ରାଜ୍ୟସରକାରଙ୍କ ଐତିହାସିକ ପଦକ୍ଷେପ: କଟକ ବଡ଼ମେଡ଼ିକାଲରେ ଖୋଲିଲା ୨ଟି ନୂତନ ବିଭାଗ
ଏଣିକି ଏସସିବିରେ ହେବ ଯକୃତ ପ୍ରତିରୋପଣ କେନ୍ଦ୍ର


#କଟକ(ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲ(ଏସସିବି)ରେ ଜନସାଧାରଣଙ୍କୁ ଚିକିତ୍ସା କ୍ଷେତ୍ରରେ ଉନ୍ନତ ସେବା ଯୋଗାଇଦେବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ନୂତନ ଭାବେ ୨ଟି ବିଭାଗ ଉଦ୍‌ଘାଟନ ହୋଇଯାଇଛି । ଯାହା ଓଡିଶା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି । କଟକ ବଡ଼ମେଡ଼ିକାଲକୁ ରାଜ୍ୟସରକାର ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଏସସିବିରେ ଲିଭର ଟ୍ରାନ୍ସାପ୍ଲାଣ୍ଟେସନ ଓପିଡି (ଯକୃତ ପ୍ରତିରୋପଣ କେନ୍ଦ୍ର) ସହିତ ଶିଶୁ ଆଲର୍ଜି, ଶ୍ୱାସରୋଗ ଏବଂ ଫୁସଫୁସ ରୋଗ ବହିର୍ବିଭାଗର ଉଦ୍‌ଘାଟନ ହୋଇଯାଇଛି । ଏହା ଦ୍ୱାରା ଆଉ ରାଜ୍ୟର କୌଣସି ରୋଗୀଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ ବୋଲି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ଯୋଗଦେଇ ପ୍ରକାଶ କରିଛନ୍ତି । ଏଥି ସହିତ ମେଡ଼ିକାଲ ପରିସରରେ ଯାନବାହନ ରହଣୀ ପାଇଁ ଅତ୍ୟାଧୁନିକ ଚାରିଚକିଆ ଓ ଦୁଇଚକିଆ ଯାନ ନିମନ୍ତେ ସ୍ୱତନ୍ତ୍ର ପାର୍କିଂସ୍ଥାନ ମଧ୍ୟ ଉଦ୍‌ଘାଟିତ ହୋଇ ଯାଇଛି ।
ଆଜି ପ୍ରଥମ କରି ଲିଭର ଟ୍ରାନ୍ସପ୍ଲାଣ୍ଟେସନ ଓପିଡି ଉଦ୍‌ଘାଟନ ହେବା ସହ ଆଜି ପ୍ରଥମ କରି ଜଣେ ରୋଗୀ ନାମ ପଞ୍ଜିକରଣ କରିଛନ୍ତି । ତେବେ ବିଭାଗକୁ ମନ୍ତ୍ରୀ ଶ୍ରୀ ଦାସ ଉଦ୍‌ଘାଟନ କରିବା ସହ ପ୍ରଥମ ରୋଗୀଙ୍କ ନାମ ପଞ୍ଜିକରଣ ମଧ୍ୟ ତାଙ୍କରି ହାତରେ ହୋଇଥିଲା । ଏହି ରୋଗୀ ଜଣକ ରାଉରକେଲା ଅଞ୍ଚଳର ବିଚିତ୍ରାନନ୍ଦ ଖଟୁଆ । ତାଙ୍କର ଯକୃତ ନଷ୍ଟ ହୋଇଥିବାବେଳେ ତାଙ୍କ ପୁତ୍ର ଏହି ଯକୃତ ଦାନ କରୁଛନ୍ତି । ଏହା ରାଜ୍ୟର ଚିକିତ୍ସା କ୍ଷେତ୍ରରେ ଏକ ଇତିହାସ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ଯକୃତ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବା ନିମନ୍ତେ ସରକାର ୨୨ କୋଟି ଖର୍ଚ୍ଚ କରି ଏସ୍‌ସିବି ମେଡ଼ିକାଲରେ ଏକ ସ୍ୱତନ୍ତ୍ର ୟୁନିଟ ଖୋଲିଥିଲେ । ଏହା ହେଉଛି ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ । ବ୍ୟୟବହୁଳ ଚିକିତ୍ସା ସେବା ଯୋଗାଇବା ପାଇଁ ହୋଇଥିବା ଉକ୍ତ ୟୁନିଟ ଟ୍ରମା କୋଠାରେ ରହିଥିଲା । ୟୁନିଟ ଖୋଲିବା ୮ବର୍ଷ ପୂରଣ ହୋଇ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଜଣେ ବି ରୋଗୀ ସୁଫଳ ପାଇ ପାରିନଥିଲେ । ହେଲେ ଏହି ଅପେକ୍ଷାର ଅନ୍ତ ଘଟିଛି । ଆଜି ଏସ୍‌ସିବି ମେଡ଼ିକାଲ ସୁପରସ୍ପେସିଆଲିଷ୍ଟ ଆଉଟ୍‌ଡୋରରେ ଯକୃତ ପ୍ରତିରୋପଣ ଓପିଡ଼ି ଆରମ୍ଭ ହୋଇଛି ।
ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ୨୫ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ତେବେ ଓଡ଼ିଶାରେ ଏଭଳି ସୁବିଧା ନଥିବା ଯୋଗୁଁ ଏହି ଚିକିତ୍ସା ପାଇଁ ରୋଗୀମାନଙ୍କୁ ଚେନ୍ନାଇ, କୋଲକାତା, ଅହମ୍ମଦାବାଦ, ହାଇଦ୍ରାବାଦ, ବେଙ୍ଗାଲୁରୁ ଓ ନ୍ୟୁଦିଲ୍ଲୀକୁ ଯିବାକୁ ପଡେ । ଏଣୁ ଓଡ଼ିଶାରେ ଏହି ୟୁନିଟ ପ୍ରତିଷ୍ଠା କରିବାକୁ ୨୦୧୩ରେ ଯୋଜନା କରିଥିଲେ ରାଜ୍ୟ ସରକାର । ରାଜ୍ୟର ସର୍ବବୃହତ ଚିକିତ୍ସାଳୟ ଏସ୍‌ସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ ଆରମ୍ଭ ହେବା ପାଇଁ ୨୨କୋଟି ଟଙ୍କା ମଧ୍ୟ ମଞ୍ଜୁର ହୋଇଥିଲା । ୧୨କୋଟି ଟଙ୍କାରେ ଯନ୍ତ୍ରପାତି କିଣିବା ଓ ୧୦ କୋଟି ଟଙ୍କା ଭିତ୍ତିଭୂମିର ବିକାଶରେ ଖର୍ଚ୍ଚ ହୋଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ଏସସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା, ଅଧିକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ମେଡ଼ିସିନ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା, ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, ଯକ୍ଷ୍ମା ଛାତି ରୋଗ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନୋରଞ୍ଜନ ପଟ୍ଟନାୟକ, ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ବନବିହାରୀ ମିଶ୍ର, ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା, ଦନ୍ତବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଇନ୍ଦୁଭୂଷଣ କର, ହସ୍ପିଟାଲ ମ୍ୟାନେଜର ସୌମ୍ୟା ମହାନ୍ତି ପ୍ରମୁଖ ଉପସ୍ଥିତଥିଲେ ।

By admin

Leave a Reply

Your email address will not be published. Required fields are marked *