ରାଜ୍ୟରେ ମେଣ୍ଟ ହେବା ନେଇ ସବୁଜ ସଂକେତ: ୧୨ରେ ଓଡ଼ିଶା ଆସିବେ ଅମିତ ଶାହ

ରାଜ୍ୟରେ ମେଣ୍ଟ ହେବା ନେଇ ସବୁଜ ସଂକେତ: ୧୨ରେ ଓଡ଼ିଶା ଆସିବେ ଅମିତ ଶାହ !


#ଭୁବନେଶ୍ୱର(ଏନ୍‌.ଏମ୍‌.): ସମ୍ପ୍ରତି ସାଧାରଣ ନିର୍ବାଚନ ନିମନ୍ତେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ପ୍ରସ୍ତୁତି ଜୋରଦାର ଚାଲିଥିବାବେଳେ ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଆଜି ଉଭୟ ଦଳପକ୍ଷରୁ କର୍ମକର୍ତ୍ତାଙ୍କୁ ନେଇ ହୋଇଥିବା ବୈଠକରେ ମେଣ୍ଟକୁ ସବୁଜ ସଂକେତ ମିଳିଥିବା ସୂଚନା ମିଳୁଛି । ଗୋଟିଏ ପଟେ ନବୀନ ନିବାସରେ ବିଜେଡି ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହୋଇ ଏ ନେଇ ଆଲୋଚନା ହୋଇଥିବାବେଳେ ଅନ୍ୟପଟେ ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ରାଜ୍ୟ ନେତୃତ୍ୱଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏହି ଆଲୋଚନାର ନିଷ୍କର୍ଷ ଜଣାପଡ଼ିନଥିଲେ ମଧ୍ୟ ମେଣ୍ଟ ହେବା ଏକ ପ୍ରକାର ଚୁଡ଼ାନ୍ତ ବୋଲି କୁହାଯାଉଛି । ତେବେ କେତେ ସିଟ ବୁଝାମଣାରେ ମେଣ୍ଟ ନିର୍ବାଚନ ଲଢ଼ିବ ସେ ନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ଆସନ୍ତା ୧୨ତାରିଖରେ ଅମିତ ଶାହ ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି । ତେବେ ଶ୍ରୀ ଶାହ ଓଡ଼ିଶା ଆସି ଏଠାରେ ମେଣ୍ଟ ସମ୍ପର୍କରେ ଘୋଷଣା କରିପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି । ବିଜେପି ପକ୍ଷରୁ ବିଭିନ୍ନ ରାଜ୍ୟ ପାଇଁ ସାଂସଦ ପାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଓଡ଼ିଶାର ପ୍ରାର୍ଥୀମାନଙ୍କ ବିଷୟରେ ଘୋଷଣା ନହେବା । ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କୁ ପୁନର୍ବାର ରାଜ୍ୟସଭାକୁ ପଠାଇବା କ୍ଷେତ୍ରରେ ବିଜେଡିର ସମର୍ଥନ ରହିବା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ଗାନ କରିବା ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ଘଟଣା ମେଣ୍ଟର ରାସ୍ତାକୁ ଅଧିକ ପ୍ରସସ୍ତ କରିଛି ବୋଲି ଚର୍ଚ୍ଚା ହେଉଛି । ବିଜେଡି ପକ୍ଷରୁ ଆୟୋଜିତ ବୈଠକ ପରେ ବରିଷ୍ଠ ନେତା ଦେବୀ ମିଶ୍ର ମଧ୍ୟ ମେଣ୍ଟ ପ୍ରସଙ୍ଗରେ ସିଧା ସଳଖ ମୁହଁ ଖୋଲିନଥିଲେ ମଧ୍ୟ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି ପ୍ରକାଶ କରିଛନ୍ତି । ତେବେ ଉଭୟ ଦଳ ନିଜ ନିଜ ନେତାଙ୍କୁ ନେଇ ଘନଘନ ବୈଠକ କରିବା ମେଣ୍ଟହେବା ଏକ ପ୍ରକାର ନିଶ୍ଚିତ ବୋଲି ରାଜନୈତିଜ୍ଞ ମହଲରେ କୁହାଯାଉଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *