍ପିଟାଲରେ ଅଙ୍ଗ ତଷ୍କରୀ ଭଳି ଗୁରୁତର ଅଭିଯୋଗ ଆସିବା ପରେ ଜନସାଧାରଣ ଚକିତ ହୋଇ ପଡ଼ିଛନ୍ତି। କଟକର ରୁଦ୍ର ହସ୍ପିଟାଲରେ ପୁଲିସ ଅଙ୍ଗ ତଷ୍କରୀ ଅଭିଯୋଗ ପାଇଁ ତଦନ୍ତ ଆରମ୍ଭ କରିଛି। ରୁଦ୍ର ହସ୍ପିଟାଲରେ ଅଙ୍ଗ ତଷ୍କରୀ ଅଭିଯୋଗ ପରେ ସଦର ଥାନା ପୁଲିସର ଏକ ଟିମ୍ ରୁଦ୍ର ହସ୍ପିଟାଲରେ ପହଞ୍ଚି ପଚରାଉଚରା କରୁଛି। ଅଭିଯୋଗ ଅନୁଯାୟୀ ସୁଦୂର କନ୍ଧମାଳ ବାଲିଗୁଡ଼ା ଥାନା ଟିକରବାଜୁ ଗାଁର ବାବୁଲା ଦିଗାଳ ଗତ ୧୩ ତାରିଖରେ ଏକ ଦୁର୍ଘଟଣାରେ ଆହତ ହୋଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ଏମ୍ସ ଅଣାଯାଇଥିଲା। ମାତ୍ର ଜଣେ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭର୍ କଥାରେ ପଡ଼ି ବାବୁଲାଙ୍କ ପରିବାର ଲୋକେ କଟକର ଏହି ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ମେଡିକାଲରେ ଭର୍ତ୍ତି ହେବାର ଗୋଟିଏ ଦିନ ପରେ ପରେ ତାଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁପରେ ତୁରନ୍ତ ତାଙ୍କ ମୃତଦେହକୁ ଗାଁକୁ ନେଇଯିବାକୁ କହି ଏକ ଆମ୍ବୁଲାନ୍ସ ଯୋଗାଡ଼ କରି ଦେଇଥିଲା ସଂପୃକ୍ତ ମେଡିକାଲ୍‌। ହେଲେ ବାଟରେ ଆସିଲା ବେଳେ ସମସ୍ତଙ୍କ ହୋସ୍ ଉଡ଼ି ଯାଇଥିଲା। ବାବୁଲାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କ ତଳି ପେଟରେ ଷ୍ଟିଚିଂର ଚିହ୍ନ ରହିଥିଲା। ଏକ ବଡ଼ କଟା ଚିହ୍ନ ସହ ବ୍ୟାଣ୍ଡେଜ୍ ଦେଖିବାକୁ ପାଇଥିଲେ ପରିବାର ଲୋକେ। ଗତକାଲି ମୃତଦେହ ଶେଷକୃତ୍ୟ କରିବା ପରେ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ। ତେବେ ଆଜି ପୁଲିସ୍ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି କବରରୁ ବାବୁଲାଙ୍କ ମୃତଦେହ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ସେପଟେ ଘଟଣାକୁ ନେଇ ସଂପୃକ୍ତ ମେଡିକାଲ ଭିନ୍ନ ପ୍ରତିକ୍ରିୟା ରଖିଛି। ମୁଣ୍ଡରୁ ସ୍କଲ କାଢି ପେଟରେ ରଖାଯାଇଥିବା କୁହାଯାଇଛି। କିଛି ଅଙ୍ଗ ତସ୍କରି ହୋଇନି ବୋଲି କହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ରୁଦ୍ର ହସ୍ପିଟାଲର ମ୍ୟାନେଜର।

Leave a Reply

Your email address will not be published. Required fields are marked *