ରାଇରଙ୍ଗପୁରରେ ବ୍ରାହ୍ମଣ ମହାସଂଘ ଆନୁକୁଲ୍ୟରେ ବିଶ୍ୱକଲ୍ୟାଣ ମହାଯଜ୍ଞ

#ରାଇରଙ୍ଗପୁର(ଏନ୍.ଏମ୍.): ଯଜ୍ଞ ଅନୁଷ୍ଠାନ ଦ୍ୱାରା ଇନ୍ଦ୍ର ଦେବତା ପ୍ରସନ୍ନ ହୋଇ ବୃଷ୍ଟି କରନ୍ତି ଯାହା ଫଳରେ ବିଶ୍ୱ ଶସ୍ୟସାମଳା ହୋଇଥାଏ । ଯଜ୍ଞ ଦ୍ୱାରା ମନ୍ତ୍ର ଶକ୍ତି, ଆତ୍ମିକ ଶକ୍ତି ଜାଗ୍ରତ, ଆଧ୍ୟାତ୍ମିକ, ଆଧବୈଦିକ, ଅଧିଭୌତିକ ବିପତ୍ତିରୁ ମୁକ୍ତି ମିଳେ, ପିତୃଲୋକ ମାନେ ସନ୍ତୁଷ୍ଟ ହୁଅନ୍ତି । ଧର୍ମର ଜୟ ହେବା ସହ ଅଧର୍ମର ବିଲୟ ହୁଏ । ମନୁଷ୍ୟର ଅନ୍ତଃକରଣ ପବିତ୍ର ହେବା ସହ କୁସଂସ୍କାର ଦୂରିଭୂତ ହୁଏ । ବାମନଘାଟୀ ଉପଖଣ୍ଡ ବ୍ରାହ୍ମଣ ମହାସଂଘ ତରଫରୁ କୁଚେଇବୁଢିସ୍ଥିତ ଶ୍ରୀ ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଜଗତର କଲ୍ୟାଣ ନିମନ୍ତେ ବିଶ୍ୱ କଲ୍ୟାଣ ମହାଯଜ୍ଞ ଗତ ୨୩ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ୨୩ ରୁ୨୬ ତାରିଖ ପର୍ଯ୍ୟନ୍ତ ଯଜ୍ଞର ସମସ୍ତ ରୀତିନୀତି ଭାବେ ପୂଜାର୍ଚ୍ଚନା ଅନୁଷ୍ଠିତ ହେବାସହ ଭକ୍ତବୃନ୍ଦଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା । ଓଡିଶାର ସାରଳାକ୍ଷେତ୍ର ଜଗତସିଂହପୁର ବ୍ରାହ୍ମଣ ଓ ସ୍ଥାନୀୟ ବ୍ରାହ୍ମଣମାନଙ୍କ ଦ୍ୱାରା ଯଜ୍ଞକାର୍ଯ୍ୟ ସମ୍ପନ୍ନ ହୋଇଥିଲା । ୨୪ ଓ ୨୫ ତାରିଖ ସଂନ୍ଧ୍ୟାବେଳେ ପଣ୍ଡିତ ସୁରେନ୍ଦ୍ର ନାଥ ଦାଶ, ପଣ୍ଡିତ ମାନସ କୁମାର ଦାଶ ଓ ପଣ୍ଡିତ ବଳରାମ ଦାଶ ଦିବ୍ୟ ପ୍ରବଚନ ପ୍ରଦାନ କରିଥିଲେ । ଉକ୍ତ ଯଜ୍ଞକର୍ମରେ ବ୍ରାହ୍ମଣ ପିଲାମାନଙ୍କର ବ୍ରତୋପନୟନ ବିନା ଶିଳ୍କରେ କରାଯାଇଥିଲା । ଏଥିରେ କମିଟି ସଭାପତି ଗଣେଶ ମିଶ୍ର, ସମ୍ପାଦକ ସୁଶାନ୍ତ କୁମାର ମିଶ୍ର, କୋଷାଧ୍ୟକ୍ଷ ନୃସିଂହଚରଣ ଦାଶ, କାର୍ଯ୍ୟକାରୀ ସଦସ୍ୟ ଜନରଞ୍ଜନ ଦାଶ, ସମୀର କୁମାର ଦାଶ, ସତ୍ୟବ୍ରତ ଦାଶ, ତରୁଣ କୁମାର ନନ୍ଦ, ଅର୍ଦ୍ଧେନ୍ଦୁ ଶେଖର ରଥ, କୃପାସିନ୍ଧୁ ପଣ୍ଡା, ଧୂଳିଆ ନନା, ଜୟକୃଷ୍ଣ ଦାଶ, ଶିଶିର ପଣ୍ଡା ଓ ହେମନ୍ତ କୁମାର ଶତପଥି, ଗଣେଶ ଚନ୍ଦ୍ର ଦୀଖିତ ସହ କମିଟିର ଅନ୍ୟାନ୍ୟ କର୍ମକର୍ତ୍ତାଗଣ ସହଯୋଗ କରିଥିଲେ । ଏହି ପବିତ୍ର ଯଜ୍ଞରେ ଓଡ଼ିଶା ରାଜ୍ୟ ବ୍ରାହ୍ମଣ ମହାସଂଘ ସଭାପତି ସଦାନନ୍ଦ ଦୀକ୍ଷିତ ଏବଂ ତାଙ୍କ ସହଯୋଗୀ, ରାଜ୍ୟ ମହିଳା ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ମୟୂରଭଞ୍ଜ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି, ରାଜ୍ୟ ଶିକ୍ଷା ସଚିବ ଉପଦେଷ୍ଟା ଶିଶିର ପରିଜା, ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ସମେତ ସହରର ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଠାକୁରଙ୍କ ଆଶୀର୍ବାଦ ନେଇଥିଲେ । ଶାନ୍ତି ଶୃଙ୍ଖଳାର ସହ ଯଜ୍ଞ ସମ୍ପନ୍ନ ହୋଇଥିବାରୁ ଏବଂ ସହରବାସୀଙ୍କ ଅକୁଣ୍ଠ ସହଯୋଗ ମିଳିଥିବାରୁ ସଭାପତି ଗଣେଶ ମିଶ୍ର ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।