News by B.Mishra (BBSR)

ଯୁବ ରେଡ୍‌କ୍ରସ୍ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ରେଡ୍‌କ୍ରସ୍‌କୁ ସରକାରୀ ସହାୟତା ରାଶି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଯୁବ ରେଡ୍‌କ୍ରସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ରେଡ୍‌କ୍ରସ୍ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ନରହରି ସେଠୀ, ଭାରତୀୟ ରେଡ୍‌କ୍ରସ ସୋସାଇଟିର ଅବୈତନିକ ସଂପାଦକ ବିଭୂତି ଭୂଷଣ ପଟ୍ଟନାୟକ, ଯୁବ ରେଡ୍‌କ୍ରସ୍ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ଯୁବ ରେଡ୍‌କ୍ରସ୍ ଅଧିକାରୀଗଣ ଉପସ୍ଥିତ ରହି ସମସ୍ତ ଜିଲ୍ଲାର ରେଡ୍‌କ୍ରସ୍ ସମ୍ବନ୍ଧୀୟ ବିଶଦ ତଥ୍ୟ ଉପରେ ଆଲୋଚନା କରିଥିଲେ ।
ବୈଠକରେ ବିଭିନ୍ନ ପ୍ରସ୍ତାବ ଗୃହୀତ ହୋଇଥିଲା । ରେଡ୍‌କ୍ରସ୍ ସଦସ୍ୟମାନଙ୍କ ଯାତାୟତ ଖର୍ଚ୍ଚ ୩ ଲକ୍ଷ ୬୦ହଜାର ଟଙ୍କା ଓ ସମୁଦାୟ ରେଡ୍‌କ୍ରସ୍ ପୁରସ୍କାର ସଂଖ୍ୟା ୩୩କୁ ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । ରେଡ୍‌କ୍ରସ୍‌କୁ ସରକାରୀ ସହାୟତା ରାଶି ୫୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ରେଡ୍‌କ୍ରସ୍‌ର ବିଭିନ୍ନ କାର୍ଯ୍ୟକ୍ରମ ଯଥା: ବୃକ୍ଷରୋପଣ, ସଡ଼କ ସୁରକ୍ଷା ସଚେତନତା, ଏଚ୍‌ଆଇଭି (ଏଡ୍‌ସ) ସଚେତନତା, ରକ୍ତଦାନ, ଲିଙ୍ଗଗତ ସମାନତା, ମହିଳା ସଶକ୍ତିକରଣ ଭଳି କାର୍ଯ୍ୟକ୍ରମକୁ ଆହୁରି ଜୋରସୋରରେ ଆଗେଇନେବାକୁ ମନ୍ତ୍ରୀ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ । ବିଶେଷ କରି ମାଲକାନ୍‌ଗିରି, କୋରାପୁଟ, ରାୟଗଡ଼ା ଆଦି ଅଣଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ରକ୍ତଦାନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ଅନ୍ୟ କାର୍ଯ୍ୟକ୍ରମଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ବାହାନଗା ରେଳ ଦୁର୍ଘଟଣା ସମୟରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ୪୦୦ରୁ ଊର୍ଦ୍ଧ୍ୱ ରେଡ୍‌କ୍ରସ୍ ସ୍ୱେଚ୍ଛାସେବୀଙ୍କର ମନ୍ତ୍ରୀ ଶ୍ରୀ ନାୟକ ଉଚ୍ଚ ପ୍ରଶଂସା କରିଥିଲେ । ଶେଷରେ ଡ. ରମେଶ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *